ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ କ୍ଷେପଣାସ୍ତ୍ର ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ସେବେଠାରୁ ହତାଶ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଗୁଳିମାଡ଼ କରିଚାଲିଛି। ଏହାକୁ ଦୃଷ୍ଟିରେ ରଖି, ପଡ଼ୋଶୀ ଦେଶ ସହିତ ସୀମା ସେୟାର କରୁଥିବା ପଞ୍ଜାବ ଏବଂ ରାଜସ୍ଥାନ ସରକାର ସତର୍କ ହୋଇଯାଇଛନ୍ତି।

Advertisment

ପଞ୍ଜାବ, ପାକିସ୍ତାନ ସହିତ ୫୩୨କିଲୋମିଟର ସେୟାର କରୁଥିବାବେଳେ ରାଜସ୍ଥାନ, ପାକିସ୍ତାନ ସହିତ ୧୦୭୦ କିଲୋମିଟର ଲମ୍ବା ସୀମା ସେୟାର କରୁଛି। ଗୁରୁବାର ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ, ପଞ୍ଜାବ ସରକାର ସମସ୍ତ ପୁଲିସ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଏହା ସହିତ, ବଢ଼ୁଥିବା ଉତ୍ତେଜନାକୁ ଦେଖି, ରାଜ୍ୟ ସରକାର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୬ଟି ସୀମାନ୍ତ ଜିଲ୍ଲା - ଫିରୋଜପୁର, ପଠାନକୋଟ, ଫାଜିଲକା, ଅମୃତସର, ଗୁରୁଦାସପୁର ଏବଂ ତରନତାରନରେ ଥିବା ସମସ୍ତ ସ୍କୁଲକୁ ବନ୍ଦ କରିଦେଇଛନ୍ତି। ଏହା ସହ ରାଜସ୍ଥାନ ସରକାର ସୀମାନ୍ତ ଅଞ୍ଚଳରେ ନିୟୋଜିତ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ପୁଲିସ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରିଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ରାଜସ୍ଥାନର ଚାରିଟି ସୀମାନ୍ତ ଜିଲ୍ଲା - ଶ୍ରୀଗଙ୍ଗାନଗର, ବିକାନେର, ଜୟସଲମେର ଏବଂ ବାଡମେରର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଛି।