ରାଜସ୍ଥାନ: ଥମୁନି ଗେହଲଟ୍‌ ପାଇଲଟ୍‌ ବିବାଦ; ରିସୋର୍ଟକୁ ସ୍ଥାନାନ୍ତର ହେଲେ କଂଗ୍ରେସ ବିଧାୟକ

ଜୟପୁର: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ଉପ ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ କ୍ରମେ ତୀବ୍ର ହେଉଥିବାରୁ କଂଗ୍ରେସ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ଏକ ରିସୋର୍ଟକୁ ବସ୍‌ ଯୋଗେ ପଠାଇ ଦିଆଯାଇଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମଧ୍ୟ ତାଙ୍କ ବିଧାୟକମାନଙ୍କ ସହିତ ବସ୍‌ରେ ବସି ରିସୋର୍ଟକୁ ଯାଇଛନ୍ତି।

ଉପ ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ ଗତକାଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବା ପରେ ରାଜସ୍ଥାନରେ ଏହି ରାଜନୈତିକ ସଙ୍କଟ ଆରମ୍ଭ ହୋଇଛି। ସଚିନ୍‌ ପାଇଲଟ୍‌ ଗତ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସରକାରକୁ ଏକ ସଂଖ୍ୟାଲଘୁ ସରକାର ବୋଲି କହିବା ପରେ ଆଜି ମୁଖ୍ୟମନ୍ତ୍ରୀ ଗେହଲଟ୍‌ ତାଙ୍କ ସରକାରୀ ବାସଭବନରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ଡାକିଥିଲେ। ହେଲେ, ଏହି ବୈଠକରେ ୧୩୦ରୁ ୧୦୭ କଂଗ୍ରେସ ବିଧାୟକ ଯୋଗ ଦେଇଥିଲେ। ନିଜେ ସଚିନ୍‌ ପାଇଲଟ୍‌ ଏହି ବୈଠକରେ ଅନୁପସ୍ଥିତ ରହିବା ସହ ତାଙ୍କ ପଛରେ ଏବେବି ୩୦ ଦଳୀୟ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରିବା ପରେ ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଥମିବା ପରିବର୍ତ୍ତେ ଅଧିକ ଉତ୍କଟ ହୋଇଛି।

ବରିଷ୍ଠ ନେତାମାନେ ଦଳ ମଧ୍ୟରେ ସବୁ ଠିକ୍‌ ଅଛି ବୋଲି କହୁଥିବା ବେଳେ ଦଳ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଅପରପକ୍ଷରେ ସଚିନ୍‌ ପାଇଲଟ୍‌ ନିଜ ଜିଦ୍‌ରେ ଅଟଳ ରହିବା ସହ ଘଟଣା ସମଗ୍ର ପରସ୍ଥିତିକୁ ଅଧିକ ଜଟିଳ କରି ପକାଇଛି। ତେଣୁ, ରାଜସ୍ଥାନରେ କାଳେ ମଧ୍ୟପ୍ରଦେଶ ଭଳି ପରିସ୍ଥିତି ସୃଷ୍ଟି ହେବ ସେଇ ଆଶଙ୍କାରେ ଭୟଭୀତ ହୋଇ କଂଗ୍ରେସ ବିଧାୟକମାନଙ୍କୁ ଏକାଠି ରଖିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ବୈଠକ ପରେ ବୈଠକରେ ଯୋଗ ଦେଇଥିବା ୧୦୭ ବିଧାୟକମାନଙ୍କୁ ଧରି ବସ୍‌ରେ ବସି ରିସୋର୍ଟକୁ ପଳାଇ ଯାଇଥିବା ଆଲୋଚନା ଚାଲିଛି।

ସମ୍ବନ୍ଧିତ ଖବର