ନୂଆଦିଲ୍ଲୀ: ଗାନ୍ଧୀନଗରରେ ମାତା ହୀରାବେନ୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବ-ନର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଭର୍ଚ୍ୟୁଆଲ୍‌ ଜରିଆରେ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳର ଶୁଭାରମ୍ଭ କରିବା ସହିତ କ‌େତେକ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି।

Advertisment

ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ହାୱଡାରୁ ନୂଆ ଜଳପାଇଗୁଡ଼ିକୁ ସଂଯୋଗ କରୁଥିବା ପଥରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ଶୁଭାରମ୍ଭ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ହାୱଡ଼ାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହା ହେଉଛି ପଶ୍ଚିମବଙ୍ଗର ପ୍ରଥମ ଏବଂ ଦେଶର ସପ୍ତମ ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌ ଚଳାଚଳ। ପ୍ରଧାନମନ୍ତ୍ରୀ ପତାକା ହଲାଇ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କରିବା ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ସମବେଦନା ଜଣାଇ କହିଥିଲେ, ଆମକୁ ଏହି ସୁଯୋଗ ଦେଇଥିବାରୁ ପଶ୍ଚିମବଙ୍ଗବାସୀଙ୍କ ପକ୍ଷରୁ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି। ଆଜି ଦିନଟି ଆପଣଙ୍କ ପାଇଁ ଦୁଃଖଦାୟକ। ଆପଣଙ୍କ ମାଆ ଅର୍ଥ ଆମର ମଧ୍ୟ ମାଆ। ଆଜି ମୁଁ ମଧ୍ୟ ମୋ ମାଆଙ୍କ କଥା ସ୍ମରଣ କରୁଛି। ମାତାଙ୍କର ବିକଳ୍ପ ନାହିଁ। କାର୍ଯ୍ୟ ଚାଲୁ ରଖିବା ଲାଗି ଈଶ୍ବର ଆପଣଙ୍କୁ ଶକ୍ତି ଦିଅନ୍ତୁ। ଏଭଳି ବିୟୋଗାନ୍ତ ଘଟଣା ଯୋଗୁଁ ଆଜିର କାର୍ଯ୍ୟକ୍ରମ କାଣ୍ଟଛାଣ୍ଟ କରି ଆପଣ ବିଶ୍ରାମ ନିଅନ୍ତୁ।

publive-image Image Courtesy of India TV News

ମାତା ହୀରାବେନ୍‌ଙ୍କ ଶେଷକୃତ୍ୟ ସାରିବା କ୍ଷଣି ପ୍ରଧାନମନ୍ତ୍ରୀ ମ‌ୋଦୀ ଅହମଦାବାଦସ୍ଥିତ ରାଜଭବନରେ ପହଞ୍ଚିଥିଲେ। ସେଠାରେ ସେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ କୋଲ୍‌କାତାର ହାୱଡ଼ାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳର ଶୁଭାରମ୍ଭ କରିଥିଲେ। ଏଥିସହିତ ସେ ପଶ୍ଚିମବଙ୍ଗ ରାଜ୍ୟରେ ୭,୮୦୦ କୋଟି ଟଙ୍କାର ଅନ୍ୟାନ୍ୟ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ‘ନ୍ୟାସ୍‌ନାଲ୍‌ ଗଙ୍ଗା କାଉନ୍‌ସିଲ୍‌’ ସଭାରେ ଯୋଗ ଦେବେ।