ଯେପରି କୃଷି ଆଇନ ହଟେଇଲ, ପୁଣି ଧାରା-୩୭୦ ଲାଗୁ କର : କଶ୍ମୀର ନେତା

ଶ୍ରୀନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆଜି ୩ଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି । ତେବେ ସରକାରଙ୍କ ଏହି ନିଷ୍ପତ୍ତି ପରେ କଶ୍ମୀରର ନେତାମାନେ ଉତ୍ସାହିତ ହୋଇଉଠିଛନ୍ତି । ସରକାର ଯେପରି କୃଷି ଆଇନ ପ୍ରତ୍ୟାହାର କଲେ, ଠିକ ସେପରି କଶ୍ମୀରରେ ଧାରା ୩୭୦ ଲଗାନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।

ପଡିପି ନେତ୍ରୀ ମେହେବୁବା ମୁଫତି କହିଛନ୍ତି ଯେ କୃଷି ଆଇନ ପ୍ରତ୍ୟାହାର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଆଗାମୀ ନିର୍ବାଚନରେ ହାରିବାର ଭୟ କାରଣରୁ ମୋଦୀ ସରକାର ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । ଲୋକମାନଙ୍କୁ ସନ୍ତୁଷ୍ଟ କରିବାକୁ ବିଜେପି ଏହା କରିବାକୁ ବାଧ୍ୟ ହେଲା । ତେବେ ଦୁଃଖର କଥା ହେଉଛି କଶ୍ମୀରବାସୀଙ୍କୁ ଅପମାନିତ କଲେ ବିଜେପିର ମୁଖ୍ୟ ଭୋଟ ବ୍ୟାଙ୍କ ସନ୍ତୁଷ୍ଟ ହେଉଛନ୍ତି । ବିଜେପି ଭୋଟରମାନଙ୍କୁ ସନ୍ତୁଷ୍ଟ କରିବାକୁ ହିଁ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ହୋଇଥିଲା । ଏବେ ସରକାର ନିଜର ଭୁଲ ସୁଧାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ଦାବି କରିଛନ୍ତି ଯେ କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରରେ ଧାରା ୩୭୦, ୩୫କ ଲାଗୁ କରିବା ସହ ପୂର୍ଣ୍ଣ ରାଜ୍ୟମାନ୍ୟତା ଫେରାଇ ଦିଅନ୍ତୁ । କୃଷି ଆଇନ ପ୍ରତ୍ୟାହାର ପାଇଁ ସଂସଦରେ ଆଇନ ଗୃହୀତ ହେବା ପରେ ହିଁ କୃଷକମାନେ ଆନ୍ଦୋଳନରୁ ଉଠନ୍ତୁ ବୋଲି ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର