ରାଣୀଙ୍କ ମୃତ୍ୟୁ ପରେ ୫୦୦ କ୍ୟାରେଟ୍‌ର ‘ଗ୍ରେଟ୍‌ ଷ୍ଟାର୍‌ ଡାଇମଣ୍ଡ୍‌’ ଫେରସ୍ତ ମାଗୁଛି ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁ ପରେ ବିଶ୍ବର ବୃହତ୍ତମ ସ୍ବଚ୍ଛ ହୀରା ‘ଗ୍ରେଟ୍‌ ଷ୍ଟାର୍‌ ଡାଇମଣ୍ଡ୍‌’ ଫେରସ୍ତ ଦେବାକୁ ଦକ୍ଷିଣ ଆଫ୍ରିକାର ଜନସାଧାରଣ ବ୍ରିଟେନ୍‌ ରାଜପରିବାରକୁ କହୁଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

‘ଗ୍ରେଟ୍‌ ଷ୍ଟାର୍‌ ଅଫ୍‌ ଆଫ୍ରିକା’ ବା ‘ପ୍ରଥମ କଲିନନ୍‌’ ଭାବେ ସୁପରିଚିତ ଉକ୍ତ ହୀରା ୧୯୦୫ ମସିହାରେ ଦକ୍ଷିଣ ଆଫ୍ରିକା ଖଣିରୁ ବାହାରିଥିବା ଗୋଟାଏ ବଡ଼ ରତ୍ନପଥରରୁ କାଟି ବାହାର କରାଯାଇଥିଲା। ଉକ୍ତ ହୀରାଟିକୁ ଦକ୍ଷିଣ ଆଫ୍ରିକୀୟ ଉପନିବେଶୀୟ କର୍ତ୍ତୃପକ୍ଷମାନେ ବ୍ରିଟିସ୍‌ ରାଜପରିବାରକୁ ହସ୍ତାନ୍ତର କରିଥିଲେ। ସମ୍ପ୍ରତି ତାହା ରାଣୀଙ୍କର ଗୋଟାଏ ଅଳଙ୍କାରଖଚିତ ରାଜଦଣ୍ଡରେ (ବାଡ଼ି) ଲାଗିଛି।

Image Courtesy of NDTV

ସୂଚନା‌ଯୋଗ୍ୟ, ରାଣୀଙ୍କ ମୃତ୍ୟୁ ପରେ ପରେ ‘ଗ୍ରେଟ୍‌ ଷ୍ଟାର୍‌ ଅଫ୍‌ ଆଫ୍ରିକା’ ଏବଂ ଅନ୍ୟାନ୍ୟ ହୀରାଗୁଡ଼ିକୁ ଫେରସ୍ତ ଦେବା ପାଇଁ ଦାବି କରାଯାଉଛି। ବ୍ରିଟେନ୍‌ ବେଆଇନ ଭାବେ ରତ୍ନ ସବୁ ଅକ୍ତିଆର୍‌ କରିଛି ବୋଲି ଅନେକ ଦକ୍ଷିଣ ଆଫ୍ରିକୀୟମାନେ ମତ ଦେଉଛନ୍ତି। ହୀରା ଫେରସ୍ତ ପାଇଁ ୬୦୦୦ ଲୋକଙ୍କ ଦସ୍ତଖତ ଥିବା ଅନ୍‌ଲାଇନ୍‌ ପିଟିସନ୍‌ ‘ଚେଞ୍ଚ୍‌ ଡଟ୍‌ ଓଆର୍‌ଜି’ରେ ପ୍ରକାଶ ପାଇଛି।

‘ଏବିସି ନିଉଜ୍‌’ ରିପୋର୍ଟ କରିଛି ଯେ, ୫୩୦.୨ କ୍ୟାରେଟ୍‌ର ବୁନ୍ଦା ଆକୃତିର ଏହି ହୀରାଟି କ୍ରୁଶ ଥିବା ରାଜଦଣ୍ଡରେ ଲଗାଯାଇଛି। ୧୬୦୦ ଶତାବ୍ଦୀର ସେ ପବିତ୍ର ରାଜଦଣ୍ଡଟି ଅଭିଷେକ ଉତ୍ସବରେ ବ୍ୟବହାର କରାଯାଏ। ଏହି ହୀରା ପ୍ରକୃତ ମୂଲ୍ୟ କେତେ ତାହା ଜଣାପଡ଼ିନାହିଁ।

ଦକ୍ଷିଣ ଆଫ୍ରିକୀୟ ସଂସଦର ସାଂସଦ ଭୁ‌ୟୋଲ୍‌ୱେଥୁ ଜଙ୍ଗୁଲା ଟୁଇଟ୍‌ ପୋଷ୍ଟ୍‌ରେ ଦାବି କରିଛନ୍ତି: ବ୍ରିଟେନ୍‌ କରିଥିବା ସମସ୍ତ କ୍ଷତିର କ୍ଷତିପୂରଣ ଦେବା ସହ ଚୋରାଇ ନେଇଥିବା ସବୁ ସୁନା ଓ ହୀରା ଫେରସ୍ତ ଦେଉ।

ସମ୍ବନ୍ଧିତ ଖବର