ସୁସ୍ଥ ହେବା ପରେ ପୁଣି ସଂକ୍ରମଣ ଆଶଙ୍କା କମ୍‌

ପାଶ୍ଚାତ୍ୟ ଲୋକଙ୍କ ଅପେକ୍ଷା ଭାରତୀୟମାନେ ଅଧିକ ସୁରକ୍ଷିତ: ଏମ୍‌ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ଓ ଚୀନ୍‌ରେ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା କିଛି ପୀଡ଼ିତଙ୍କୁ ପୁଣି ଥରେ କରୋନାଭୂତାଣୁ ସଂକ୍ରମିତ ହୋଇଥିବା ଖବର ଏହାର ମୁକାବିଲା ପାଇଁ ଉପାୟ ଖୋଜିବାରେ ନିମଗ୍ନ ଥିବା ବିଶେଷଜ୍ଞମାନଙ୍କ ବୁଦ୍ଧି ହଜାଇ ଦେଇଛି। ଭାରତରେ ମଧ୍ୟ ଅନୁରୂପ ମାମଲା ଲୋକଲୋଚନକୁ ଆସିବାରେ ଲାଗିଛି। ତେଣୁ ଜଣେ କରୋନାଭୂତାଣୁ ସାର୍ସ-କୋଭ୍-୨ ଦ୍ବାରା ସଂକ୍ରମିତ, ଚିକିତ୍ସା ପାଇ ଆରୋଗ୍ୟ ଲାଭ ପରେ ବି ପୁଣି ଥରେ ଏହି ଘାତକ ଭୂତାଣୁ ଦ୍ବାରା ସଂକ୍ରମିତ ହେବାର ଆଶଙ୍କା ରହିଛି କି ବୋଲି ଏଇଠି ସ୍ବାଭାବିକ ଭାବରେ ପ୍ରଶ୍ନ ଉଠେ। ନଏଡ଼ାରେ ଜଣେ ଡାକ୍ତର କୋଭିଡ୍‌-୧୯ରୁ ଆରୋଗ୍ୟ ହେବାର ୪୫ ଦିନ ପରେ ପୁଣି ଥରେ ସଂକ୍ରମିତ ହୋଇଛନ୍ତି। ସେହିପରି ମୋହାଲି ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ୧୦ ଜଣ ରୋଗୀଙ୍କ ଠାରେ ପୁଣି ପଜିଟିଭ୍‌ ବାହାରିଛି। କେରଳ ଓ ହିମାଚଳପ୍ରଦେଶରେ ମଧ୍ୟ ଅନୁରୂପ ଭାବେ ପୁଣି ଥରେ ଆରୋଗ୍ୟ ହୋଇଥିବା ପୀଡ଼ିତ ସାନି ସଂକ୍ରମଣର ଶିକାର ହୋଇଥିବା ଜଣାଯାଇଛି। ଜଣେ ସୁସ୍ଥ ହୋଇଥିବା ରୋଗୀ ଶରୀରରେ ଭୂତାଣୁ ବିରୋଧୀ ଆଣ୍ଟିବଡି ରହିଥିବା ବେଳେ ସେ ପୁଣି କିପରି ସଂକ୍ରମିତ ହେଉଛି ବୋଲି ବିଶେଷଜ୍ଞମାନଙ୍କୁ ଦ୍ବନ୍ଦ୍ବରେ ପକାଇଛି। ଯେଉଁଠି ଏହି ଭୂତାଣୁ ରୂପ ବଦଳାଇ ନୂଆ ରୂପ ଧାରଣ କରିଥାଏ, ସେତେବେଳେ ସାନି ସଂକ୍ରମଣ କଥା କୁହାଯିବ ବୋଲି ଚଣ୍ଡୀଗଡ଼ ପିଜିଆଇଇଏମ୍‌ଆର୍ ଅନ୍ତଃଭେଷଜ ବିଭାଗ ପ୍ରଫେସର ଡା. ଆଶିଷ ଭାଲ୍ଲା ଓ ନିଶ୍ଚେତକ ବିଭାଗ ମୁଖ୍ୟ ଡା.ଜି ଡି ପୁରୀ କହିଛନ୍ତି। ଲଣ୍ଡନ କିଙ୍ଗ୍‌ସ କଲେଜ ପକ୍ଷରୁ ଅନୁଷ୍ଠିତ ଏକ ଅନୁଧ୍ୟାନରୁ ଜଣେ ରୋଗୀ ଦେହରେ ଲକ୍ଷଣ ଦେଖା ଦେବାର ତିନି ସପ୍ତାହ ପରେ ହିଁ ଭୂତାଣୁକୁ ମାରିବା ଭଳି ଆଣ୍ଟିବଡି ସ୍ତର ବିକଶିତ ହୋଇଥାଏ ଯାହା କି କିଛି ମାସ ପାଇଁ ବଳବତ୍ତର ରହି ଧୀରେ ଧୀରେ ଉଭେଇ ଯାଇଥାଏ।

ଅପରପକ୍ଷେ, ଦିଲ୍ଲୀ ଏମ୍‌ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆଙ୍କ କହିବା କଥା, କରୋନାଭୂତାଣୁ ବିରୋଧରେ ଲଢ଼େଇ କରିବା ଲାଗି ଆମ ଭାରତୀୟଙ୍କ ଶରୀରରେ ୟଥେଷ୍ଟ ଆଗରୁ ହିଁ ଏପରି ଆଣ୍ଡିବଡ଼ି ସ୍ତର ବିକଶିତ ହୋଇ ରହିଥାଏ। ସେଥିପାଇଁ ଆମେ ପାଶ୍ଚାତ୍ୟ ଲୋକଙ୍କ ଅପେକ୍ଷା ଅଧିକ ସୁରକ୍ଷିତ ବୋଲି ସେ ଟିପ୍ପଣୀ କରିଛନ୍ତି। ତେବେ ଏହି ସୁରକ୍ଷା ବ୍ୟବସ୍ଥା ଶରୀରରେ କେତେ ଦିନ ଯାଏ ତିଷ୍ଠି ରହିପାରୁଛି, ତାହା ହିଁ ବାହାର କରିବାକୁ ହେବ ବୋଲି ଡା. ଗୁଲେରିଆ କହିଛନ୍ତି। ସେହିପରି ସାର୍ ଗଙ୍ଗାରାମ ହସ୍ପିଟାଲର ଡା. ଦୀରେନ୍‌ ଗୁପ୍ତାଙ୍କ ମତ ହେଲା, ଆର୍ଟିପିସିଆର୍ ପରୀକ୍ଷଣରେ ମୃତ ଭୂତାଣୁ ମଧ୍ୟ ଠାବ ହୋଇଥାଏ ଯାହା କି ରୋଗୀ ଶରୀରରେ ୩କୁ ୩୦ ଦିନ ଯାଏ ରହିଥାଏ। ତେବେ ସାଧାରଣତଃ ଆରୋଗ୍ୟ ହେବାର ୧୦ ଦିନ ପରେ ଆଉ ସଂକ୍ରମଣ ଆଶଙ୍କା ନାହିଁ ବୋଲି ଡା. ପୁରୀ କହିଛନ୍ତି। ତଥାପି ଜଣେ ସୁସ୍ତ ହେଲା ପରେ ବି ସର୍ବସାଧାରଣରେ ମିଶିବା ପୂର୍ବରୁ ଆଉ ୧୪ ଦିନ ଏକାନ୍ତବାସରେ ରହିବାକୁ ଆଇସିଏମ୍‌ଆର୍ ପରାମର୍ଶ କରିଛି।

ସମ୍ବନ୍ଧିତ ଖବର