ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନକ ଆଗୁଆ, ପ୍ରଥମ ରାଉଣ୍ଡରେ ପାଇଲେ ସର୍ବାଧିକ ଭୋଟ

ଲଣ୍ଡନ : ପ୍ରଧାନମନ୍ତ୍ରୀ ପଦ ପାଇଁ ବ୍ରିଟେନରେ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଶାସନରେ ଥିବା କଂଜରଭେଟିଭ ଦଳ ନେତା ଚୟନ ପାଇଁ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଭୋଟରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଆଗୁଆ ଥିବା ଜଣାପଡ଼ିଛି । ତାଙ୍କୁ ୮୮ ଟି ଭୋଟ ମିଳିଥିବାବେଳେ ବାଣିଜ୍ୟ ମନ୍ତ୍ରୀ ପେନି ମୋରଡଣ୍ଟଙ୍କୁ ୬୭ଟି ଭୋଟ ମିଳିଛି । ବୈଦେଶିକ ମନ୍ତ୍ରୀ ଲିଜ୍ ଟ୍ରସଙ୍କୁ ୫୦ଟି ଭୋଟ ମିଳିଛି । ଏଣୁ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ଆଗୁଆ ଥିବା ଜଣାପଡ଼ିଛି ।

ଋଷି ଗତ ୮ ତାରିଖରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥୀତ୍ବ ଘୋଷଣା କରିବା ସହ ପ୍ରଚାର ଆରମ୍ଭ କରିଥିଲେ ।

ଋଷି ସୁନକଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା, ପରେ ସେମାନେ ବ୍ରିଟେନରେ ବସବାସ କରିଥିଲେ । ଋଷିଙ୍କ ମା ଜଣେ ଫାର୍ମାସିଷ୍ଟ ଥିଲେ, ସେ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସେବା (ଏନଏଚଏସ) ରେ କାମ କରନ୍ତି। ତାଙ୍କ ବାପା ଅକ୍ସଫୋର୍ଡ୍ ଓ ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ସ୍ନାତକ କରିଛନ୍ତି । ଋଷିଙ୍କ ଆଉ ଏକ ପରିଚୟ ହେଉଛି ସେ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜାମାତା ।

ଋଷିଙ୍କ ଜନ୍ମ ବ୍ରିଟେନର ହାମ୍ପସାୟାରରେ ହୋଇଥିଲ। ଋଷି ଆମେରିକାର ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ଏମବିଏ କରିଛନ୍ତି। ସେ ଅକ୍ସଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ରାଜନୀତି, ଦର୍ଶନ ଓ ଅର୍ଥଶାସ୍ତ୍ର ପଢିଛନ୍ତି । ରାଜନୀତିକୁ ଆସିବା ପୂର୍ବରୁ ସେ ଇନଭେଷ୍ଟମେଣ୍ଟ ବ୍ୟାଙ୍କ୍ ଗୋଲ୍ଡମ୍ୟାନ୍ ସେସ୍ ଓ ହେଜ୍ ଫଣ୍ଡରେ କାମ କରିଛନ୍ତି। ଏହାପରେ ସେ ଇନଭେଷ୍ଟମେଣ୍ଟ ଫାର୍ମର ପ୍ରତିଷ୍ଠା କରିଥିଲେ ।

ସମ୍ବନ୍ଧିତ ଖବର