ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ପର୍ଯ୍ୟାୟ ପ୍ରତିଶୋଧମୂଳକ ପଦକ୍ଷେପ ସ୍ୱରୂପ ଭାରତ ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିଛି। ଏହି ନିଷ୍ପତ୍ତିର କିଛିଦିନ ପରେ କାଶ୍ମୀରର ଦୁଇଟି ଜଳବିଦ୍ୟୁତ୍ ପ୍ରକଳ୍ପରେ ଜଳଭଣ୍ଡାର ଧାରଣ କ୍ଷମତା ବୃଦ୍ଧି କରିବା ଆରମ୍ଭ କରିଛି। ବିଶେଷ କରି ଗତ ସପ୍ତାହରେ ରାଷ୍ଟ୍ରାୟତ୍ତ ଜାତୀୟ ଜଳବିଦ୍ୟୁତ୍ ନିଗମ ଲିମିଟେଡ (ଏନ୍ଏଚ୍ପିସି) ପକ୍ଷରୁ ସଲାଲ ଓ ବାଗଲିହାର ପ୍ରକଳ୍ପରେ ‘ଜଳଭଣ୍ଡାର ଫ୍ଲସିଂ’ ଅର୍ଥାତ୍ ବାଲି ଓ ପଙ୍କ ହଟାଇବା କାର୍ଯ୍ୟ କରାଯାଇଛି।
ଏଥିସହିତ ଉକ୍ତ ଅଞ୍ଚଳରେ ଅନେକ ଦିନରୁ କେବଳ ଯୋଜନାରେ ରହିଯାଇଥିବା ୬ଟି ଜଳବିଦ୍ୟୁତ ପ୍ରକଳ୍ପର କାର୍ଯ୍ୟ ଆରମ୍ଭକୁ ସରକାର ତ୍ବରାନ୍ବିତ କରିବେ ବୋଲି ଆଶା କରାଯାଉଛି। ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ସାୱଲକୋଟ୍ର ୧୮୫୬ ମେଗାୱାଟ୍, କିର୍ଥାଇ ୧ ଏବଂ ୨ ପ୍ରକଳ୍ପ ଯେଉଁଥିରୁ ୧୩୨୦ ମେଗାୱାଟ, ପକଲ୍ ଡଲ୍ରୁ ୧୦୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ଯୋଜନା ରହିଛି। ଏଥିସହିତ ଅନ୍ୟ ୩ଟି ପ୍ରକଳ୍ପରୁ ୨୨୨୪ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ଯୋଜନା ରହିଛି। ଏହି ୬ଟି ପ୍ରକଳ୍ପର କାର୍ଯ୍ୟ ସରିବା ପରେ ଜମ୍ମୁ-କାଶ୍ମୀରରେ ୧୦,୦୦୦ ମେଗାଵାଟ୍ ବିଦ୍ୟୁତ୍ ଉତ୍ପାଦନ ହୋଇପାରିବ। ଜଳସେଚନ ଓ ଘରୋଇ ବ୍ୟବହାର ପାଇଁ ଅଧିକ ଜଳ ଉପଲବ୍ଧ ହୋଇପାରିବ। ଏସବୁ ଗୁରୁତ୍ୱପୂର୍ଣ୍ଣ କାରଣ ଯଦି ସିନ୍ଧୁ ଜଳ ଚୁକ୍ତି ଏବେ ବି କାର୍ଯ୍ୟକ୍ଷମ ଥା’ନ୍ତା, ତେବେ ନିର୍ମାଣ ଆରମ୍ଭ କରିବା ପୂର୍ବରୁ ପାକିସ୍ତାନକୁ ଭାରତ ୬ ମାସର ନୋଟିସ୍ ଦେଇଥାନ୍ତା। ଇସଲାମାବାଦ ପ୍ରକଳ୍ପଗୁଡ଼ିକୁ ବିଳମ୍ବ କିମ୍ବା ବାତିଲ କରିବା ପାଇଁ ଏକାଧିକ ଆଇନଗତ ଚ୍ୟାଲେଞ୍ଜ ସୃଷ୍ଟି କରିଥାନ୍ତା।
ଜଳଭଣ୍ଡାରଗୁଡ଼ିକରୁ ବାଲି ଓ ପଙ୍କ କାଢ଼ିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଥିଲା। କିନ୍ତୁ ସିନ୍ଧୁ ଜଳ ଚୁକ୍ତି କାରଣରୁ ଏହି କାର୍ଯ୍ୟ ହୋଇ ପାରୁ ନଥିଲା। ନିର୍ମାଣ ହେବା ପରଠାରୁ ଭାରତ ଏହାକୁ ସଫା କରିବାରେ ସକ୍ଷମ ହୋଇ ନ ଥିଲା। ବାଲି ଓ ପଙ୍କ କାଢ଼ିବା ପାଇଁ ଜଳଭଣ୍ଡାରକୁ ଶୁଖାଇବାର ଆବଶ୍ୟକ ଥିଲା। ଏହାଦ୍ବାରା ପାକିସ୍ତାନରେ ବନ୍ୟା ଆଶଙ୍କା ରହିଥିଲା। ତେବେ ଶେଷରେ ଏହି କାର୍ଯ୍ୟ କରାଯିବା ଦ୍ୱାରା ଜଳଭଣ୍ଡାରରେ ଅଧିକ ଜଳ ଏବଂ ଅଧିକ ବିଦ୍ୟୁତ୍ ଉତ୍ପାଦନ ହୋଇପାରିବ। ୬୯୦ ମେଗାୱାଟ୍ର ସଲାଲ ଓ ୯୦୦ ମେଗାୱାଟ୍ର ବାଗଲିହାର ପ୍ଲାଣ୍ଟ କ୍ଷମତାଠାରୁ ବହୁତ କମ୍ ବିଜୁଳି ଉତ୍ପାଦନ କରୁଥିଲା। ୬ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ସଂପର୍କରେ ଚଳିତ ସପ୍ତାହରେ ଗୃହମନ୍ତ୍ରୀ, ଜଳସମ୍ପଦ ମନ୍ତ୍ରୀ, ଶକ୍ତିମନ୍ତ୍ରୀ, କୃଷିମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକର ସମ୍ଭାବନା ରହିଛି। ଗୃହମନ୍ତ୍ରୀ ଓ ଜଳସମ୍ପଦ ମନ୍ତ୍ରୀଙ୍କ ମଧ୍ୟରେ ଦୁଇଟି ବୈଠକ ହୋଇ ଚେନାବ ଓ ଝେଲମ୍ ନଦୀରେ ନୂତନ ପ୍ରକଳ୍ପ ଆରମ୍ଭ ଏବଂ ଉଲର୍ ହ୍ରଦର ପୁନରୁଦ୍ଧାର ଉପରେ ଆଲୋଚନା ହୋଇଛି।