ନର୍ମଦା ପ୍ରକଳ୍ପର ସଫଳତା ପରେ ମେଧା ପାଟକରଙ୍କ ବିରୋଧକୁ ନେଇ ପ୍ରଶ୍ନ

ଅହମଦାବାଦ: ନର୍ମଦା ନଦୀ ଉପରେ ସର୍ଦ୍ଦାର ସରୋବର ଡ୍ୟାମ ଗୁଜରାଟର କଚ୍ଛ ଅଂଚଳରେ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏହି ଡ୍ୟାମ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିବା ବେଳେ ଦୀର୍ଘ ୩୦ ବର୍ଷର ‘ନର୍ମଦା ବଚାଓ ଆନ୍ଦୋଳନ’ର ଆଭିମୁଖ୍ୟ ଏବଂ ଏହାର ନେତ୍ରୀ ମେଧା ପାଟକରଙ୍କ ଭୂମିକା ଏବେ ଚର୍ଚ୍ଚାରେ ରହିଛି। ଅନ୍ୟପକ୍ଷରେ ନର୍ମଦା ପ୍ରକଳ୍ପର ସଫଳତାକୁ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ଏକ ପ୍ରସଙ୍ଗ କରିବାକୁ ମଧ୍ୟ ଯୋଜନା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ କଚ୍ଛ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ଭୁଜରେ ନର୍ମଦା ଶାଖା କେନାଲର ମଧ୍ୟ ଉଦଘାଟନ କରିଥିଲେ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହି ଅବସରରେ କହିଥିଲେ ଯେ କଚ୍ଛ ଅଞ୍ଚଳକୁ ଜଳ ଯୋଗାଣ ଏବଂ ବିକାଶଠାରୁ ଦୂରରେ ରଖିବା ପାଇଁ ନର୍ମଦା ନଦୀ ଉପରେ ସର୍ଦ୍ଦାର ସରୋବର ଡ୍ୟାମ ନିର୍ମାଣକୁ ‘ସହରାଞ୍ଚଳ ନକ୍ସଲ’ମାନେ ବିରୋଧ କରୁଥିଲେ। ଲଗାତାର ବିଭ୍ରାନ୍ତି ଓ ଷଡ଼ଯନ୍ତ୍ର ଭିତରେ ବି ନିଷ୍ଠାର ସହ ବିକାଶର ଧାରା ଅବ୍ୟାହତ ରହିଥିଲା ଏବଂ ଏହାର ସୁଫଳ ଏବେ ଲୋକଙ୍କୁ ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ପଟେଲ ଅଭିଯୋଗ କରିଥିଲେ ଯେ ‘ନର୍ମଦା ବଚାଓ ଆନ୍ଦୋଳନ’ର ନେତ୍ରୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା ମେଧା ପାଟକର ଜଣେ ସହରୀ ନକ୍ସଲ (ସହରୀ ନକ୍ସଲ) ଯିଏକି ରାଜନୈତିକ ଉଦ୍ଦେଶ୍ୟରେ ଏହାର ବିରୋଧ କରୁଛନ୍ତି।

ପଟେଲ କହିଥିଲେ, ଏବେ ଯେତେବେଳେ ନର୍ମଦା ଜଳ କଚ୍ଛରେ ପହଞ୍ଚିଛି, ସେତେବେଳେ ମନେ ରଖିବାକୁ ହେବ ଯେ କଚ୍ଛର ଲୋକଙ୍କୁ ନର୍ମଦା ଜଳରୁ ବଞ୍ଚିତ ରଖିବା ଏବଂ ଏହି ଅଞ୍ଚଳକୁ ମରୁଡ଼ିଗ୍ରସ୍ତ ଭାବେ ଛାଡ଼ିଦେବା ପାଇଁ ସହରୀ ନକ୍ସଲମାନେ ଭୀଷଣ ଷଡ଼୍‌ଯନ୍ତ୍ର କରିଥିଲେ। ‘ନର୍ମଦା ବଚାଓ ଆନ୍ଦୋଳନ’ କେବଳ ବିଭ୍ରାନ୍ତି ଉପରେ ଆଧାରିତ ଥିଲା ବୋଲି ସେ ମତ ରଖିଛନ୍ତି। ସ୍ଥାନୀୟ ଲୋକଙ୍କୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ପ୍ରକଳ୍ପର କୁପରିଣାମ କଥା କହି ଭୟଭୀତ କରାଯିବା ସତ୍ତ୍ବେ ଆନ୍ଦୋଳନକାରୀ ସେମାନଙ୍କ ଉଦ୍ଦେଶ୍ୟରେ ସଫଳ ହୋଇନଥିଲେ ଏବଂ ସରକାର ବିକାଶ କାର୍ଯ୍ୟ ଜାରି ରଖିଥିଲେ। ଗୁଜୁରାଟ ତଥା କଚ୍ଛ ଅଂଚଳକୁ ବିକାଶରୁ ଦୂରେଇ ରଖିବା ପାଇଁ ସହରୀ ନକ୍ସଲମାନେ ହିଁ ବିରୋଧର ଜାଲ ବୁଣିଥିଲେ ବୋଲି ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ଏବେ ମେଧା ପାଟକରଙ୍କ ବିରୋଧୀମାନେ ତାଙ୍କୁ ଘେରିଛନ୍ତି ଏବଂ ମେଧାଙ୍କ ଆନ୍ଦୋଳନ ସବୁଦିଗରୁ କିଭଳି ବିକାଶ ବିରୋଧୀ ଥିଲା ସେ ନେଇ ଯୁକ୍ତି ରଖୁଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ଆପ୍‌ ଟିକଟରେ ମୁମ୍ବାଇରୁ ନିର୍ବାଚନ ଲଢ଼ିଥିବା ମେଧାଙ୍କ ରାଜନୈତିକ ଆଭିମୁଖ୍ୟ କିଭଳି ବିକାଶ ବିରୋଧୀ ଥିଲା ତାହାର ଅବତାରଣା ବିଭିନ୍ନ ସଭାରେ ମୁଖ୍ୟମନ୍ତ୍ରୀ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିକାଶକୁ ରୋକିବା ପାଇଁ ହେଉଥିବା ସବୁ ଷଡ଼ଯନ୍ତ୍ରକୁ ଗୁଜରାଟବାସୀ ପଣ୍ଡ କରିଦେଇଛନ୍ତି।

ସମ୍ବନ୍ଧିତ ଖବର