ସୁପ୍ରିମ କୋର୍ଟଙ୍କ ରାୟ ପରେ…ବଲିଉଡ଼ ଓ ରାଜନେତାଙ୍କ ମଧ୍ୟରେ ଭିନ୍ନ ମତ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ନେଇ ଦୀର୍ଘଦିନ ଧରି ଚାଲିଥିବା କଳ୍ପନଜଳ୍ପନାର ଆଜି ଅବସାନ ଘଟିଛି। ସୁପ୍ରିମ କୋର୍ଟ ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ସାରା ଦେଶରେ ଏହାକୁ ନେଇ ଉତ୍ସାହ ପରିଲକ୍ଷିତ ହୋଇଛି। ମହାରାଷ୍ଟ୍ର ପୁଲିସ ଠିକ୍‌ରେ ଏହି ମାମଲାର ତଦନ୍ତ କରୁନାହିଁ ବୋଲି ସୁଶାନ୍ତଙ୍କ ବାପା କେ‌ କେ ସିଂହ ଅଭିଯୋଗ କରିବା ସହ ମାମଲା ସିବିଆଇକୁ ହସ୍ତାନ୍ତର କରିବା ପାଇଁ ପାଟନାରେ ଏକ ଏତଲା ଦେଇଥିଲେ। ସୁପ୍ରିମ କୋର୍ଟ ଉକ୍ତ ଏତଲାକୁ ଠିକ୍ ବୋଲି କହିବା ସହିତ ସିବିଆଇ ତଦନ୍ତ ପାଇଁ ରାସ୍ତା ପରିସ୍କାର ପରିଦେଇଛନ୍ତି। ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ ବଲିଉଡ଼ ଓ ରାଜନେତାଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ସେଥିରୁ କେତେକ ମତ …

ତଦନ୍ତରେ ସହଯୋଗ କରିବେ ରିୟା: ଓକିଲ
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସୁପ୍ରିମ କୋର୍ଟଙ୍କ ଦ୍ବାରା ସିବିଆଇ ତଦନ୍ତ ନିର୍ଦ୍ଦେଶ ଆଜି ଆସିବା ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସିଧାସଳଖ କୌଣସି ମନ୍ତବ୍ୟ ଦେଇନାହାନ୍ତି। ତେବେ ତାଙ୍କ ଓକିଲ ସତୀଶ ମନସିନ୍ଦେ ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁମ୍ବାଇ ପୁଲିସ ଓ ପବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ରିୟା ତଦନ୍ତରେ ଯେଭଳି ସହଯୋଗ କରିଛନ୍ତି ସିବିଆଇକୁ ମଧ୍ୟ ସେହିଭଳି ସହଯୋଗ କରିବେ। ରିୟା ମଧ୍ୟ ସିବିଆଇ ତଦନ୍ତ ପାଇଁ ପୂର୍ବରୁ ଦାବି କରିଥିଲେ ବୋଲି ମନସିନ୍ଦେ କହିଛନ୍ତି। ସମ୍ବିଧାନର ଧାରା ୧୪୨ ବଳରେ ସୁପ୍ରିମ କୋର୍ଟ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିଛନ୍ତି। ଯେକୌଣସି ଏଜେନ୍ସି ତଦନ୍ତ କରିଲେ ମଧ୍ୟ ଯାହା ସତ୍ୟ ତାହା ରହିବ ବୋଲି ସେ କହିଛନ୍ତି।

ଦୀପିକାଙ୍କୁ ଆକ୍ଷେପ କଲେ କଙ୍ଗନା ରାଣାୱତ
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମ୍‌ କୋର୍ଟ ରାୟ ଦେବା ପରେ ଅଭିନେତ୍ରୀ କଙ୍ଗନା ରାଣାୱତ ଖୁସି ବ୍ୟକ୍ତ କରିବା ସହ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ସୁପ୍ରିମ୍‌ କୋର୍ଟଙ୍କ ରାୟ ସୁଶାନ୍ତଙ୍କୁ ଈଶ୍ବରୀୟ ସ୍ତରକୁ ଉନ୍ନୀତ କରିଦେଇଛି। ସୁଶାନ୍ତ ଜଣେ ମଦ୍ୟପ, ଦୁଷ୍କର୍ମକାରୀ, ମାନସିକ ବିକାରଗ୍ରସ୍ତ ରୋଗୀ ଆଦି ଯେଉଁ ଲାଞ୍ଛନା ଲାଗିଥିଲା, ତାହାର ଅନ୍ତ ଘଟିବ । ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତରେ ଯେଉଁପ୍ରକାର ଷଡ଼ଯନ୍ତ୍ର ରହିଛି ତାହା ପଦାକୁ ଆସିବ। ସୁପ୍ରିମ୍‌ କୋର୍ଟଙ୍କ ରାୟ ପରେ ସୁଶାନ୍ତଙ୍କୁ ନ୍ୟାୟ ମିଳିବ । ବଲିଉଡରେ ଯେଉଁଭଳି ମାଫିଆରାଜ ଚାଲିଛି ସିବିଆଇ ତାର ପର୍ଦ୍ଦାଫାସ କରିବ । ଅବସାଦକୁ ନେଇ ଅଭିଯାନ ଚଳାଇଥିବା ଦୀପିକା ପାଦୁକୋନଙ୍କୁ ମଧ୍ୟ କଙ୍ଗନା ଏହି ଅବସରରେ ପରୋକ୍ଷରେ ଆକ୍ଷେପ କରିଛନ୍ତି। ଲୋକେ ଏଭଳି ବ୍ୟକ୍ତିଙ୍କୁ ଔକାତ ଦେଖାଇ ଦେବେ ବୋଲି ସେ କହିଛନ୍ତି।

ମୁମ୍ବାଇ ପୁଲିସ ଠିକ୍‌ ତଦନ୍ତ କରିଛି: ସଞ୍ଜୟ ରାଉତ
ସୁପ୍ରିମ କୋର୍ଟଙ୍କ ରାୟକୁ ନେଇ ରାଜନୀତି କରାନଯାଉ
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ମୁମ୍ବାଇ ପୁଲିସ ଠିକ୍‌ ତଦନ୍ତ କରିଛି। ମହାରାଷ୍ଟ୍ରର ନ୍ୟାୟିକ ବ୍ୟବସ୍ଥା ସମଗ୍ର ଦେଶରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ଏଣୁ ଆଇନ ତା’ ବାଟରେ ଯିବ। କେହି ଆଇନର ଊର୍ଦ୍ଧ୍ବରେ ନୁହଁନ୍ତି ବୋଲି ସଞ୍ଜୟ କହିଛନ୍ତି। ତେବେ ମୁମ୍ବାଇ ପୁଲିସ ସିବିଆଇକୁ ସମସ୍ତ ତଥ୍ୟ ହସ୍ତାନ୍ତର କରିବା ନେଇ ଶ୍ରୀ ରାଉତ ଅଧିକ କିଛି କହିବାକୁ ମନା କରିଛନ୍ତି। ଅପରପକ୍ଷେ, ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ନେଇ ରାଜନୀତି ନ କରିବାକୁ ସଞ୍ଜୟ ନିବେଦନ କହିଛନ୍ତି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆଦିତ୍ୟ ଠାକ୍‌ରେଙ୍କ ସମ୍ପୃକ୍ତି ନେଇ ସଞ୍ଜୟ କିଛି କହିନାହାନ୍ତି।

ସୁଶାନ୍ତଙ୍କ ପରିବାରକୁ ନ୍ୟାୟ ମିଳିବ: ନୀତିଶ
ନୂଆଦିଲ୍ଲୀ: ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରିବ ବୋଲି ସର୍ବୋଚ୍ଚ ଅଦାଲତ ଆଜି ନିର୍ଦ୍ଦେଶ ଦେବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଖୁସି ବ୍ୟକ୍ତ କରିଛନ୍ତି। ଆମକୁ ନ୍ୟାୟ ମିଳିଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇକୁ ହସ୍ତାନର ଦ୍ବାରା ତାଙ୍କ ପରିବାର ନ୍ୟାୟ ପାଇବ ବୋଲି ସେ କହିଛନ୍ତି। ସୁପ୍ରିମ କୋର୍ଟଙ୍କ ରାୟକୁ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ମଧ୍ୟ ସ୍ବାଗତ କରିଛନ୍ତି। ସେହିଭଳି ବିହାର ପୁଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ବର ପାଣ୍ଡେ ମଧ୍ୟ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ‌ ଅଦାଲତ ଉପରେ ଲୋକଙ୍କ ବିଶ୍ବାସକୁ ବଢ଼ାଇ ଦେଇଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଦେଶକୁ ନ୍ୟାୟ ମିଳିବା ନେଇ ସୁପ୍ରିମ କୋର୍ଟ ଆଶ୍ବାସନ ଦେଇଛନ୍ତି ବୋଲି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ପାଣ୍ଡେ କହିଛନ୍ତି।

ସମ୍ବନ୍ଧିତ ଖବର