ସୁଶାନ୍ତଙ୍କ ମୃତ୍ୟୁ ପରେ ‘ଏୟୁ’ଙ୍କୁ ବାରମ୍ବାର ଫୋନ୍‌ କରୁଥିଲେ ରିୟା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପୁଣି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପୁଅ ଆଦିତ୍ୟ ଠାକ୍‌ରେଙ୍କ ନାଁ ଚର୍ଚ୍ଚାକୁ ଆସିଛି। ସୁଶାନ୍ତ ମୃତ୍ୟୁ ପରେ ସୁଶାନ୍ତର ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ‘ଏୟୁ’ ନାମରେ ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ଫୋନ୍‌ କରିଛନ୍ତି ବୋଲି ରିୟାଙ୍କର କଲ୍‌ ଡିଟେଲ୍‌ ରିପୋର୍ଟ (ସିଡିଆର୍‌) କହୁଛି। ରିୟା ବହୁବାର ‘ଏୟୁ’କୁ ଫୋନ୍‌ କରିଛନ୍ତି। ଅପରପକ୍ଷେ, ଆଦିତ୍ୟ ଠାକ୍‌ରେଙ୍କ ଅଫିସିଆଲ୍‌ ଟ୍ବିଟର ହ୍ୟାଣ୍ଡେଲ୍‌ ‘ଆଟ୍‌ ଦି ରେଟ୍‌ ଏୟୁ ଠାକ୍‌ରେ’ ନାମରେ ରହିଛି। ରିୟା ତାଙ୍କ ମୋବାଇଲ୍‌ ଫୋନ୍‌ରେ ଆଦିତ୍ୟ ଠାକ୍‌ରେଙ୍କ ନାମ ‘ଏୟୁ’ ନାମରେ ସେଭ୍‌ କରିଥାଇପାରନ୍ତି ବୋଲି କୁହାଯାଉଛି। ଏହାକୁ ନେଇ ‌ଏବେ ବିରୋଧୀମାନେ ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାରଙ୍କୁ ଘେରିଛନ୍ତି।

ଅପରପକ୍ଷେ, ରିୟା ଚକ୍ରବର୍ତ୍ତୀ ସୁଶାନ୍ତର ମୃତ୍ୟୁ ପରେ କାହିଁକି ବାରମ୍ବାର ଆଦିତ୍ୟ ଠାକ୍‌ରେଙ୍କୁ ଫୋନ୍‌ କରୁଥିଲେ, ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି। ଏଣୁ ବର୍ତ୍ତମାନ ‘ଏୟୁ’ ନାମଧାରୀ ବ୍ୟକ୍ତି କିଏ ତାହାର ଅନୁସନ୍ଧାନ କରିବା ତଦନ୍ତକାରୀ ସଂସ୍ଥା ପାଇଁ ଏକ ବଡ଼ ଆହ୍ବାନ ବୋଲି କୁହାଯାଉଛି। ସେହିଭଳି ‘ଏୟୁ’ ରିୟାଙ୍କର ଜଣେ ବନ୍ଧୁ ‘ଅନନ୍ୟ ଉଦାସ’ଙ୍କର ସଂକ୍ଷିପ୍ତ ନାମ ହୋଇପାରେ ବୋଲି କୁହାଯାଉଛି। ତେବେ ଏହି ‘ଏୟୁ’ ଏବେ ତଦନ୍ତର ବଡ଼ ଦିଗ ହେବ ବୋଲି ବିଚାର କରାଯାଉଛି। ସେହିଭଳି ଗତ ୬ ମାସ ମଧ୍ୟରେ ରିୟା ଚକ୍ରବର୍ତ୍ତୀ ମହେଶ ଭଟ୍ଟଙ୍କୁ ୧୫୦ ଥର ଫୋନ୍‌ କରିଥିବାବେଳେ ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ବିଜ୍‌ନେସ ମ୍ୟାନେଜର ଶ୍ରୁତି ମୋଦୀଙ୍କୁ ୮୦୮ ଥର ଫୋନ୍‌ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର