କଂଗ୍ରେସ ଖେଳିବ କି ‘ହିନ୍ଦୁତ୍ୱ’ କାର୍ଡ ! ‘ମୌନୀ ଅମାବାସ୍ୟା’ରେ ‘ସଙ୍ଗମ’ରେ ବୁଡ଼ ପକାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଆଜି ପବିତ୍ର ‘ମୌନୀ ଅମାବାସ୍ୟା’ ଅବସରରେ କଂଗ୍ରେସର ସାଧାରଣ ସଂପାଦିକା ତଥା ସୋନିଆ ଦୁହିତା ପ୍ରିୟଙ୍କା ସଙ୍ଗରେ କନ୍ୟା ମିରାୟାକୁ ଧରି ଉତ୍ତରପ୍ରଦେଶର ପବିତ୍ର ‘ସଙ୍ଗମ’ ଠାରେ ବୁଡ଼ ପକାଇଛନ୍ତି। ପବିତ୍ର ବୁଡ଼ ପକାଇ ସାରିବା ପରେ ପାରମ୍ପରିକ ପୂଜାର୍ଚ୍ଚନା ସହ ପ୍ରାର୍ଥନା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏ ପ୍ରକାରର କାର୍ଯ୍ୟରେ କୌଣସି ପ୍ରକାରର ଅସ୍ୱାଭିକତା ନାହିଁ କିମ୍ବା ଏହାକୁ କେନ୍ଦ୍ରକରି ଚର୍ଚ୍ଚା ଆଲୋଚନାର ପ୍ରାସଙ୍ଗିକତା ମଧ୍ୟ ନାହିଁ।

ତେବେ ଗତ ସାଧାରଣ ନିର୍ବାଚନରେ କେରଳର ଓ୍ଵାୟାନାଡ୍‌ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ସୋନିଆଙ୍କ ପୁତ୍ର ତଥା ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା ଏବଂ ଏହାକୁ ନେଇ ସେତେବେଳେ ଚର୍ଚ୍ଚା ଆଲୋଚନା ମଧ୍ୟ ହୋଇଥିଲା। ସେତେବେଳେ ଅବଶ୍ୟ ରାହୁଲ କହିଥିଲେ ଯେ ମୁଁ ହିନ୍ଦୁ ପରିବାରର ପିଲା। ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବାରେ ଅସୁବିଧା ରହିଲା କେଉଁଠି? ଏହାପରେ ଅବଶ୍ୟ ଆରମ୍ଭ ହୋଇଥିବା ଚର୍ଚ୍ଚା ଆଲୋଚନା ଥମି ଯାଇଥିଲା। କିନ୍ତୁ, ରାହୁଲ ଗାନ୍ଧୀଙ୍କୁ ଏହାପରେ ଆଉ କୌଣସି ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳି ନ ଥିଲା।

News Nation

ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ୨୭ଟି ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ୧୦ ଦିନିଆ ‘ଜୟ ଯବାନ, ଜୟ କିଷାନ’ ଅଭିଯାନରେ ଯୋଗ ଦେବାକୁ ଯାଉଥିବା ବେଳେ ପ୍ରିୟଙ୍କା ସଙ୍ଗରେ କନ୍ୟା ମିରାୟାକୁ ଧରି ଉତ୍ତରପ୍ରଦେଶର ପବିତ୍ର ‘ସଙ୍ଗମ’ ଠାରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା କରିବା ଘଟଣା ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଚର୍ଚ୍ଚା ଆଲୋଚନାର ବିଷୟ ପାଲଟିଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ହେଲା; ୨୦୧୪ ପରଠାରୁ ଅନୁଷ୍ଠିତ ହୋଇଥିବା ନିର୍ବାଚନଗୁଡ଼ିକରେ ପରାଜୟର ସାମନା କରି କରି କଂଗ୍ରେସ ଏବେ ନିଜ ଉପରୁ ଆସ୍ଥା ହରାଇ ସାରିଲାଣି। ତେଣୁ, ବିଜେପିକୁ ‘ଚେକ୍‌ମେଟ୍‌’ ଦେବା ସହ ହିନ୍ଦୁ ଭୋଟ ହାତେଇବା ଲକ୍ଷ୍ୟରେ କଂଗ୍ରେସ ଏବେ ‘ହିନ୍ଦୁତ୍ୱ’ କାର୍ଡ ଖେଳିବାକୁ ଉଦ୍ୟମ ଆରମ୍ଭ କରିଛି। ତେବେ, ଏଥିରେ ସତ କେତେ ମିଛ କେତେ; ତାହା କେବଳ ଆଗାମୀ ଭବିଷ୍ୟତରେ ହିଁ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର