‘ଟେରୋରିସ୍ତାନ୍‌’ ପରେ ପାକିସ୍ତାନକୁ ‘ସ୍ପେଶାଲ ଟେରୋରିଷ୍ଟ ଜୋନ୍‌’ର ଆଖ୍ୟା ଦେଲା ଭାରତ

ଜେନିଭା: ଆତଙ୍କବାଦର ସମର୍ଥକ ଓ ପୃଷ୍ଠପୋଷକ ପାକିସ୍ତାନକୁ ‘ଟେରୋରିସ୍ତାନ୍‌’, ‘ଆଇଭିଓ୍ଵାଇ ଲିଗ୍‌ ଅଫ୍‌ ଟେରୋରିଜିମ୍‌’ ପ୍ରଭୃତି ଆଖ୍ୟା ପ୍ରଦାନ କରିସାରିଥିବା ଭାରତ, ଗୁରୁବାର ଦିନ ପାକିସ୍ତାନର ଚରିତ୍ର ଓ ସ୍ୱଭାବକୁ ବର୍ଣ୍ଣନା କରିବାକୁ ଯାଇ ଆଉ ଏକ ନୂତନ ଶବ୍ଦର ବ୍ୟବହାର କରିଛି। ଆଉ ସେଇ ନୂତନ ଶବ୍ଦଟି ହେଉଛି, ‘ସ୍ପେଶାଲ ଟେରୋରିଷ୍ଟ ଜୋନ୍‌’।

ଆତଙ୍କବାଦ ଓ ଆତଙ୍କବାଦୀମାନଙ୍କୁ ନିରନ୍ତର ସାହାଯ୍ୟ, ସହଯୋଗ ଓ ସମର୍ଥନ ଦେବା ସହ ଆତଙ୍କବାଦୀମାନଙ୍କୁ ନରାପଦ ଆଶ୍ରୟ ଓ ଅଭୟ ସୁରକ୍ଷା ପ୍ରଦାନ କରୁଥିବା ପାକିସ୍ତାନକୁ ଗୁରୁବାର ଦିନ ମିଳିତ ଜାତିସଂଘ (ୟୁଏନ୍‌)ରେ ଭାରତ ‘ସ୍ପୋଶାଲ ଟେରୋରିଷ୍ଟ ଜୋନ୍‌’ ଭାବେ ବର୍ଣ୍ଣନା କରିଛି। ଏଥିସହ ଆତଙ୍କବାଦ ହେଉଛି ମାନବିକ ଅଧିକାରର ସବୁଠାରୁ ବଡ଼ ଉଲ୍ଲଂଘନ ବୋଲି ମିଳିତ ଜାତିସଂଘର ମାନବିକ ଅଧିକାର କାଉନସିଲ୍‌ (ୟୁଏନ୍‌ଏଚ୍‌ଆର୍‌ସି)ରେ ପାକିସ୍ତାନର ଅଭିଯୋଗ ଉପରେ ଜବାବ ରଖି କହିଛି ଭାରତ।

‘ଆତଙ୍କବାଦୀମାନଙ୍କୁ ସୀମାପାର ଅନୁପ୍ରବେଶ କରାଇ ପାକିସ୍ତାନ ଯେଉଁ ସ୍ପୋଶାଲ ଟେରୋରିଷ୍ଟ ଜୋନ୍‌ର ନିର୍ମାଣ କରାଉଛି ଏବଂ ନିଜ ଦେଶକୁ ଆତଙ୍କବାଦୀମାନଙ୍କ ପାଇଁ ନିରାପଦ ଭୂସ୍ୱର୍ଗ ଓ ଅଭୟାରଣ୍ୟରେ ପରିଣତ କରିଛି, ସେଥିରୁ ବିରତ ରହିବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦେବାକୁ’ କାଉନସିଲ୍‌ଙ୍କ ନିକଟରେ ଦାବି କରିଛନ୍ତି ଜେନିଭା ସ୍ଥିତ ମିଳିତ ଜାତିସଂଘର ମାନବିକ ଅଧିକାର କାଉନସିଲ୍‌ (ୟୁଏନ୍‌ଏଚ୍‌ଆର୍‌ସି)ରେ ଭାରତର ଦ୍ୱିତୀୟ ସଚିବ ଥିବା ମିନି ଦେବି କୁମାମ୍‌।

ଉଲ୍ଲେଖଯୋଗ୍ୟ, ପୂର୍ବରୁ କାଉନସିଲ୍‌ଙ୍କ ନିକଟରେ ପାକିସ୍ତାନ ଅଭିଯୋଗ କରି କହିଥିଲା ଯେ ଭାରତ, ଜମ୍ମୁ- କଶ୍ମିରରେ ମାନବିକ ଅଧିକାରର ଉଲ୍ଲଂଘନ କରୁଛି। ତେବେ, ପାକିସ୍ତାନର ଏପ୍ରକାର ଅଭିଯୋଗର ଉତ୍ତର ରଖି ଶ୍ରୀମତୀ କୁମାମ୍‌ କଉନ୍‌ସିଲଙ୍କୁ କହିଛନ୍ତି ଯେ ଆତଙ୍କବାଦ ହେଉଛି ମାନବିକ ଅଧିକାରର ସବୁଠାରୁ ବଡ଼ ଉଲ୍ଲଂଘନ ହେଉଛି ଆତଙ୍କବାଦ। ଆଉ ଏ ପରିପ୍ରେକ୍ଷୀରେ ଜମ୍ମୁ- କଶ୍ମିରର ସବୁଠାରୁ ବଡ଼ ସମସ୍ୟା ଆତଙ୍କବାଦ, ଯାହାକୁ ସମର୍ଥନ, ପ୍ରୋତ୍ସାହନ ଓ ବଳ ଯୋଗାଇବା ସହ ନିୟନ୍ତ୍ରଣ କରୁଛି ପାକିସ୍ତାନ।

ସମ୍ବନ୍ଧିତ ଖବର