ଜେଜେମାଆଙ୍କ ମୃତ୍ୟୁ ପରେ ପରିବାର କଥା ବଖାଣିଲେ ଓବାମା

ନାଇରୋବି(କେନିଆ): ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଜେଜେମାଆ ସାରା ଓବାମାଙ୍କର ୯୯ ବର୍ଷ ବୟସରେ ଗତକାଲି ପରଲୋକ ହୋଇଛି। ସେ ଓବାମାଙ୍କର ସାବତ ଜେଜେମାଆ ଥିଲେ। କିନ୍ତୁ ପରିବାର ସଦସ୍ୟଙ୍କ ଲାଳନ ପାଳନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା। କେନିଆରେ ବାଳିକା ଓ ଅନାଥ ଶିଶୁଙ୍କ ଶିକ୍ଷା ଦିଗରେ ସେ କାର୍ଯ୍ୟ କରୁଥିଲେ। କେନିଆର କିସୁମୁ ସହରର ଜାରାମୋଗି ଓଗିଙ୍ଗା ଓଡ଼ିଙ୍ଗା ଟିଚିଂ ଆଣ୍ଡ୍ ରେଫ‌ରାଲ ହସ୍ପିଟାଲରେ ଚିକିତ୍ସିତ ହେବା ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ବୋଲି ସାରା ଓବାମାଙ୍କ ଝିଅ ମାରସାଟ୍‌ ଓନିୟାଙ୍ଗୋ ସୂଚନା ଦେଇଛନ୍ତି।

ଜେଜେ‌ମାଆଙ୍କ ମୃତ୍ୟୁ ପରେ ଓବାମାଙ୍କର ତାଙ୍କ ସାବତ ଜେଜେମାଆଙ୍କ ସଂପର୍କରେ ଅନେକ ସୂଚନା ସାମାଜିକ ଗଣମାଧ୍ୟମରେ ଦେଇଛନ୍ତି। ସାଧାରଣରେ ତାଙ୍କ ସାବତ ଜେଜେମାଆ ‘ମାମା ସାରା’ ନାମରେ ପରିଚିତ ଥିଲେ ମଧ୍ୟ ନିଜ ପରିବାର ସଦସ୍ୟଙ୍କ ନିକଟରେ ସେ ‘ଡାନି’ ନାମରେ ଜଣାଶୁଣା ଥିଲେ। ଆମେ ତାଙ୍କ ଅଭାବ ଅନୁଭବ କରିବୁ। କିନ୍ତୁ ତାଙ୍କର ଦୀର୍ଘ ଏବଂ ଉଲ୍ଲେଖନୀୟ ଜୀବନକୁ ଆମେ କୃତଜ୍ଞତାର ସହିତ ପାଳନ କରିବୁ ବୋଲି ଓବାମା ଟ୍ବିଟ୍‌ କରି କହିଛନ୍ତି। ଶୋକ ବାର୍ତ୍ତା ସହିତ ଓବାମା ତାଙ୍କ ଜେଜେମାଆଙ୍କ ସହ ଗାଁରେ ଉଠାଇଥିବା ଏକ ଫଟୋକୁ ସେୟାର କରିଛନ୍ତି। ‌ଓବାମାଙ୍କ ଏହି ଫଟୋ ଏବଂ ଲେଖା ଚର୍ଚ୍ଚାର ବିଷୟ ପାଲଟିଛି। ଓବାମା ଲେଖିଛନ୍ତି, ସେ ଯଦିଓ ସାବତ ଜେଜେମାଆ ଥିଲେ ତଥାପି ତାଙ୍କ ବାପାଙ୍କୁ ସେ ନିଜ ପୁଅ ଭଳି ବଢ଼ାଇଥିଲେ। ଜେଜେମାଆଙ୍କ ଉତ୍ସାହ ଓ ଭଲ ପାଇବା ଯୋଗୁ ବାପା ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆମେରିକା ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ବୃତ୍ତି ପାଇପାରିଥିଲେ।

ଜଟିଳ ପରିସ୍ଥିତି ସମୟରେ ଜେଜେମାଆଙ୍କ ଘର ଥିଲା ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ଆଶ୍ରୟସ୍ଥଳ। ବାପାଙ୍କ ମୃତ୍ୟୁ ପରେ ମୁଁ ଯେତେବେଳେ ପ୍ରଥମେ ମୋ ପରିବାରର ଐତିହ୍ୟ ଏବଂ ବାପାଙ୍କ ସଂପର୍କରେ ଅଧିକ ଜାଣିବା ପାଇଁ କେନିଆ ଯାଇଥିଲି ସେତେବେଳେ ଜେଜେ‌ମାଆ ହିଁ ଆମ ପରିବାରର ଅତୀତ ସଂପର୍କରେ ସୂଚନା ପାଇବା ନିମନ୍ତେ ଥିଲେ ଏକ ସେତୁ ସଦୃଶ। ତାଙ୍କ ଦ୍ବାରା ବର୍ଣ୍ଣିତ କଥାଗୁଡ଼ିକ ହିଁ ମୋ ଭିତରେ ଥିବା ଶୂନ୍ୟତାକୁ ପୂରଣ କରିବାରେ ସହାୟକ ହୋଇଥିଲା ବୋଲି ଓବାମା ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର