୨ ଡାକ୍ତର ପୁଅ ପଚାରିଲେନି; ସ୍ବାମୀଙ୍କ ମୃତ୍ୟୁପରେ ଘରେ ହିଁ ପୋଡ଼ିଦେଲେ ମହିଳା

୧୫ ବର୍ଷ ଧରି ଏକାକୀ ଅସୁସ୍ଥ ସ୍ବାମୀଙ୍କ ସେବା କରି ଆସୁଥିଲେ

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶର କର୍ନୁଲ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହେବାପରେ ସ୍ବାମୀଙ୍କୁ ଏକାକୀ ଘରେ ପୋଡ଼ିଦେଇଛନ୍ତି। ପୁଅ କିମ୍ବା କିମ୍ବା ପାଖ ପଡ଼ିଶା ଓ ସମ୍ପର୍କୀୟ କାହାକୁ କିଛି ନଜଣାଇ ସେ ଏକା ଶବସଂସ୍କାର କର‌ିଦେଲେ। ମହିଳାଙ୍କ ଏହି ଚରମ ନିଷ୍ପତ୍ତି ପଛର କାରଣ ହେଉଛନ୍ତି ତାଙ୍କର ୨ ପୁଅ। ଜଣେ ପୁଅ ଏକ ଘରୋଇ ହସ୍ପିଟାଲ୍‌ରେ ଡାକ୍ତର ଥିବାବେଳେ ଅନ୍ୟ ଜଣେ ପୁଅ ବିଦେଶରେ ଡାକ୍ତର ଅଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି କେହି ବି ବାପା ମା’ଙ୍କୁ ପଚାରିଲେନି। ଉକ୍ତ ମହିଳାଙ୍କ ନାଁ ଲଳିତା। ବୟସ ୫୫। ସେ ଏବଂ ତାଙ୍କ ସ୍ବାମୀ ପି ହରି କ୍ରୀଷ୍ଣା (୬୦) କର୍ନୁଲ ଜିଲ୍ଲାର ପଠିକୋଣ୍ଡାରେ ଏକାକୀ ରହୁଥିଲେ। ଲଳିତାଙ୍କ ସ୍ବାମୀ ଥିଲେ ଶଯ୍ୟାସାୟୀ। ବିଭିନ୍ନ ରୋଗରେ ସେ ଆକ୍ରାନ୍ତ ଥିଲେ। ଦୀର୍ଘ ୧୫ ବର୍ଷ ଧରି ଲଳିତା ତାଙ୍କ ସ୍ବାମୀଙ୍କର ସେବା କରି ଆସୁଥିଲେ। ଲଳିତା ଏକ ମେଡିସିନ୍‌ ଦୋକାନ ଚଳାଇବା ସହ ନିଜ ସ୍ବାମୀଙ୍କର ସବୁ କଥା ବୁଝୁଥିଲେ। ଦୁଇ ପୁଅ ସେମାନଙ୍କୁ ପଚାରୁନଥିଲେ କି ପାଖକୁ ଆସୁନଥିଲେ। ଲଳିତାଙ୍କ ବଡ଼ ପୁଅ ନାଁ ଦିନେଶ (୩୨) । ସେ କର୍ନୁଲ୍‌ରେ ଏକ ଘରୋଇ ହସ୍ପିଟାଲରେ କାମ କରନ୍ତି। ତାଙ୍କ ସାନ ପୁଅ ମୁକେଶ (୩୦) କାନାଡ଼ାରେ ରହୁଛନ୍ତି।

ସୋମବାର ଦିନ ସକାଳେ ଲଳିତାଙ୍କ ସ୍ବାମୀ ହରି କ୍ରୀଷ୍ଣାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଗଲା। ସ୍ବାମୀଙ୍କର ମୃତ୍ୟୁ ହେବାପରେ ଲଳିତା କାହାକୁ କିଛି କହିନଥିଲେ। ନିଜ ସ୍ବାମୀଙ୍କୁ ସେ ନିଜେ ହିଁ ପୋଡ଼ିବାକୁ ନିଷ୍ପତ୍ତି ନେଲେ। ପୁରୁଣା କାର୍ଡବୋର୍ଡ ଏବଂ ବହିପତ୍ର ବ୍ୟବହାର କରି ସେ ତାଙ୍କ ସ୍ବାମୀଙ୍କୁ ଘରେ ହିଁ ପୋଡ଼ିଥିଲେ। ଘରୁ ଧୁଆଁ ବାହାରିବାର ଦେଖି ପାଖ ପଡ଼ୋଶୀ ପୁଲିସରେ ଖବର ଦେଇଥିଲେ। ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିବାବେଳକୁ ମୃତ ଶରୀର ୮୦ ପ୍ରତିଶତ ପୋଡ଼ି ଯାଇଥିଲା। ପଠିକୋଣ୍ଡା ଅର୍ବାନ ସର୍କଲ ଇନ୍ସପେକ୍ଟର କେ ମୁରଲି ମୋହନ କହିଛନ୍ତି , ଦୁଇ ପୁଅ ପଚାରୁନଥିବାରୁ ଲଳିତା ଖୁବ୍‌ ବିଷାଦରେ ଥିଲେ ଏବଂ ହତାଶାରେ ସେ ଏଭଳି କାଣ୍ଡ ଘଟାଇଛନ୍ତି।

ସମ୍ବନ୍ଧିତ ଖବର