୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ମାତ୍ର ଦୁଇ ଜଣ ସମ୍ପତ୍ତି କିଣିଛନ୍ତି

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ୩୭୦ ଧାରାରେ ମିଳିଥିବା ସ୍ବତନ୍ତ୍ର ମାନ୍ୟତା ୨୦୧୯ ଅଗଷ୍ଟରେ ଉଚ୍ଛେଦ ହେବା ପରେ ଏଠାରେ ବାହାର ରାଜ୍ୟର ମାତ୍ର ଦୁଇ ଜଣ ବ୍ୟକ୍ତି ଦୁଇଟି ସ୍ଥାବର ସମ୍ପତ୍ତି କିଣିଛନ୍ତି। ୩୭୦ ଧାରା ଉଚ୍ଛେଦ ପରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରରେ ବାହାର ରାଜ୍ୟର କେତେ ଲୋକ ଜମି କିଣିଛନ୍ତି ଓ କେତେ ଲୋକ କିଣିବାକୁ ଆଗ୍ରହୀ ବୋଲି ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏହି ସୂଚନା ଦେଇଛନ୍ତି। ବାହାର ରାଜ୍ୟର ଲୋକଙ୍କୁ ଏଠାରେ ଜମି କିଣିବାରେ କୌଣସି କଠିନତାର ସମ୍ମୁଖୀନ ହେବାକୁ ପଡ଼ୁଛି କି ବୋଲି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ଏ ପର୍ଯ୍ୟନ୍ତ ସେପରି କିଛି ଦୃଷ୍ଟାନ୍ତ ସରକାରଙ୍କ ନଜରକୁ ଆସି ନାହିଁ।

ପୂର୍ବରୁ ବାହାର ରାଜ୍ୟର ଲୋକ ଜମ୍ମୁ-କାଶ୍ମୀରରେ ଜମି ବା ସ୍ଥାବର ସମ୍ପତ୍ତି କିଣିପାରିବେ ନାହିଁ କିମ୍ବା ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ ନାହିଁ ବୋଲି ନିୟମ ଥିଲା। ୩୭୦ ଧାରା ଉଚ୍ଛେଦ ପରେ ସେହି ନିୟମରେ ପରିବର୍ତ୍ତନ ହୋଇଛି। ନୂତନ ନିୟମ ଅନୁସାରେ ଯେଉଁମାନେ ଏଠାରେ ୧୫ ବର୍ଷ ବା ତଦୂର୍ଦ୍ଧ୍ବ କାଳ ଧରି ବାସ କରିଆସୁଛନ୍ତି, ସେମାନେ ସ୍ଥାବର ସମ୍ପତ୍ତି କ୍ରୟ କରିପାରିବେ ଓ ସ୍ଥାୟୀ ବାସିନ୍ଦା ହୋଇପାରିବେ। ତା’ଛଡ଼ା ଯେଉଁ କେନ୍ଦ୍ର ସରକାରୀ କର୍ମଚାରୀ ଏଠାରେ ଅନ୍ତତଃ ୧୦ ବର୍ଷ ଚାକିରି କରିଛନ୍ତି, ସେମାନେ ବା ସେମାନଙ୍କ ସନ୍ତାନସନ୍ତତି ବି ଏଠାରେ ସ୍ଥାୟୀ ବାସିନ୍ଦା ହେବା ସହ ଜମି ବା ଘର କିଣିପାରିବେ।

ସମ୍ବନ୍ଧିତ ଖବର