ଭୂକମ୍ପ ପରେ ଦାଉ ସାଧିଛି ବରଫ ବର୍ଷା: ତୁର୍କୀରେ ମାନବୀୟ ସଂକଟ, ଉଦ୍ଧାର ପାଇଁ ଚାଲିଛି ସଂଘର୍ଷ

ଭାରତରେ ଥିବା ତୁର୍କୀ ନାଗରିକ ଚିନ୍ତିତ, ସତ ହେଲା ବିଶେଷଜ୍ଞଙ୍କ ପୂର୍ବାନୁମାନ

ଇସ୍ତାନବୁଲ୍‌: ୨୪ ଘଣ୍ଟା ମଧ୍ୟରେ ତୁର୍କୀରେ ତିନି ଥର ଶକ୍ତିଶାଳୀ ଭୂମିକମ୍ପରେ ଏହି ଦେଶ ସମେତ ସିରିୟାର ଅଧିକାଂଶ ଅଞ୍ଚଳ ଥରି ଉଠିଛି। ପାହାନ୍ତାରେ ଲୋକମାନେ ନିଘୋଡ଼ ନିଦରେ ଶୋଇଥିଲେ। ଏତିକି ବେଳେ ରାତି ପ୍ରାୟ ୪ଟା ୧୦ ମିନିଟ ବେଳେ ଭୂମିକମ୍ପ ହୋଇଥିଲା। ଏଥିରେ ତୁର୍କୀ ଓ ସିରିୟାବାସୀ କିଛି ବୁଝିବା ପୂର୍ବରୁ ଅନେକଙ୍କ ଜୀବନ ଚାଲି ଯାଇଥିଲା। ଘର ଭାଙ୍ଗିଯିବା ଦ୍ବାରା ଅନେକ ବ୍ୟକ୍ତି କଂକ୍ରିଟ୍ ଘର ଭିତରେ ଚାପି ହୋଇ ରହିଥିଲେ। ସବୁଠି ଉଦ୍ଧାର ପାଇଁ ଆର୍ତ୍ତ ଚିତ୍କାର ଶୁଣିବାକୁ ମିଳୁଥିଲା। ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ମାନେ ସଂପର୍କୀୟଙ୍କ ବିୟୋଗ ସହିତ ନିଜର ଅଭାବନୀୟ ଅବସ୍ଥାକୁ ନେଇ ମ୍ରିୟମାଣ ହୋଇ ପଡ଼ିଛନ୍ତି। ତୁର୍କୀ ଓ ସିରିୟା‌ରେ ଏବେ ଶୀତଦିନ। ପ୍ରବଳ ବରଫପାତ ସହିତ ବର୍ଷା ମଧ୍ୟ ହେଉଛି। ଲୋକେ ଘର ଭିତରେ ରହିବା କଷ୍ଟକର ହୋଇଥିଲେ ବି ୨୪ ଘଣ୍ଟାରେ ୩ ଥର ବଡ଼ ଭୂମିକମ୍ପ ଏବଂ ୧୨୦ରୁ ଅଧିକ ଥର ଝଟ୍‌କା ଅନୁଭୂତ ସେମାନଙ୍କୁ ଗଭୀର ଆଘାତ ଦେଇଛି। ଏଭଳି ସ୍ଥିତିରେ ଲୋକମାନେ ‌ଯାହା ପିନ୍ଧିଥିଲେ ସେତିକିରେ ଆସି ରାସ୍ତା ଓ ଖୋଲା ଆକାଶ ତଳରେ ଶୀତରେ ଥରୁଛନ୍ତି।

ବିଶେଷକରି ମହିଳା ଏବଂ ଛୋଟପିଲାମାନଙ୍କ ଦୁଃଖ ଉଦ୍ଧାରକାରୀଙ୍କ ଆଖିରେ ଲୁହ ଆଣି ଦେଇଛି। ବାରମ୍ବାର ଝଟ୍‌କା ଅନୁଭୂତ ହେଉଥିବା‌ରୁ ଲୋକମାନେ ଘର ଭିତରକୁ ଯିବାପାଇଁ ପ୍ରବଳ ଭୟ କରୁଛନ୍ତି। ଭଙ୍ଗା ଘର ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ଉଦ୍ଧାରକାରୀ ଟିମ୍ ସଂଘର୍ଷ ଜାରି ରଖିଛନ୍ତି। ଭୂମିକମ୍ପ, ଶୀତ, ବରଫପାତ ଭଳି ପ୍ରକୃତିର କୋପ ସାଙ୍ଗକୁ ଖାଦ୍ୟ, ଔଷଧ ଅଭାବ ଓ ଅନ୍ୟାନ୍ୟ ସମସ୍ୟା ଜୀବନକୁ ଦୟନୀୟ କରିପକାଇଛି।

ଭାରତରେ ଥିବା ତୁର୍କୀ ନାଗରିକ ଚିନ୍ତିତ

ନୂଆଦିଲ୍ଲୀ: ଗୋଟିଏ ଦିନରେ ୩ ଥର ଭୂକମ୍ପ ତୁର୍କୀକୁ ଅଧିକାଂଶ ଅଞ୍ଚଳକୁ ଧ୍ବଂସସ୍ତୁପରେ ପରିଣତ କରିଛି। ସାରା ବିଶ୍ବରେ ଏହି ଖବର ଆତଙ୍କ ଖେଳାଇ ଦେଇଛି। ଇତି ମଧ୍ୟରେ ଭାରତରେ ଥିବା ତୁର୍କୀ ନାଗରିକ ସେମାନଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ସେମାନଙ୍କ ସହ ଟେଲିଫୋନ୍‌ରେ ଯୋଗାଯୋଗ ହୋଇପାରୁନି କି ସୋସିଆଲ ମିଡିଆରେ ବି ଯୋଗାଯୋଗ ହୋଇପାରୁନି। ୨୦୧୫ରୁ ଭାରତରେ ରହୁଥିବା ଜଣେ ତୁର୍କୀ ନାଗରିକ ବୁର୍କୁ ୟାଗିଜ (୪୧) କହିଛନ୍ତି, ସିରିୟା ସୀମାର ହତୟରେ ତାଙ୍କ ଜନ୍ମସ୍ଥଳରେ ତାଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ହୋଇପାରୁନି। ଫୋନ୍‌ ଲାଗୁନି। ସେମାନେ ଭଗ୍ନ କୋଠାତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ବୁର୍କୁଙ୍କର ଆହୁରି ଅନେକ ସମ୍ପର୍କୀୟଙ୍କର ମଧ୍ୟ ମୃତ୍ୟୁ ହୋଇଛି ବୋଲି ସେ ଆଶଙ୍କା କରୁଛନ୍ତି। ଦିଲ୍ଲୀର ସିଟି ୱାକ୍‌ ମଲ୍‌ରେ କାର୍ଯ୍ୟ କରୁଥିବା ଅନ୍ୟ ଜଣେ ତୁର୍କୀ ନାଗରିକ ଉନସାଲ ଅଲତୁର୍କା (୩୫) ମଧ୍ୟ ତାଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ ଖୁବ୍‌ ଭୟରେ ଅଛନ୍ତି ବୋଲି ଉନସାଲ କହିଛନ୍ତି।

ସତ ହେଲା ବିଶେଷଜ୍ଞଙ୍କ ପୂର୍ବାନୁମାନ
ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିୟାରେ ହୋଇଥିବା ଭୟଙ୍କର ଭୂକମ୍ପ ସାରା ବିଶ୍ବରେ ଆଲୋଡ଼ନ ଖେଳାଇ ଦେଇଛି। ଭୂକମ୍ପ ଯୋଗୁଁ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ‌ହେଉଛି ଜଣେ ବିଶେଷଜ୍ଞ ଏହି ଭୂକମ୍ପର ପୂର୍ବାନୁମାନ କରିଥିଲେ। ସଲାର ସିଷ୍ଟମ ଜିଓମେଟ୍ରି ସ‌ର୍ଭେ (ଏସଏସଜିଇଓଏସ)ର ବିଶେଷଜ୍ଞ ଫ୍ରା‌ଙ୍କ ହୁଗରବିଟ୍‌ସ ଏହି ପୂର୍ବାନୁମାନ କରିଥିଲେ। ଫ୍ରାଙ୍କ୍‌ ଏକ ଟ୍ବିଟ୍‌ କରି କହିଥିଲେ ଯେ ଖୁବ୍‌ଶୀଘ୍ର କିମ୍ବା ପରେ ଦକ୍ଷିଣ-କେନ୍ଦ୍ରୀୟ ତୁର୍କୀ, ଜୋର୍ଡାନ, ସିରିୟା ଏବଂ ଲେବାନନ୍‌ରେ ୭.୫ ତୀବ୍ରତାର ଭୂକମ୍ପ ହେବ। କିନ୍ତୁ ‌ସେ କିଭଳି ଭୂକମ୍ପର ପୂର୍ବାନୁମାନ କରୁଛନ୍ତି ସେନେଇ ଟ୍ବିଟରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଭୂକମ୍ପର କିଛି ସମୟ ପରେ ବିଶେଷଜ୍ଞ ଫ୍ରାଙ୍କ୍‌ ତାଙ୍କର ପୁରୁଣା ଟ୍ବିଟ୍‌କୁ ରିଟ୍ବିଟ୍‌ କରିଥିଲେ। ଫ୍ରାଙ୍କ୍‌ଙ୍କ ପୂର୍ବାନୁମାନ ସତ ‌ହେବାପରେ ସେ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର