ଏକଜିଟ୍ ପୋଲ୍ ପରେ ଦଳମାନେ ତତ୍ପର: ଗୋଆ, ଉତ୍ତରାଖଣ୍ଡରେ ଛୋଟ ଛୋଟ ଦଳ ଉପରେ ନଜର

ଇଭିଏମ୍‌ ଚାଲାଣ ହେଉଛି: ଅଖିଳେଶ, ୩୦୦ ଆସନ ଜିତିବୁ: ଶିବପାଲ୍‌, ଅମିତ ଶାହଙ୍କୁ ଭେଟିଲେ ଅମରିନ୍ଦର

ନୂଆଦିଲ୍ଲୀ: ୟୁପି ସମତେ ୫ଟି ରାଜ୍ୟରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତା ୧୦ ତାରିଖରେ ଜଣାପଡ଼ିବ। ତେବେ ଗତକାଲି ଏକଜିଟ୍ ପୋଲ୍ ବା ବୁଥ ବାହୁଡ଼ା ମତ ପ୍ରକାଶ ପାଇବା ପରେ ବିଭିନ୍ନ ଦଳ ପକ୍ଷରୁ ସରକାର ଗଠନ ନେଇ ତତ୍ପରତା ପ୍ରକାଶ ପାଇଲାଣି। ୟୁପିରେ ବିଜେପି ଏବଂ ପଞ୍ଜାବରେ ଆପ୍ ଜିତିବ ବୋଲି ପ୍ରାୟ ସମସ୍ତ ସର୍ଭେ ସଂସ୍ଥା ରି‌େପାର୍ଟ ଦେଇଛନ୍ତି। କିନ୍ତୁ ଅନ୍ୟ ତିନିଟି ରାଜ୍ୟ ଗୋଅା, ଉତ୍ତରାଖଣ୍ଡ ଏବଂ ମଣିପୁରରେ ଝୁଲା ବିଧାନସଭା ହେବ ବୋଲି ଏକଜିଟ୍ ପୋଲ ରିପୋର୍ଟ ପରେ ସରକାର ଗଠନ ପାଇଁ ଏବେ ଠାରୁ ବୁଝାମଣା କଥାବାର୍ତା ଆରମ୍ଭ ହୋଇଗଲାଣି। ବିଜେପି ଛୋଟ ଛୋଟ ଦଳ ଉପରେ ଆଖି ପକାଇଥିବା ବେଳେ ବି‌େରାଧୀ ଦଳମାନେ ସେମାନଙ୍କର ସଭ୍ୟଙ୍କୁ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଛନ୍ତି।

୪୦ ସଭ୍ୟ ବିଶିଷ୍ଟ ଗୋଆରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ରହିଛି। ରାଜ୍ୟରେ ସରକାର ଗଠନରେ ଛୋଟ ଛୋଟ ଦଳ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି। ଆପ୍ ଓ ତୃଣମୂଳ କଂଗ୍ରେସ ସହ ବୁଝାମଣା କରିବାକୁ କଂଗ୍ରେସ ଉଦ୍ୟମ ଚଳାଇଛି। ଏଥିପାଇଁ ଦଳର ବରିଷ୍ଠ ନେତା ପି.ଚିଦମ୍ବରମ ଗୋଆରେ ଡେରା ପକାଇଛନ୍ତି। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ସର୍ବାଧିକ ଆସନ ପାଇଥିଲେ ମଧ୍ୟ ଅନ୍ୟ ଦଳର ସହାୟତା ନେଇ ବିଜେପି ସରକାର ଗଠନ କରିଥିଲା। କଂଗ୍ରେସର ଭୁଲ ରଣନୀତି ଯୋଗୁଁ ଦଳ କ୍ଷମତା ହାତଛଡ଼ା କରିଥିଲା। ସେହି ଭୁଲର ଯେପରି ପୁନରାବୃତ୍ତି ନହେବ ସେଥିଲାଗି ଦଳ ଉଦ୍ୟମ ଚଳାଇଛି। ସେପ‌େଟ ବିଜେପି ମଧ୍ୟ ଆଜି ଏକ ଜରୁରୀ ବୈଠକରେ ଛୋଟଛୋଟ ଦଳମାନଙ୍କ ସହିତ କଥାବାର୍ତା ଅାରମ୍ଭ କରିଛି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଗୋଆର ବିଜେପି ପ୍ରଭାରୀ ଦେବେନ୍ଦ୍ର ଫଡ଼ନବିସଙ୍କ ସହ ମଧ୍ୟ ପ୍ରମୋଦ ଏକ ବୈଠକ କରିବେ। ବିଜେପି ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମ୍‌ଜିପି) ଓ ଜିତିବାର ସମ୍ଭାବନା ଥିବା ସ୍ବାଧୀନ ପ୍ରାର୍ଥୀମାନଙ୍କ ସହ କଥାବାର୍ତ୍ତା କରୁଥିବା ବିଶ୍ବାସ କରାଯାଉଛି। କିନ୍ତୁ ଏମ୍‌ଜିପି ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାୱନ୍ତଙ୍କୁ ସମର୍ଥନ କରିବାକୁ ରାଜି ନୁହେଁ। କାରଣ ୨୦୧୯ରେ ମନୋହର ପାରିକରଙ୍କ ଦେହାନ୍ତ ପରେ ସେ ଗୋଆ କ୍ୟାବିନେଟରୁ ତାଙ୍କ ସଦସ୍ୟଙ୍କୁ ବାହାର କରିଦେଇଥିଲେ। ଏମ୍‌ଜିପି ଓ ଅନ୍ୟ ଦଳମାନେ ସୂଚନା ଦେଇଛନ୍ତି ଯେ ସମର୍ଥନ ପାଇବାକୁ ହେଲେ ସେମାନଙ୍କୁ ସର୍ତ୍ତ ମାନିବାକୁ ପଡ଼ିବ ଓ ତାହା ହେଉଛି ମୁଖ୍ୟମନ୍ତ୍ରୀ ପଦ। ସରକାରକୁ ବଞ୍ଚାଇବା ପାଇଁ ସାୱନ୍ତଙ୍କୁ ବଳିଦେବା ବିଜେପି ପାଇଁ ସମସ୍ୟା ଠିଆ କରାଇପାରେ।

ଏକ୍‌ଜିଟ୍ ପୋଲ୍ ଅନୁସାରେ ଉଭୟ କଂଗ୍ରେସ ଓ ବିଜେପି ୧୬ଟି ଲେଖାଏଁ ଆସନ ଜିତିବାର ସମ୍ଭାବନା ଅଛି। ସରକାର ଗଢ଼ିବା ପାଇଁ ଆଉ ୫ଟି ଆସନ ଦରକାର।
ଉତ୍ତରାଖଣ୍ଡ ଏବଂ ମଣିପୁରରେ ମଧ୍ୟ ସମାନ ପରିସ୍ଥିତି। ଏକଜିଟ୍ ପୋଲ୍ ଅନୁସାରେ ୭୦ ଆସନ ମଧ୍ୟରୁ ବିଜେପି ସର୍ବାଧିକ ୩୫ ଆସନ ପାଇବାକୁ ଥିବା ବେଳେ କଂଗ୍ରେସକୁ ୩୨ଟି ମିଳିପାରେ। ଅନ୍ୟ ତିନି ଜଣ ସ୍ବାଧୀନ ବିଧାୟକଙ୍କୁ ଆଣିବା ଲାଗି ଉଭୟ କଂଗ୍ରେସ ଓ ବିଜେପି ଉଦ୍ୟମ ଚଳାଇଛନ୍ତି।

ଅନ୍ୟପକ୍ଷରେ ଏକଜିଟ୍ ପୋଲ୍ ରିପୋର୍ଟ ଗ୍ରହଣ କରିବାକୁ ନାରାଜ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ସେ ଅଭିଯୋଗ କରିଛନ୍ତି ଯେ ପଇସା ଖାଇ ସର୍ଭେ ଏଜେନ୍ସି ଏପରି ରି‌ପୋର୍ଟ ଦେଇଛନ୍ତି। ତାଙ୍କ ଦଳ ୩୦୦ରୁ ଅଧିକ ଆସନ ପାଇବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ ଅଭି‌ଯୋଗ କରିଛନ୍ତି ଯେ ନିର୍ବାଚନ ଅଧିକାରୀମାନେ ଇଭିଏମ୍‌ ଜା‌ଲିଆତି କରିଛନ୍ତି ଏବଂ ସେ ନିର୍ବା‌ଚନ କମିସନ୍‌କୁ ବିଶ୍ବାସକୁ ନେଇପାରିବେ ନାହିଁ। ବାରଣାସୀ ଜିଲ୍ଲା ମାଜିଷ୍ଟ୍ରେଟ୍‌ ସ୍ଥାନୀୟ ପ୍ରାର୍ଥୀଙ୍କୁ କୌଣସି ସୂଚନା ନଦେଇ ଇଭିଏମ୍‌ ପରିବହନ କରୁଛନ୍ତି। ଆମେ ଏହା ବିରୋଧରେ କୋର୍ଟ ଯାଇପାରିବୁ। ତେବେ ମାଜିଷ୍ଟ୍ରେଟ୍ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ମତଦାନ ହୋଇଥିବା ମେସିନ୍ ନୁହେଁ, ଅନ୍ୟ ଇଭିଏମକୁ ତାଲିମ୍ ପାଇଁ ନିଆଯାଉଛି।

୩୦୦ ଆସନ ଜିତିବୁ: ଶିବପାଲ୍‌
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଏକ୍‌ଜିଟ୍‌ ପୋଲ ଗତକାଲି ସନ୍ଧ୍ୟାରେ ପ୍ରକାଶ ପାଇଥିବା ବେଳେ ଏଥିରେ ବିଜେପି ପୁଣି ଥରେ ସରକାର ଗଠନ କରିବ ବୋଲି ଦର୍ଶାଯାଇଛି। ତେବେ ସମାଜବାଦୀ ପାର୍ଟି ନେତାମାନେ ଦଳ ୩୦୦ରୁ ଅଧିକ ଆସନ ହାସଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ସପା ସୁପ୍ରିମୋ ଅଖିଳେଶଙ୍କ ଚାଚା ଶିବପାଲ ଯାଦବ ଆଜି କହିଛନ୍ତି ଯେ ଆମେ ୩୦୦ ଆସନରେ ଜିତିବୁ ଏବଂ କର୍ମୀମାନେ କେବଳ ଭୋଟ୍‌ ଗଣତି କେନ୍ଦ୍ରଗୁଡ଼ିକ ଉପରେ ସତର୍କ ନଜର ରଖିବାକୁ ହେବ। ଏକ୍‌ଜିଟ୍‌ ପୋଲ୍‌ ପରିଣାମକୁ ଶିବପାଲ ବିଭ୍ରାନ୍ତିକର ଏବଂ ଅବିଶ୍ବସନୀୟ ବୋଲି କହିଛନ୍ତି।

ଅମିତ ଶାହଙ୍କୁ ଭେଟିଲେ ଅମରିନ୍ଦର
ନୂଆଦିଲ୍ଲୀ : ପଂଜାବରେ ଆପ୍‌ ସମସ୍ତଙ୍କୁ ଚମକାଇ କ୍ଷମତାକୁ ଆସିବ ବୋଲି ପ୍ରାୟ ସମସ୍ତ ଏକ୍‌ଜିଟ୍‌ ପୋଲ୍‌ରେ କୁହାଯିବା ପରେ କଂଗ୍ରେସ ଶିବିରରେ ନୈରାଶ୍ୟ ଦେଖିବାକୁ ମିଳିଛି। ବିଜେପି ମେଣ୍ଟ ମଧ୍ୟ ଦୟନୀୟ ଭାବେ ବିଫଳ ହେବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ​​ବିଜେପି ନେତୃତ୍ୱାଧୀନ ମିଳିତ ମଞ୍ଚ ଭଲ ପ୍ରଦର୍ଶନ କରିବ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ସଭାପତି କ୍ୟାପଟେନ ଅମରିନ୍ଦର ସିଂହ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଅମରିନ୍ଦର ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ ତାଙ୍କ ମେଣ୍ଟ ଭଲ ପ୍ରଦର୍ଶନ କରିବ ବୋଲି ମୁଁ ଆଶାବାଦୀ। ତେବେ ମୁଁ ପଣ୍ଡିତ ନୁହେଁ କି ଭବିଷ୍ୟବାଣୀ କରିପାରିବି ନାହିଁ ବୋଲି ସେ କହିଛନ୍ତି।

ଭିଭିପାଟ୍‌ ଯାଞ୍ଚ ଆବେଦନର ଶୁଣାଣି ଆଜି
ନୂଆଦିଲ୍ଲୀ: ଭୋଟ୍ ଗଣନା ପୂର୍ବରୁ ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରାୟାଲ (ଭିଭିପାଟ୍‌) ଯାଞ୍ଚ ପାଇଁ ହୋଇଥିବା ଆବେଦନର ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଏନ୍‌ ଭି ରମଣାଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ। ବରିଷ୍ଠ ଆଡଭୋକେଟ୍ ମୀନାକ୍ଷୀ ଆରୋରା ଏହି ଆବେଦନ ବିଷୟରେ ଉଲ୍ଲେଖ କରି କହିଛନ୍ତି, ଗଣନା ପ୍ରକ୍ରିୟାରେ ସ୍ୱଚ୍ଛତାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଣନା ପୂର୍ବରୁ ଭିଭିପାଟ୍‌ ଯାଞ୍ଚ ହେବା ଆବଶ୍ୟକ। ଗଣନା ଶେଷ ହେବା ପରେ ଯାଞ୍ଚ କରାଗଲେ କିଛି ଲାଭ ହେବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନ ବିଚାରପତି ଆସନ୍ତାକାଲି କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ କୋର୍ଟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର