ଉଜ୍ଜୟିନୀ: ମଧ୍ୟପ୍ରଦେଶ ଉଜ୍ଜୟିନୀର ଜଣେ ୧୬ ବର୍ଷୀୟ କ୍ୱିୟର କଳାକାର ଇନ୍‌ଷ୍ଟାଗ୍ରାମ୍‌ ରିଲରେ ଏକ ପୋଷ୍ଟ ଛାଡ଼ିବା ପରେ ତାଙ୍କୁ ହଜାର ହଜାର ଘୃଣାତ୍ମକ ମନ୍ତବ୍ୟ ମିଳିଥିଲା, ଯାହା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ୧୬ ବର୍ଷୀୟ କ୍ୱିୟର କଳାକାର ପ୍ରାଂଶୁ ଉଜ୍ଜୟିନୀର ଜଣେ ମେକଅପ୍ ଆର୍ଟିଷ୍ଟ ଥିଲେ ଏବଂ ଏକ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ ଚଳାଉଥିଲେ। ଦୀପାବଳିରେ ସେ ଶାଢ଼ିପିନ୍ଧି ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଟ୍ରାନଜିସନ୍ ରିଲ୍ ପୋଷ୍ଟ କରିଥିଲେ। ‘ମେଡ୍ ଇନ୍ ହେଭେନ୍’ ୱେବ୍ ସିରିଜ୍ ଅଭିନେତ୍ରୀ ତ୍ରିନେତ୍ରା ହାଲଦାର ଗୁମ୍ମାରାଜୁ ଦାବି କରିଛନ୍ତି ଯେ କଳାକାରଙ୍କ କମେଣ୍ଟ ସେକ୍ସନରେ ୪,୦୦୦ରୁ ଅଧିକ ହୋମୋଫୋବିକ ମନ୍ତବ୍ୟ ମିଳିଥିଲା ଯାହା ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିଛି। ଏହି କଳାକାରଙ୍କ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ ‘ଗ୍ଲାମିଟୁପ୍ ୱିଥ୍ ପ୍ରାଂଶୁ’ରେ ୧୬,୫୦୦ରୁ ଅଧିକ ଫଲୋଅର୍ସ ଥିଲେ।

Advertisment

ଅଭିନେତ୍ରୀ ତ୍ରିନେତ୍ରା କହିଛନ୍ତି ଯେ ମେଟା ମାଲିକାନାରେ ଥିବା ଇନ୍‌ଷ୍ଟାଗ୍ରାମ୍‌ ଭଳି ଅନ୍‌ଲାଇନ୍ ପ୍ଲାଟଫର୍ମ ବାରମ୍ବାର ଏଲ୍‌ଜିବିଟିକ୍ୟୁ ସମ୍ପ୍ରଦାୟର ଲୋକଙ୍କୁ ସୁରକ୍ଷିତ ସ୍ଥାନ ଯୋଗାଇବାରେ ବିଫଳ ହୋଇଛି। ଏଲ୍‌ଜିବିଟିକ୍ୟୁ ସମ୍ପ୍ରଦାୟର ଅନେକ ସଦସ୍ୟ ଦୁଃଖ ପ୍ରକାଶ କରିବା ସହ ଇନଷ୍ଟାଗ୍ରାମ, ଏକ୍ସ ଏବଂ ଫେସବୁକ ଭଳି ପ୍ଲାଟଫର୍ମ ସାଇବର ଉପଦ୍ରବର ମୁକାବିଲା କରିପାରୁ ନାହାନ୍ତି ବୋଲି କହିଛନ୍ତି। ତେବେ ସୁଇସାଇଡ୍ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ଏବଂ ଘଟଣାର ତଦନ୍ତ ଜାରି ରହିଛି ବୋଲି ନାଗଝିରି ଥାନା ଅଧିକାରୀ କେଏସ୍ ଗେହଲଟ୍ କହିଛନ୍ତି।