କୋଲକାତା: ଚିକିତ୍ସା ପାଇଁ ଚଳିତ ମାସରେ କୋଲକାତା ଆସିଥିବା ଜଣେ ବାଂଲାଦେଶ ସାଂସଦ ନିଖୋଜ ହୋଇଯାଇଥିଲେ ଏବଂ ପରେ ତାଙ୍କୁ ହତ୍ୟା କରାଯାଇଥିଲା। କୋଲକାତାର ନ୍ୟୁ ଟାଉନ୍‌ ଅଞ୍ଚଳର ଏକ ଫ୍ଲାଟ୍‌ରେ ବାଂଲାଦେଶ ସାଂସଦ ଅନୱରୁଲ ଆଜିମ ଅନାର (୫୬)ଙ୍କୁ ଅତି ବିଭତ୍ସ ହତ୍ୟା ସଂକ୍ରାନ୍ତ ତଥ୍ୟ ଆଜି ସାମ୍ନାକୁ ଆସିଛି। ଅନୱରୁଲ ମେ’ ୧୨ ତାରିଖରେ କୋଲକାତା ପହଞ୍ଚିଥିଲେ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଗୋପାଳ ବିଶ୍ବାସଙ୍କ ସହ ଉତ୍ତର କୋଲକାତାର ସିନ୍ଥି ସ୍ଥିତ ତାଙ୍କ ବାସଭବନରେ ରହିଥିଲେ। ବିଶ୍ବାସଙ୍କ କହିବା ଅନୁଯାୟୀ ସାଂସଦ ତାଙ୍କ ଘରୁ ତା’ ପରଦିନ ଯାଇଥିଲେ। ‌ସେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯିବେ ବୋଲି କହିଥିଲେ। ଏହାପରେ ସେ ୨ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କ ସହ ନ୍ୟୁ ଟାଉନ୍‌ ସ୍ଥିତ ଏକ ଫ୍ଲାଟ୍‌କୁ ଯାଇଥିଲେ ଏବଂ ସେଠାରୁ ଆଉ ବାହାରିବା ଦେଖାଯାଇନଥିଲା।

Advertisment

ଅନ୍ୟପକ୍ଷରେ ତାଙ୍କ ସହ ଥିବା ଅନ୍ୟ ୩ ଜଣ ବ୍ୟକ୍ତି ମେ’ ୧୩ରୁ ୧୫ ମଧ୍ୟରେ ଭିନ୍ନ ଭିନ୍ନ ସମୟରେ ଫ୍ଲାଟ୍‌ରୁ ବାହାରିଛନ୍ତି ଏବଂ ସେମାନେ ହାତରେ ବଡ଼ ବ୍ୟାଗ୍ ଧରିଥିବା ଦେଖିବାକୁ ମିଳିଥିଲା। ବିଧାନନଗର ଏବଂ ବାରାକପୁର ପୁଲିସ କମିସନରେଟ୍‌ର ଏକ ଅଫିସର ଟିମ୍‌ , ଏସଟିଏଫ୍‌ ଏବଂ କେନ୍ଦ୍ରୀୟ ସଂସ୍ଥା ବୁଧବାର ସକାଳେ ନ୍ୟୁ ଟାଉନ ଫ୍ଲାଟ୍‌ରେ ପହଞ୍ଚି ସର୍ଚ୍ଚ ଅପରେସନ୍‌ କରିଥିଲେ। ସେମାନେ ସେଠାରେ ରକ୍ତ ଦାଗ ଦେଖିଥିଲେ କିନ୍ତୁ ସାଂସଦଙ୍କୁ ପାଇନଥିଲେ। ସିଆ‌ଇଡି ଏବଂ ବାଂଲାଦେଶୀ ତଦନ୍ତକାରୀ ଦଳ ଅନୁଯାୟୀ ସାଂସଦ ଅନୱରୁଲଙ୍କୁ ମେ’ ୧୩ ତାରିଖରେ ଫ୍ଲାଟ୍‌ରେ ପଶିବାର ମାତ୍ର କିଛି ସମୟ ମଧ୍ୟରେ ହତ୍ୟା କରାଯାଇଛି ଏବଂ ତାଙ୍କ ଶରୀରରୁ ଚମଡ଼ା ବାହାର କରିବା ପରେ ଶରୀରକୁ ଛୋଟଛୋଟ ଖଣ୍ଡରେ କାଟି ଏହାକୁ ବ୍ୟାଗ୍‌ରେ ଭର୍ତ୍ତି କରି ଅନ୍ୟତ୍ର ନିଆଯାଇଥିଲା। ଏହାପରେ ୱାସରୁମ୍‌କୁ ଏସିଡ୍‌ ପକାଇ ଧୁ୍ଆ ଯାଇଥିଲା। ସାଂସଦ ସେଲେଷ୍ଟି ରେହମାନ ନାମ୍ନୀ ଜଣେ ମହିଳାଙ୍କ ଦ୍ବାରା ହନିଟ୍ରାପ୍‌ର ଶିକାର ହୋଇଥିଲେ ବୋଲି ପୁଲିସ ସନ୍ଦେହ କରୁଛି। ତାଙ୍କୁ ସୁପାରି କିଲର ଲଗାଇ ହତ୍ୟା କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସାଂସଦଙ୍କର ଜଣେ ଘନିଷ୍ଠ ବନ୍ଧୁ ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ୪ କୋଟି ଦେଇଛନ୍ତି। ସାଂସଦଙ୍କୁ ବନ୍ଧୁ ହେଉଛନ୍ତି ଜଣେ ଆମେରିକୀୟ। ସାଂସଦଙ୍କୁ ହନିଟ୍ରାପ୍‌ରେ ପକାଇଥିବା‌ ମହିଳା ମଧ୍ୟ ଉକ୍ତ ଆମେରିକୀୟ ନାଗରିକଙ୍କ ସହ ଘନିଷ୍ଠ ବୋଲି ଜଣାପଡ଼ିଛି। ପୁଲିସ କହିଛି ଏହା ଏକ ଯୋଜନାବଦ୍ଧ ହତ୍ୟା। ସାଂସଦଙ୍କର ଜଣେ ପୁରୁଣା ବନ୍ଧୁ ତାଙ୍କୁ ହତ୍ୟା କରିବାପାଇଁ ୪ ‌କୋଟି ଟଙ୍କାର ସୁପାରି ଦେଇଥିଲେ। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ହତ୍ୟା ପରେ ସାଂସଦଙ୍କ ଶରୀରକୁ ହତ୍ୟାକାରୀମାନେ ନଷ୍ଟ କରିଦେଇଛନ୍ତି। ତାଙ୍କ ଶରୀରର ମାଂସକୁ ହାଡ଼ରୁ ଅଲଗା କରି ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଏବ ଟ୍ରଲି ବ୍ୟାଗ୍‌ରେ ଭର୍ତ୍ତି କରାଯାଇଥିଲା। ଏହି ବ୍ୟାଗ୍‌ଗୁଡ଼ିକୁ ଏକ କାର୍‌ରେ ନେଇ ବିଭିନ୍ନ ସ୍ଥାନରେ ସେମାନେ ପକାଇ ଚାଲିଥିଲେ। ପୁଲିସ ସର୍ଚ‌୍ ଅପରେସନ୍ ଜାରି ରଖିଛି। ବାଂଲାଦେଶୀ ସୁରକ୍ଷା ସଂସ୍ଥା ସହାୟତାରେ ସିଆଇଡି ତଦନ୍ତକାରୀ ଦଳ ହତ୍ୟା ମାମଲାର ଖୁଲାସା କରିଛନ୍ତି।