ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି କହିଛନ୍ତି,  ଯେଭଳି ଜଣେ ବି ପାକିସ୍ତାନୀ କୌଣସି ରାଜ୍ୟରେ ରହିପାରିବେ ନାହିଁ ତାହା ସୁନିଶ୍ଚିତ କରିବାକୁ ପଡ଼ିବ। ବିଭିନ୍ନ ରାଜ୍ୟରେ ଥିବା ପାକିସ୍ତାନୀଙ୍କୁ ଦେଶ ଛାଡ଼ିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିବାରୁ ଏହା କଡ଼ାକଡ଼ି ପାଳନ କରିବାକୁ ଶାହ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ଉତ୍ତେଜନା ବଢ଼ୁଥିବା ବେଳେ ଭାରତ ଗୁରୁବାର ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିଛି।

Advertisment

ମୁଖ୍ୟମନ୍ତ୍ରୀମାନଙ୍କୁ ଗୃହମନ୍ତ୍ରୀ କହିଛନ୍ତି,  ସେମାନେ ନିଜ ନିଜ ଅଞ୍ଚଳରେ ରହୁଥିବା ପାକିସ୍ତାନୀ ନାଗରିକମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ତ୍ବରାନ୍ବିତ କରିବା ସହ ସେମାନଙ୍କ ଦେଶାନ୍ତର ପାଇଁ ବିହିତ ପଦକ୍ଷେପ ସୁନିଶ୍ଚିତ କରିବେ। ସୁରକ୍ଷା ରଣନୀତି ଓ କୂଟନୈତିକ ପଦକ୍ଷେପ ଦୃଷ୍ଟିରୁ ପାକିସ୍ତାନୀଙ୍କୁ ଦେଶାନ୍ତର ପ୍ରକ୍ରିୟାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ଶାହ ସ୍ପଷ୍ଟ କରିଦେଇଛନ୍ତି। ସାର୍କ ଭିସା  ଯୋଜନା  ଅଧୀନରେ ପାକିସ୍ତାନୀ ନାଗରିକଙ୍କୁ ଭାରତ  ଆସିବାକୁ  ଅନୁମତି ଦିଆଯିବ ନାହିଁ ଏବଂ ବର୍ତ୍ତମାନ ଏହି  ଭିସା ଅଧୀନରେ ଭାରତରେ ଥିବା କୌଣସି ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବାକୁ ୪୮ ଘଣ୍ଟା ସମୟ ଦିଆଯାଇଛି ବୋଲି ସରକାର ବୁଧବାର ଘୋଷଣା  କରିଥିବା ବେଳେ ଏହି ସମୟସୀମା ଶୁକ୍ରବାର ଶେଷ  ହୋଇଛି। ସୂଚନାଯୋଗ୍ୟ, ଗତକାଲି ଦିଲ୍ଲୀରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଭିନ୍ନ ଦଳର ନେତାମାନେ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଦେବା ସହ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜମ୍ମୁ-କାଶ୍ମୀରକୁ ଟାର୍ଗେଟ୍‌ କରି ପାକିସ୍ତାନ ପକ୍ଷରୁ ଲଗାତାର ସୀମାପାର ଆତଙ୍କବାଦ ଜାରି ରହିଥିବାରୁ ଭାରତ ବିଭିନ୍ନ ଦିଗରୁ ପାକିସ୍ତାନକୁ ଘେରିବା ପାଇଁ ପଦକ୍ଷେପ ନେଉଛି।

ସବୁ ପାକିସ୍ତାନୀଙ୍କୁ ତଡ଼, ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଶାହଙ୍କ ଫୋନ୍‌

ଓଡ଼ିଶାରୁ ୧୨: ଦୀର୍ଘ ମିଆଦି ଭିସାରେ ଅଛନ୍ତି, ଦେଶ ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଜମ୍ମୁ-କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ‌ଦେଶରେ ଥିବା‌ ପାକିସ୍ତାନୀଙ୍କୁ ଭାରତ ଛାଡ଼ିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ଭିତରେ ଦେଶ ଛାଡ଼ିବାକୁ କଣ୍ଟ ଦିଆଯାଇଛି। ଏ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି। ତଦନୁଯାୟୀ ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ରହୁଥିବା ନେଇ ରାଜ୍ୟ ଗୃହ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଦୀର୍ଘ ମିଆଦି ଭିସା ବଳରେ ସେମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଛନ୍ତି। 
କିଏ ବେପାରବଣିଜ କରିବା ଲକ୍ଷ୍ୟରେ ତ କିଏ ଉଚ୍ଚଶିକ୍ଷା କରିବା ପାଇଁ ଓଡ଼ିଶାରେ ରହୁଥିବା ଜଣାପଡ଼ିଛି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। 

କେନ୍ଦ୍ରରୁ ନିର୍ଦ୍ଦେଶ ମିଳିବା ପରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ନେତୃତ୍ବରେ ଏକ ଗୁରୁତ୍ବପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ଥିବା ପାକିସ୍ତାନୀମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ୨୭ ତାରିଖ ସୁଦ୍ଧା ଦେଶ ଛାଡ଼ିବାକୁ ନୋଟିସ୍‌ ଦିଆଯାଇଛି। ଯେଉଁମାନେ ମେଡିକାଲ୍‌ ଭିସା ବଳରେ ଓଡ଼ିଶାରେ ଅଛନ୍ତି ସେମାନଙ୍କ ପାଇଁ ଆଉ ୨ଦିନ ବଢ଼ାଇ ଦିଆଯାଇଛି। ସେମାନେ ୨୯ ତାରିଖ ସୁଦ୍ଧା ଭାରତ ଛାଡ଼ିବାକୁ ପଡ଼ିବ ବୋଲି କଣ୍ଟ ଦିଆଯାଇଛି। କଟକ, ବାଲେଶ୍ବର ଓ ଅନ୍ୟାନ୍ୟ ଜିଲ୍ଲାରେ ଥିବା ଏହି ପାକିସ୍ତାନୀମାନଙ୍କୁ ଚିହ୍ନଟ କରାଯିବା ପରେ ନୋଟିସ୍ ଦିଆଯାଇଛି ବୋଲି ସୂଚନା ମିଳିଛି। ଜଣେ ପାକିସ୍ତାନୀ ହିନ୍ଦୁ ବେପାରବଣିଜ କରିବାକୁ ଆସି ଏଠାରେ ବିବାହ କରି ବସବାସ କରୁଛନ୍ତି। ସେ ଭାରତର ନାଗରିକତା ନେବାକୁ ଆବେଦନ କରିଥିବା ଜଣାପଡ଼ିଛି। କିନ୍ତୁ ତାଙ୍କୁ ମଧ୍ୟ ଦେଶ ଛାଡ଼ିବାକୁ ନୋଟିସ୍‌ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଏହି ୧୨ ଜଣଙ୍କ ମଧ୍ୟରେ କିଛି ପାକିସ୍ତାନୀ ଭିସା ନବୀକରଣ କରି ମିଆଦ ବୃଦ୍ଧି ପାଇଁ ଆବେଦନ କରିଛନ୍ତି। କିନ୍ତୁ ଏବେ ସେମାନଙ୍କ ଆବେଦନ ଆପେ ଆପେ ରଦ୍ଦ ହୋଇଯାଇଛି।