ନୂଆଦିଲ୍ଲୀ: ୨୦୧୯ରେ ଜମ୍ମୁ-କାଶ୍ମୀରର ସ୍ବତନ୍ତ୍ର ପାହ୍ୟା ଓ ଧାରା ୩୭୦ ଉଚ୍ଛେଦ ପରେ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ରାଜ୍ୟ ବାହାରର ତଥା ଭାରତର ବିଭିନ୍ନ ସ୍ଥାନର ୩୪ ଜଣ ଲୋକ ସ୍ଥାବର ସମ୍ପତ୍ତି କ୍ରୟ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି। ତେବେ ଜମ୍ମୁ, ରିୟାସି, ଉଧମପୁର ଓ ଗାନ୍ଦରବଲ ଅଞ୍ଚଳର ସମ୍ପୃକ୍ତ ସମ୍ପତ୍ତି ଓ ତା’ର ମାଲିକଙ୍କ ବିଷୟରେ ସେ କିଛି ସୂଚନା ଦେଇନାହାନ୍ତି। ଗତବର୍ଷ କେନ୍ଦ୍ର ସରକାର କହିଥିଲେ ଯେ, ବାହାରର ମାତ୍ର ଦୁଇଜଣ ବ୍ୟକ୍ତି ଜମ୍ମୁ-କଶ୍ମୀରରେ ସମ୍ପତ୍ତି କିଣିଛନ୍ତି। ୨୦୧୯ ଅଗଷ୍ଟ ପୂର୍ବରୁ ବାହାର ଲୋକଙ୍କୁ ଜମ୍ମୁ-କଶ୍ମୀରରେ ସ୍ଥାବର ସମ୍ପତ୍ତି କିଣିବାର ଅଧିକାର ନ ଥିଲା। ନୂଆ ଭୂ-ଆଇନରେ ଜମ୍ମୁ-କାଶ୍ମୀର ଉନ୍ନୟନ ଅଧିନିୟମର ଧାରା ୧୭ରେ ଥିବା ‘ରାଜ୍ୟର ସ୍ଥାୟୀ ବାସିନ୍ଦା’ ଉପବାକ୍ୟଟିକୁ ଉଠାଇ ଦିଆଯାଇଛି। ଫଳରେ ଭାରତର ଯେକୌଣସି ସ୍ଥାନର ଲୋକ ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ସ୍ଥାବର ସମ୍ପତ୍ତି କ୍ରୟ କରିପାରିବେ। ତେବେ କୃଷି ଜମିକୁ ଅଣକୃଷିଜୀବୀଙ୍କୁ ହସ୍ତାନ୍ତର ପାଇଁ ଅନୁମତି ନାହିଁ ଯଦିଚ ଶିକ୍ଷାନୁଷ୍ଠାନ, ସ୍ବାସ୍ଥ୍ୟକେନ୍ଦ୍ର ଆଦି ପ୍ରତିଷ୍ଠା ପାଇଁ ଜମି କିସମ ପରିବର୍ତ୍ତନ କରାଯାଇପାରୁଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp