ଅଗରତଲା: ବିପ୍ଲବ ଦେବଙ୍କ ଇସ୍ତଫା ପରେ ସାଂସଦ ମାଣିକ୍ ସାହା ହେଲେ ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ। ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେପିର ତ୍ରିପୁରା ମୁଖ୍ୟ ତଥା ରାଜ୍ୟସଭା ସାଂସଦ ମାଣିକ ସାହା ଶନିବାର ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ମାଣିକ ସାହା କଂଗ୍ରେସ ଛାଡି ୨୦୧୬ରେ ବିଜେପିରେ ଯୋଗ ଦେଇଥିଲେ। ସେ ୨୦୨୦ରେ ତ୍ରିପୁରା ପ୍ରଦେଶ ବିଜେପିର ସଭାପତି ହୋଇଥିଲେ।
ମାଣିକ ସାହାଙ୍କୁ ଦାୟିତ୍ବ ମିଳିବା ପରେ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ। ବିଧାୟକ ଦଳର ନେତା ଭାବରେ ମନୋନୀତ ହୋଇଥିବାରୁ ମାଣିକ ସାହାଜୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। ମୁଁ ବିଶ୍ୱାସ କରୁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଦିଗଦର୍ଶନ ଏବଂ ନେତୃତ୍ୱରେ ତ୍ରିପୁରା ଉନ୍ନତି କରିବ।
କିଛି ସମୟ ପୂର୍ବରୁ ଇସ୍ତଫା ଦେଇଥିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଏସ.ଏନ୍ ଆର୍ଯ୍ୟଙ୍କ ନିକଟରେ ଦାଖଲ କରିଥିଲେ। ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଗଣମାଧ୍ୟମକୁ କହିଥିଲେ ଯେ, ଦଳର ନିଷ୍ପତ୍ତି ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ନିଜ ପଦ ଛାଡିଛନ୍ତି। ଏଥିସହ ସେ କହିଥିଲେ ଯେ ତ୍ରିପୁରାରେ ବିଧାନସଭା ନିର୍ବାଚନ ଆଉ ବର୍ଷକ ପରେ। ତେଣୁ ସେ ଦଳକୁ ଜିତାଇବା ଲାଗି ତୃଣମୂଳସ୍ତରରେ ସାଧାରଣ କର୍ମୀଭାବେ କାମ କରିବେ। ସେଥିପାଇଁ ପଦରୁ ଇସ୍ତଫା ଦେଇଛନ୍ତି। ପୁଣି ଥରେ ବିଜେପି ରାଜ୍ୟରେ କ୍ଷମତାକୁ ଆସିବ ବୋଲି କହିଛନ୍ତି।
ତ୍ରିପୁରାର ବିଦାୟୀ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବତେବେ ବିପ୍ଲବ ଦେବଙ୍କ ଉପରେ ସଂଗଠନରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦୁଇ ଜଣ ବିଧାୟକ ମଧ୍ୟ ଦଳ ଛାଡିଥିଲେ। ବିଧାନସଭା ନିର୍ବାଚନର ରଣନୀତି ଉପରେ ବିଜେପି କୌଣସି ବିପଦ ଚାହୁଁନଥିବାରୁ ତାଙ୍କୁ ଇସ୍ତଫା ଦେବା ପାଇଁ କହିଥିବା ଚର୍ଚ୍ଚା ହେଉଛି।
ଆସନ୍ତା ବର୍ଷ ୨୦୨୩ ମସିହାରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଗୁଜରାଟ ସହ ତ୍ରିପୁରାରେ ଏନେଇ ବିଜେପି ବଡ଼ ଧରଣର ଅଦଳବଦଳ କରିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଇସ୍ତଫା ପରେ ବିପ୍ଲବ କୁମାର ଦେବ ସଂଗଠନର ଯେକୌଣସି ପଦବୀ ସମ୍ଭାଳି ପାରନ୍ତି ବୋଲି କୁହାଯାଉଛି।
ବିପ୍ଲବ କୁମାର ଦେବଙ୍କ ଇସ୍ତଫା ନେଇ ତୃଣମୂଳ କଂଗ୍ରେସ ତାଙ୍କୁ କଟାକ୍ଷ କରିଛି। ତୃଣମୂଳ କଂଗ୍ରେସ ଟୁଇଟ୍ କରି କହିଛି, ବିପ୍ଲବ କୁମାର ଦେବ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବାରେ ବିଫଳ ହୋଇଛନ୍ତି। ସେ ପୂର୍ବରୁ ବହୁତ କ୍ଷତି କରିସାରିଛନ୍ତି। ଏହି କାରଣରୁ ତାଙ୍କ ଦଳର ଶୀର୍ଷ ନେତୃତ୍ୱ ମଧ୍ୟ ତାଙ୍କ ନିଷ୍କ୍ରିୟତାକୁ ନେଇ ବିରକ୍ତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/t-26.jpg)