ଯୁବକଙ୍କ ଅଦ୍ଭୁତ କାଣ୍ଡ : ସରକାରୀ କର୍ମଚାରୀଙ୍କୁ ରୋକିବା ପାଇଁ କାର୍‌ ବନେଟ ଉପରେ ଶୋଇ ୪କିମି ଗଲେ,ଭିଡ଼ିଓ ଭାଇରାଲ

ରାମନଗର(ଉତ୍ତରପ୍ରଦେଶ) : ଜଣେ ଲୋକ ଗାଡ଼ି ଚାଲୁଥିବା ବେଳେ କାର୍‌ର ବନେଟ ଉପରେ ଶୋଇ କିଛି ବାଟ ଯିବାର ଘଟଣା ଆପଣମାନେ ବିଭିନ୍ନ ଚଳଚ୍ଚିତ୍ରରେ ନିଶ୍ଚୟ ଦେଖିଥିବେ । କିନ୍ତୁ ବାସ୍ତବିକ ଜୀବନରେ ଏଭଳି କିଛି ଘଟିବା ଅସମ୍ଭବ । କାରଣ ଏଥିରେ ଜୀବନ ଯିବାର ଆଶଙ୍କା ରହିଥାଏ । କିନ୍ତୁ ଉତ୍ତରପ୍ରଦେଶର ରାମନଗରରେ ଠିକ୍‌ ଚଳଚ୍ଚିତ୍ର ଭଳି ଘଟଣା ଘଟିଛି । କିଛି ଲୋକ ଶୌଚାଳୟ ପାଇଁ ଆନ୍ଦୋଳନ କରୁଥିବା ବେଳେ ସରକାରୀ କର୍ମଚାରୀ ତାଙ୍କ କଥା ନଶୁଣି ସେଠାରୁ ଚାଲିଯିବାରୁ ଆନ୍ଦୋଳନକାରୀଙ୍କ ମଧ୍ୟରୁ ଜଣେ ଯୁବକ ତାଙ୍କ କାର୍‌ର ବନେଟ ଉପରେ ଚଢ଼ି ଯାଇଥିବା ଜଣା ପଡ଼ିଛି । ଯୁବକ ଜଣଙ୍କ ସରକାରୀ କର୍ମଚାରୀଙ୍କ ଚଳନ୍ତା ଗାଡ଼ିରେ ଚଢ଼ିଥିଲେ ମଧ୍ୟ ସେ ଗାଡ଼ି ନ ରୋକି ପ୍ରାୟ ୪କି.ମି ଚାଲି ଯାଇଥିଲେ। ଏହା ପରେ ଗାଡ଼ି ସେ ରୋକିଥିଲେ ବୋଲି ସୂଚନା ମିଳିଛି । ଏହା ସହ ସରକାରୀ କର୍ମଚାରୀ ଜଣକ ଏହାର ଏକ ଭିଡ଼ିଓ ରେକର୍ଡ଼ କରିଥିଲେ ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।
ସୂଚନା ମୂତାବକ, ରାମନଗର ପାଖରେ ଥିବା କିଛି ଗାଁର ଲୋକମାନେ ବିକାଶ ଅଧିକାରୀ ପଙ୍କଜ କୁମାର ଗୌତମଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରିଥିଲେ । ଶୌଚାଳୟ ନିର୍ମାଣ କରିବାର ଦ୍ୱିତୀୟ କିସ୍ତି ଦେବା ପାଇଁ ସେମାନେ କାର୍ଯ୍ୟାଳୟ ସାମ୍ନାରେ କିଛି ସମୟ ଧାରଣରେ ବସି ରହିବା ପରେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ । କିନ୍ତୁ ସେମାନେ ବାହାରେ ବିକ୍ଷୋଭ କରୁଥିଲେ ମଧ୍ୟ କେହି ସେମାନଙ୍କ କଥାକୁ କର୍ଣ୍ଣପାତ କରି ନ ଥିଲେ । କିଛି ସମୟ ପରେ ବିକାଶ ଅଧିକାରୀ ଗୌତମ ବାହାରକୁ ଆସିବା ପରେ ଗାଁ ଲୋକମାନଙ୍କ ଆନ୍ଦୋଳନକୁ ଅଣଦେଖା କରି ନିଜ ଗାଡ଼ି ପାଖକୁ ସିଧା ଚାଲି ଯାଇଥିଲେ । ଗୌତମଙ୍କ ଏଭଳି ବ୍ୟବହାର ଦେଖି ଆନ୍ଦୋଳନକାରୀମାନେ ତାଙ୍କ କାର୍‌ ଆଗରେ ଠିଆ ହୋଇ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଗୌତମ ସେମାନଙ୍କ କଥାକୁ ନ ଶୁଣି ଗାଡ଼ି ଆଗକୁ ଚଳାଇଥିଲେ । ଗାଡ଼ି ଆଗକୁ ଆସିବା ଦେଖି ଗାଡ଼ି ଆଗରୁ ସମସ୍ତେ ହଟି ଯାଇଥିବା ବେଳେ ବ୍ରିଜ୍‌ ପାଲ ନାମକ ଜଣେ ଯୁବକ ତା’ଙ୍କ କାର୍‌ର ବନେଟ୍‌କୁ ଧରି ଝୁଲି ରହିଥିଲେ । ଗୌତମ ତାଙ୍କୁ ନେଇ ଅଫିସ ବାହାରେ ଛାଡ଼ି ଦେବାର ଉଦ୍ଦେଶ୍ୟ ରଖିଥିବା ବେଳେ ବ୍ରିଜ୍‌ ପାଲ ତା’ଙ୍କୁ ଗାଳି କରିବାରୁ ଗୌତମ ତା’ଙ୍କୁ ୪କି.ମି ପର୍ଯ୍ୟନ୍ତ ସେହିପରି ନେଇ ଯାଇଥିଲେ ।

ଯିବା ବାଟରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିଲା । ଯାହାର ଭିଡ଼ିଓ ଗୌତମ ବନାଇଥିଲେ । ୪କି.ମି ପରେ ସେ ଏକ ସ୍ଥାନରେ ଗାଡ଼ି ରଖିବା ସହ ବ୍ରିଜପାଲ ତା’ଙ୍କ ଗାଡ଼ିରୁ ଓହ୍ଲାଇ ଯାଇଥିଲେ । ଏହା ସହ ମୁଁ ତୁମକୁ ଛାଡ଼ିବି ନାହିଁ ବୋଲି ମଧ୍ୟ ଯାଉ ଯାଉ ବ୍ରିଜ୍‌ ପାଲ ଗୌତମଙ୍କୁ ଧମକ ଦେଇ ଯାଇଥିଲେ ।

ସମ୍ବନ୍ଧିତ ଖବର