ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ଐତିହାସିକ ବିଜୟ ପରେ ତାଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇବା ଏବଂ ନିଜକୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଉଲ୍ଲେଖ କରିବା ବାଂଲାଦେଶ ଅନ୍ତରୀଣ ସରକାରରେ କମ୍ପନ ସୃଷ୍ଟି କରିଛି। ସରକାରର ମୁଖ୍ୟ ପରାମର୍ଶଦାତାଙ୍କ କାର୍ଯ୍ୟାଳୟରେ ମଧ୍ୟରାତ୍ରିରେ ହୋଇଥିବା ଏକ ବୈଠକକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଟ୍ରମ୍ପ୍ ପ୍ରଶାସନ ‘ହସିନା ସରକାର’କୁ ବୈଧ ବୋଲି ମାନ୍ୟତା ଦେବେ ବୋଲି ବାଂଲାଦେଶର ଅନ୍ତରୀଣ ସରକାର ଆଶଙ୍କା ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ହସିନା ଏକ ଚିଠି ଜରିଆରେ ଟ୍ରମ୍ପଙ୍କୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ବୋଲି ସମ୍ବୋଧନ କରି ଅଭିନନ୍ଦନ ଜଣାଇଥିଲେ। ଡୋନାଲ୍ଡ ଟ୍ରମ୍ପ ଓ ମେଲାନିଆ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଅନେକ ସାକ୍ଷାତ୍ ଓ ବାର୍ତ୍ତାଳାପକୁ ଶେଖ୍ ହସିନା ସ୍ନେହର ସହ ମନେ ପକାଇଥିଲେ।

Advertisment

ଆୱାମୀ ଲିଗ୍‌ର କାର୍ଯ୍ୟାଳୟ ସଚିବଙ୍କ ସ୍ୱାକ୍ଷରିତ ଏବଂ ଦଳର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରାଯାଇଥିବା ଏକ ଚିଠିରେ ହସିନା ଆଶା ବ୍ୟକ୍ତ କରିଛନ୍ତି ଯେ ବନ୍ଧୁରାଷ୍ଟ୍ର ବାଂଲାଦେଶ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଅୱାମୀ ଲିଗ୍‌ର ଭେରିଫାଏଡ୍ ଫେସ୍‌ବୁକ୍ ପେଜ୍‌ରେ ହସିନାଙ୍କୁ ‘ପ୍ରଧାନମନ୍ତ୍ରୀ’ ବୋଲି ପରିଚୟ ଦେଇ ଏକ ପୋଷ୍ଟ ମାଧ୍ୟମରେ ହସିନାଙ୍କ ଶୁଭେଚ୍ଛା ବାର୍ତ୍ତା ଜାରି କରାଯାଇଥିଲା। କିଛି ମାସ ତଳେ ଛାତ୍ର-ଆନ୍ଦୋଳନ ତାଙ୍କ ସରକାର ବିରୋଧରେ ଏକ ପୂର୍ଣ୍ଣ ଆନ୍ଦୋଳନରେ ପରିଣତ ହୋଇଥିଲା ଏବଂ ତାଙ୍କୁ ଇସ୍ତଫା ଦେଇ ଭାରତ ପଳାଇଯିବାକୁ ବାଧ୍ୟ କରିଥିଲା। ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ଅନ୍ତରୀଣ ସରକାର ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଓ ଭବିଷ୍ୟତ ସହଯୋଗ ପାଇଁ ଆଶା ପ୍ରକାଶ କରିଛନ୍ତି। ତେବେ ୟୁନୁସଙ୍କ ଅନ୍ତରୀଣ ସରକାର ଆଶଙ୍କା କରୁଛନ୍ତି ଯେ ପୂର୍ବତନ ହସିନା ସରକାରକୁ ଟ୍ରମ୍ପ ବୈଧ ବୋଲି ସ୍ବୀକୃତି ଦେଇପାରନ୍ତି। ଏହାଦ୍ବାରା ତାଙ୍କ ସରକାର ପାଇଁ ବିପଦ ଓ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ୟୁନୁସ ଆଶଙ୍କା କରୁଛନ୍ତି।