ବେଜିଙ୍ଗ୍‌ରେ ପୁରୁଷ ଡ୍ରାଇଭର୍‌ମାନେ ରାତିରେ ମହିଳା ଯାତ୍ରୀଙ୍କୁ ଟ୍ୟାକ୍ସିରେ ନେଇ ପାରିବେ ନାହିଁ

ବେଜିଙ୍ଗ୍‌: ରାତି ୧୦ଟା ପରେ ବେଜିଙ୍ଗ୍‌ରେ ଟ୍ୟାକ୍ସି ଚଳାଉଥିବା ପୁରୁଷ ଡ୍ରାଇଭର୍‌ମାନେ ଆଉ ମହିଳାମାନଙ୍କୁ ଟ୍ୟାକ୍ସିରେ ବସାଇ ନେଇ ପାରିବେ ନାହିଁ। ଟ୍ୟାକ୍ସିରେ ଦୁଇ ଜଣ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଥିବାର ରିପୋର୍ଟ ମିଳିବା ପରେ ଏଭଳି ନିୟମ ପ୍ରଚଳନ କରାଯାଇଛି।  ବେଜିଙ୍ଗ୍‌ରେ ଯଥେଷ୍ଟ ମହିଳା ଡ୍ରାଇଭର୍‌ ଥିବାରୁ ନୂତନ ନିୟମ ପ୍ରଚଳନ କରାଇବା ସମ୍ଭବ ହୋଇ ପାରିଛି।

ଆଞ୍ଚଳିକ ସରକାର ପ୍ରଥମେ ‘ଡିଡି’ ନାମକ କାର୍‌ ସେବା କମ୍ପାନିକୁ ବନ୍ଦ କରାଇଥିଲେ। କିନ୍ତୁ, ଏବେ ସେ କମ୍ପାନିକୁ ପୁଣି କାର୍‌ ଚଳାଇବାକୁ ଅନୁମତି ମିଳିଛି ସତ, କିନ୍ତୁ ସେମ୍‌-ସେକ୍ସ ରୁଲ୍‌ରେ ତାହାର ସେବାକୁ ସୀମିତ କରାଯାଇଛି। ଏହାଛଡ଼ା ମଧ୍ୟ ରାତ୍ରୀରୁ ସକାଳ ୬ଟା ଯାଏଁ କମ୍ପାନିକୁ ଗାଡ଼ି ଚଳାଇବାକୁ ଅନୁମତି ମିଳିନାହିଁ।

ଜଣେ ୨୧ ବର୍ଷୀୟ ବିମାନ ପରିଚାରିକାଙ୍କୁ ଜଣେ ଟ୍ୟାକ୍ସି ଡ୍ରାଇଭର୍‌ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ। ସେ ଡ୍ରାଇଭର୍‌ଜଣକ ନିଜ ବାପାଙ୍କ ଟ୍ୟାକ୍ସି ଓ ଆକାଉଣ୍ଟ୍‌ ବ୍ୟବହାର କରିଥିଲେ। ଅନ୍ୟ ଏକ ମାମଲାରେ, ପୁଲିସ ଜଣେ ୩୫ ବର୍ଷିୟ ବ୍ୟକ୍ତିଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରିଥିଲା। ସେ ବ୍ୟକ୍ତି ଜଣକ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ବେଜିଙ୍ଗ୍‌ରୁ ସହର ଉପକଣ୍ଠରେ ଥିବା ଏକ ଗାଅାଁକୁ ନେବା ବେଳେ ଏକ ନିକାଞ୍ଚନ ସ୍ଥାନରେ ଅଟକି ତାଙ୍କ ସହ ଦୁଷ୍କର୍ମ କରିଥିଲେ। କିନ୍ତୁ, ସେ ଯୁବତୀ ଜଣକ ଘଟନା ପୂର୍ବରୁ ଡ୍ରାଇଭର୍‌ଙ୍କ ସନ୍ଦିଗ୍ଧ ହାଭଭାବ ଦେଖି ନିଜର ପିତାମାତାଙ୍କୁ ସୂଚନା ଦେଇ ଦେଇଥିଲେ। ବାଟରେ ଗାଡ଼ି ଅଟକାଇ ଡ୍ରାଇଭର୍‌ ଯୁବତୀଙ୍କୁ ପଛ ସିଟ୍‌କୁ ଟେକି ନେବା ବେଳେ ଯୁବତୀଙ୍କ ପରିବାର ସେଠାରେ ହାଜର ହୋଇ ଯାଇଥିଲେ। ଫଳରେ ଡ୍ରାଇଭର୍‌ ବିନା ପ୍ୟାଣ୍ଟ୍‌ରେ ସେଠାରୁ ଚମ୍ପଟ୍‌ ମାରିଥିଲେ ବୋଲି ଆଞ୍ଚଳିକ ଖବରକାଗଜରେ ପ୍ରକାଶ ପାଇଥିଲା। ପରଦିନ ତାଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର