ଲକ୍ଷ୍ନୌ : ଉଦୟପୁର ଓ ଅମରାବତୀ ହତ୍ୟା ଘଟଣା ପରେ ଏବେ କମଳେଶ ତିଓ୍ବାରୀଙ୍କ ପତ୍ନୀ କିରନ ତିଓ୍ବାରୀଙ୍କ ପାଖକୁ ଏକ ଧମକପୂର୍ଣ୍ଣ ପତ୍ର ଆସିଛି । ଉକ୍ତ ପତ୍ରରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି ।
ସେ ଅଭିଯୋଗ କରିଛନ୍ତି ଯେ ଗତ ଜୁନ ୨୨ରେ ତାଙ୍କ ଘରକୁ ଏକ ଧଳା ଲଫାପାରେ ଏକ ପତ୍ର ଆସିଥିଲା । ସେଥିରେ ଉର୍ଦ୍ଦୁରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ସେଥିରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଳାଧଳା ଫଟୋ ରହିଛି ଓ ଫଟୋ ଉପରେ ଛକି କଟାଯାଇ ଟାର୍ଗେଟ ବୋଲି ଲେଖାଯାଇଛି । ଅଭିଯୋଗ ମିଳିବା ପରେ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।
ବିବାଦୀୟ ଇସଲାମ ବିରୋଧୀ ବୟାନ ପାଇଁ ୨୦୧୫ରେ କମଳେଶ ତିଓ୍ବାରୀ ଚର୍ଚ୍ଚାକୁ ଆସିଥିଲେ । ଏହି ବୟାନ ପାଇଁ ତାଙ୍କ ବିରୋଧରେ ବିଭିନ୍ନ ସହରରେ ବିକ୍ଷୋଭ ହୋଇଥିଲା ଓ ତାଙ୍କ ମୁଣ୍ଡକାଟ ପାଇଁ ଦାବି ହୋଇଥିଲା । ଉତ୍ତରପ୍ରଦେଶର ମୁଜାଫରନଗର ଓ ରାଜସ୍ଥାନର ଟୋଙ୍କଠାରେ ବିକ୍ଷୋଭକାରୀମାନେ ତାଙ୍କ ମୁଣ୍ଡକାଟ ପାଇଁ ଦାବି କରିଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ୨୦୧୮ରେ ସେ ଜେଲରୁ ଖଲାସ ହେବା ପରେ ତାଙ୍କୁ ତାଙ୍କ ଅଫିସରେ ହତ୍ୟା କରାଯାଇଥିଲା ।