ମୋଦୀଙ୍କୁ ଉଦ୍ଧବଙ୍କ ଫୋନ ପରେ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ସୁପାରିଶ କଲେ ରାଜ୍ୟପାଳ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଫୋନ ପରେ ରାଜ୍ୟପାଳ ଭଗତ ସିଂ କୋସିୟାରୀଙ୍କ ଚେତା ପସିଛି । ଆଜି ସେ ବିଧାନ ପରିଷଦରେ ଖାଲିଥିବା ୯ଟି ଆସନ ନିମନ୍ତେ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି । ଏହି ନିର୍ବାଚନ ଗତ ମାର୍ଚ୍ଚ ୨୮ରେ ହେବାର ଥିଲା । କିନ୍ତୁ ଲକଡାଉନ ଘୋଷଣା ପରେ ଏହାକୁ ବାତିଲ କରାଯାଇଥିଲା ।

ଗତକାଲି ମୋଦୀଙ୍କୁ ଫୋନ କରି ଉଦ୍ଧବ କହିଥିଲେ ଯେ ରାଜ୍ୟ ବିପଦରେ ପଡ଼ିଥିବାବେଳେ ତାଙ୍କ ସରକାରକୁ ଅସ୍ଥିର କରିବାକୁ ଉଦ୍ୟମ ଚାଲିଛି । ଏଣୁ ସ୍ଥିତିରେ ହସ୍ତକ୍ଷେପ କରିବାକୁ ସେ ମୋଦୀଙ୍କୁ ଅନୁରୋଧ କରିଥିଲେ ।

ଉଦ୍ଧବ ଗତ ନଭେମ୍ବର ୨୮ରେ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିଲେ । ସେ ଏବେ ବିଧାୟକ ନଥିବାରୁ ସେ ୬ ମାସ ମଧ୍ୟରେ ବିଧାନସଭା କିମ୍ବା ବିଧାନପରିଷଦର ସଦସ୍ୟ ହେବା ଆବଶ୍ୟକ । ତାଙ୍କର ଏହି ୬ ମାସ ସମୟ ମେ ଶେଷ ସୁଦ୍ଧା ସମାପ୍ତ ହେଉଛି । ତେବେ ବିଧାନ ପରିଷଦର ସଦସ୍ୟ ହେବା ପାଇଁ ତାଙ୍କୁ ରାଜ୍ୟପାଳ ମନୋନୀତ କରିବା ଆବଶ୍ୟକ । କିନ୍ତୁ ରାଜ୍ୟପାଳ ଏହା କରୁନଥିବାରୁ ଅନିଶ୍ଚିତତା ଲାଗିରହିଛି ।

ସମ୍ବନ୍ଧିତ ଖବର