ନୂଆଦିଲ୍ଲୀ: ୭୧ ବର୍ଷୀୟ ମନମୋହନ ସିଂହ ତାଙ୍କ ଧଳା କୁର୍ତା-ପାଇଜାମା ଓ ନୀଳ ପଗଡ଼ି ପିନ୍ଧି ୨୦୦୪ ମେ ୨୨ ତାରିଖରେ ଭାରତର ୧୪ଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଅଟଳ ବିହାରୀ ବାଜପେୟୀଙ୍କ ସମେତ ଡକ୍ଟର ସିଂହଙ୍କ ପରିବାର ଓ ରାଜନୈତିକ ସହଯୋଗୀଙ୍କ ଉପସ୍ଥିତିରେ ତତ୍କାଳୀନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ ସିଂହଙ୍କୁ ଶପଥ ଗ୍ରହଣ କରାଇଥିଲେ। ୨୦୦୪ ନିର୍ବାଚନରେ ବିଜେପି ବିଜୟୀ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ପ୍ରତ୍ୟାବର୍ତ୍ତନ କରିଥିଲା। କଂଗ୍ରେସ ନେତୃତ୍ବାଧୀନ ୟୁପିଏ ମେଣ୍ଟ ସରକାର ଗଠନ ପାଇଁ ଯଥେଷ୍ଟ ସମର୍ଥନ ହାସଲ କରିଥିଲା। ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଅନେକେ ଆଶା କରୁଥିଲେ। କିନ୍ତୁ ସେ ଇଟାଲୀର ଝିଅ ହୋଇଥିବାରୁ ଜଣେ ବିଦେଶିନୀଙ୍କୁ ପ୍ରଧାନମନ୍ତ୍ରୀ କରାଇ ନ ଦେବା ପାଇଁ ଦଳ ଭିତରେ ଓ ବାହାରେ ସ୍ବର ଉଠିଥିଲା। ଏ ପରିସ୍ଥିତିରେ ଅନେକଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଏକ ନିଷ୍ପତ୍ତି ନେଇଥିଲେ ସୋନିଆ ଗାନ୍ଧୀ। ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ମନମୋହନ ସିଂହଙ୍କ ନାମ ପ୍ରସ୍ତାବ ଦେଇଥିଲେ।

Advertisment

୧୯୯୮ରେ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପରଠାରୁ ସୋନିଆ ଗାନ୍ଧୀଙ୍କ ଇଟାଲୀୟ ମୂଳ ଏକ ବିବାଦୀୟ ରାଜନୈତିକ ପ୍ରସଙ୍ଗ ପାଲଟିଥିଲା। ୨୦୦୪ ନିର୍ବାଚନରେ କଂଗ୍ରେସର ସଫଳତା ସତ୍ତ୍ୱେ ସୁଷମା ସ୍ୱରାଜ ଓ ଉମା ଭାରତୀଙ୍କ ଭଳି ବିଜେପି ନେତାମାନେ ଏହି ବିବାଦକୁ ପୁଣି ଥରେ ସାମ୍ନାକୁ ଆଣିଥିଲେ। ଏପରିକି ଶ୍ରୀମତୀ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ ସେ ଲଣ୍ଡା ହେବା ସହ ବିକ୍ଷୋଭ କରାଯିବ ବୋଲି ସୁଷମା ସ୍ୱରାଜ ଧମକ ଦେଇଥିଲେ। ସୋନିଆ ଗାନ୍ଧୀ ମଧ୍ୟ ଆଭ୍ୟନ୍ତରୀଣ ସ୍ତରରେ ବିରୋଧର ସମ୍ମୁଖୀନ ହୋଇଥିଲେ। ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା କଂଗ୍ରେସ ନେତା ନଟବର ସିଂହ ତାଙ୍କ ଆତ୍ମଜୀବନୀ ‘ଵାନ୍ ଲାଇଫ୍ ଇଜ୍ ନଟ୍ ଏନଫ୍’ରେ ଶ୍ରୀମତୀ ଗାନ୍ଧୀଙ୍କ ବାସଭବନରେ ଏକ ଉତ୍ତେଜନାପୂର୍ଣ୍ଣ ମୁହୂର୍ତ୍ତକୁ ବର୍ଣ୍ଣନା କରିଛନ୍ତି, ଯେଉଁଠାରେ ରାହୁଲ ଗାନ୍ଧୀ ତାଙ୍କ ପିତା ରାଜୀବ ଗାନ୍ଧୀ ଓ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ଦୃଷ୍ଟିରେ ରଖି ତାଙ୍କ ମା’ଙ୍କୁ ଏହି ପଦ ଗ୍ରହଣ ନ କରିବାକୁ ଅନୁରୋଧ କରିଥିଲେ। ଶ୍ରୀମତୀ ଗାନ୍ଧୀ ଏହି ଶୀର୍ଷ ପଦ ଗ୍ରହଣ କରିବାକୁ ମନା କରିବା ମନମୋହନ ସିଂହଙ୍କ ଆଗମନ ପାଇଁ ବାଟ ଖୋଲିଥିଲା। କୌଣସି ରାଜନୈତିକ ଭିତ୍ତିଭୂମି ନ ଥିବା ମୃଦୁଭାଷୀ ଟେକ୍ନୋକ୍ରାଟ୍ ଭାବେ ଡ. ସିଂହ ଏକ ଅସମ୍ଭବ ବିକଳ୍ପ ଥିଲେ। ୧୯୯୧ ଅର୍ଥନୈତିକ ଉଦାରୀକରଣ ସମୟରେ ପିଭି ନରସିଂହ ରାଓଙ୍କ ସରକାରରେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା କ୍ୟାରିୟର ଅର୍ଥନୀତିଜ୍ଞ ଡକ୍ଟର ସିଂହ ନୀତି କ୍ଷେତ୍ରରେ ସମ୍ମାନ ଅର୍ଜନ କରିଥିଲେ ମଧ୍ୟ ଜଣେ ରାଜନୈତିକ ନେତାଙ୍କ ସାଧାରଣ ଗୁଣର ଅଭାବ ଥିଲା। ୧୯୯୯ ମସିହାରେ ଦକ୍ଷିଣ ଦିଲ୍ଲୀରୁ ଲୋକସଭା ଆସନରୁ ଲଢ଼ିବା ପାଇଁ ତାଙ୍କର ଏକମାତ୍ର ପ୍ରୟାସ ପରାଜୟରେ ଶେଷ ହୋଇଥିଲା ଏବଂ ଡକ୍ଟର ସିଂହ ତାଙ୍କ ରାଜନୈତିକ କ୍ୟାରିୟରରେ ରାଜ୍ୟସଭା ସଦସ୍ୟ ହୋଇ ରହିଥିଲେ।

‘ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ କୁହାଯାଉଥିବା ସତ୍ତ୍ୱେ ଡକ୍ଟର ସିଂହଙ୍କ ଏକ ଦଶନ୍ଧିର କାର୍ଯ୍ୟକାଳରେ ଅନେକ ବଡ଼ ସଫଳତା ମିଳିଥିଲା। ତାଙ୍କ ସରକାର ସୂଚନା ଅଧିକାର ଆଇନ (ଆର୍‌ଟିଆଇ), ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ (ମନରେଗା) ଏବଂ ଶିକ୍ଷା ଅଧିକାର ଆଇନ (ଆର୍‌ଟିଇ) ଭଳି ପରିବର୍ତନମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତେବେ ଡାକ୍ତର ସିଂହଙ୍କ କାର୍ଯ୍ୟକାଳ ବିବାଦମୁକ୍ତ ନ ଥିଲା। ୨୦୦୮ରେ ଭାରତ-ଆମେରିକା ପରମାଣୁ ଚୁକ୍ତିକୁ ନେଇ ବାମପନ୍ଥୀ ଦଳମାନେ ସମର୍ଥନ ପ୍ରତ୍ୟାହାର କରିବା ପରେ ତାଙ୍କ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲା। ଭାରତର ଶକ୍ତି ନିରାପତ୍ତା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ଡକ୍ଟର ସିଂହ ଏହି ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଆସ୍ଥା ଭୋଟରେ ତାଙ୍କ ସରକାର ଅଳ୍ପ ବ୍ୟବଧାନରେ ବଞ୍ଚିଯାଇଥିଲା। ୨୦୧୪ରେ ୟୁପିଏ କ୍ଷମତା ହରାଇଥିଲା ଏବଂ ନରେନ୍ଦ୍ର ମୋଦୀଙ୍କ ବିଜେପି ବିପୁଳ ବିଜୟ ହାସଲ କରିଥିଲା। ଡକ୍ଟର ସିଂହ ସାର୍ବଜନୀନ ଜୀବନରୁ ବିଦାୟ ନେଇ କହିଛନ୍ତି, ‘ମୁଁ ସଚ୍ଚୋଟ ଭାବରେ ବିଶ୍ୱାସ କରେ ଯେ ସମକାଳୀନ ଗଣମାଧ୍ୟମ କିମ୍ବା ସଂସଦ ତୁଳନାରେ ଇତିହାସ ମୋ ପ୍ରତି ଅଧିକ ଦୟାଳୁ ହେବ’।