ଲକ୍ଷ୍ନୌ: କେଦାରନାଥ ମନ୍ଦିରକୁ ନିଜ ପୋଷା କୁକୁରକୁ ନେଇ ଯାଇଥିବା ବ୍ୟକ୍ତଙ୍କ ନାମରେ ମାମଲା ରୁଜୁ ହୋଇଛି। କୁକୁରଟି କେଦାରନାଥ ମନ୍ଦିର ପରିସରରେ ଥିବା ସହ ନନ୍ଦିକୁ ଛୁଉଁଥିବା ବେଳର ଏକ ଭିଡିଓ ତା’ର ମାଲିକ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିବା ପରେ ଏହାକୁ ନେଇ ବିବାଦ ଉପୁଜିଥିଲା। ଏପରିକି କିଛି ଲୋକ ଏହି ଭିଡିଓରେ କଡ଼ା ପ୍ରତିକ୍ରିୟା ରଖିବା ସହ ବ୍ୟକ୍ତିଙ୍କୁ ଜୀବନରେ କେବେ କେଦାରନାଥରେ ପୂରାଇ ଦେବେ ନାହିଁ ବୋଲି ମଧ୍ୟ ଧମକ ଦେଇଥିଲେ।
ବ୍ୟକ୍ତି ଜଣକ ହେଉଛନ୍ତି ବିକାଶ ତ୍ୟାଗୀ। ତାଙ୍କୁ ୩୩ ବର୍ଷ ବୟସ। କେଦାରନାଥରେ ଚାରି ଧାମ ଯାତ୍ରା ଚାଲିଥିବା ବେଳେ ବିକାଶ ତାଙ୍କ ପୋଷା କୁକର ନବାବ ତ୍ୟାଗୀକୁ ନେଇ କେଦାରନାଥ ମନ୍ଦିରକୁ ଯାଇଥିଲେ।
ଭିଡିଓରେ ଦେଖିବାକୁ ମିଳିଥିଲା ଯେ ନବାବ ମନ୍ଦିର ପରିସରରେ ନନ୍ଦିକୁ ଛୁଉଁଥିବା ବେଳେ ଜଣେ ପୂଜାରୀ ନବାବଙ୍କ ମଥାରେ ତିଳକ ଲଗାଇ ଦେଉଛନ୍ତି। କେଦାରନାଥ ମନ୍ଦିରରେ ଏପରି କୁକୁରକୁ ଦେଖିବା ପରେ ଲୋକଙ୍କ ଭାବପ୍ରବଣତାକୁ ଆଘାତ ଲାଗିଥିବା ହେତୁ ଏହାକୁ ନେଇ ବିବାଦ ଦେଖା ଦେଇଥିଲା। ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ସିଇଓ ଏ ନେଇ ଅଭିଯୋଗ ଆଣିବା ପରେ ବିକାଶ ତ୍ୟାଗୀଙ୍କ ନାମରେ ଏକ ଏଫ୍ଆଇଆର୍ ରୁଜୁ ହୋଇଛି।
ବିକାଶ ତ୍ୟାଗୀ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଏହି ମାମଲାରେ ସଫେଇ ଦେଇ କହିଥିଲେ ଯେ ସେ ପୂର୍ବରୁ ଅନ୍ୟ ମନ୍ଦିରକୁ ବି କୁକୁର ସାଥୀରେ ଯାଇଛନ୍ତି। ଏକଥାକୁ ନେଇ ଏତେ ଡ୍ରାମା ହେବା ଅନୁଚିତ। କୁକୁର ବି ଭଗବାନଙ୍କ ସୃଷ୍ଟି।