କୋଲକାତା: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି) ନେତୃତ୍ୱାଧୀନ ସରକାରର ଅତ୍ୟାଚାର ବିରୋଧରେ ବିକ୍ଷୋଭ ସମୟରେ ସନ୍ଦେଶଖାଲିରେ ଅନେକ ମହିଳାଙ୍କ ସ୍ୱରକୁ ଦମନ କରା ଯାଇଥିବା ଅଭିଯୋଗ କରି ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା ସୋମବାର ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି।
ସୋମବାର ଦିନତମାମ ଶର୍ମା କମିଶନର ଏକ ପ୍ରତିନିଧି ଦଳକୁ ନେଇ ଅଶାନ୍ତ ସନ୍ଦେଶଖାଲି ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କ ଗସ୍ତ ସେଠାରେ ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଉଦ୍ଦଷ୍ଟ ଥିଲା ଯାହା ଦ୍ୱାରା ସେମାନଙ୍କ ମଧ୍ୟରୁ ଅନେକ ବାହାରକୁ ଆସି ସେମାନଙ୍କ ଦୁଃଖ ଓ ଯାତନାର କଥା ତାଙ୍କ ସମ୍ମୁଖରେ ବଖାଣି ଥିଲେ।
ମମତା ବାନାର୍ଜୀ ସରକାର ମହିଳାଙ୍କ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି, ଯାହାଦ୍ୱାରା ସତ ପଦାକୁ ଆସିବ ନାହିଁ ବୋଲି ଏନସିଡବ୍ଲ୍ୟୁ ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ମହିଳାଙ୍କ ସହ କଥା ହେବା ପରେ ମୁଁ ଜାଣିବାକୁ ପାଇଲି ଯେ, ‘ସନ୍ଦେଶଖାଲିରେ ସ୍ଥିତି ଭୟଙ୍କର। ଅନେକ ମହିଳା ନିଜର ଦୁଃଖ ଓ ଯାତନା ବିଷୟରେ ବର୍ଣ୍ଣନା କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ କହିଥିଲେ ଯେ ଏଠାରେ ଟିଏମସି ଦଳୀୟ କାର୍ଯ୍ୟାଳୟ ଭିତରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଆମେ ଦାବି କରୁଛୁ। ଆମେ ଆମ ରିପୋର୍ଟରେ ମଧ୍ୟ ଏହା ଉଲ୍ଲେଖ କରିବୁ’ ବୋଲି ଶର୍ମା ଗଣମାଧ୍ୟମକୁ କହିଛନ୍ତି।
ଅନ୍ୟପକ୍ଷରେ, ଏନସିଡବ୍ଲ୍ୟୁ ବିଜେପି ପ୍ରଭାବରେ କାମ କରୁଛି ବୋଲି ଟିଏମସିର ଅଭିଯୋଗ ଉପରେ ପ୍ରତିକ୍ରିୟା ପଚରାଯିବାରୁ ଶର୍ମା କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ‘ସେମାନେ ଯାହା ଚାହିଁବେ ତାହା କୁହନ୍ତୁ, ମୁଁ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହିଁ’ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/28live-rekha1.jpg)