ମୁମ୍ବାଇ: ମହାରାଷ୍ଟ୍ର ପୁଣେ ଜିଲ୍ଲାର ବାରାମତୀ ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ଲଢୁଥିବା ସୁପ୍ରିୟା ସୁଲେ ମଙ୍ଗଳବାର ଭୋଟ୍ ଦେବା ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଘରକୁ ଯାଇ ତାଙ୍କ ମା’ଙ୍କୁ ଭେଟିଛନ୍ତି।
ପାୱାର ପରିବାରର ନିଜ ନିର୍ବାଚନ ମଣ୍ଡଳୀ ବାରାମତୀରୁ ଚତୁର୍ଥ ଥର ପାଇଁ ସଂସଦର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବା ସୁଲେ ତାଙ୍କ ସମ୍ପର୍କୀୟ ଭାଇ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ବାରାମତୀ ଆସନ ପାଇଁ ମଙ୍ଗଳବାର ମତଦାନ ଚାଲିଛି। ପ୍ରଥମ ଥର ପାଇଁ ପ୍ରଭାବଶାଳୀ ପାୱାର ପରିବାରର ଦୁଇ ଜଣ ସଦସ୍ୟ ପରସ୍ପର ବିରୋଧରେ ନିର୍ବାଚନ ଲଢୁଛନ୍ତି।
ସୁନେତ୍ର ପାୱାରଙ୍କର ଏହା ହେଉଛି ପ୍ରଥମ ଲୋକସଭା ନିର୍ବାଚନ। ଉପମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ଅଜିତ ପାୱାରଙ୍କ ମା’ଙ୍କ ସହ ସୁଲେଙ୍କ ସାକ୍ଷାତକୁ ଏକ ଭାବପ୍ରବଣ କୌଶଳ ବୋଲି କହିଛନ୍ତି।
ମତାଧିକାର ସାବ୍ୟସ୍ତ କରିବା ପରେ ସୁଲେ ବାରାମତୀର କାଟେୱାଡିସ୍ଥିତ ଅଜିତ ପାୱାରଙ୍କ ଘରେ ପହଞ୍ଚି ତାଙ୍କ ମା’ ଅଶତାଇ ପାୱାରଙ୍କୁ ଭେଟିଥିଲେ। ସାକ୍ଷାତ ପରେ ସୁଲେ ଗଣମାଧ୍ୟମକୁ କହିଛନ୍ତି ଯେ ସେ ତାଙ୍କ ଖୁଡ଼ୀ ଆଶକାକିଙ୍କ ଆଶୀର୍ବାଦ ନେବାକୁ ଆସିଥିଲେ।
ଏନସିପି (ଶରଦଚନ୍ଦ୍ର ପାୱାର) ନେତା କହିଛନ୍ତି, ‘ଏହା ମୋ କାକିଙ୍କ ଘର ଏବଂ ମୁଁ ତାଙ୍କୁ ଭେଟିବାକୁ ଏବଂ ତାଙ୍କ ଆଶୀର୍ବାଦ ନେବାକୁ ଏଠାକୁ ଆସିଥିଲି।’ ଅନ୍ୟପକ୍ଷରେ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଡେପୁଟି ସିଏମ୍ ଫଡନାଭିସ୍ କହିଛନ୍ତି ଯେ ସୁଲେଙ୍କ ଅଜିତ ପାୱାରଙ୍କ ଘରକୁ ଗସ୍ତ ଏକ ଭାବପ୍ରବଣ କୌଶଳ।
ସେମାନେ ରାଜନୈତିକ ବିରୋଧୀ, ଶତ୍ରୁ ନୁହଁନ୍ତି। ସେ (ସୁଲେ) ତାଙ୍କ (ଅଜିତ ପାୱାରଙ୍କ) ଭଉଣୀ। ଆସନ୍ତୁ ଦେଖିବା ଏହି ଭାବପ୍ରବଣ କୌଶଳ କିପରି କାର୍ଯ୍ୟ କରେ ବୋଲି ସେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Capture-1.jpg)