ନୂଆଦିଲ୍ଲୀ : ବାଲେଶ୍ବର ବାହାନଗାରେ ଗତ ୨ ତାରିଖରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ ବିରୋଧୀ ଦଳ ନେତାମାନେ ସରକାରକୁ ଘେରିଛନ୍ତି। ଅନେକ ବିରୋଧୀ ଦଳ ନେତା ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଇତି ମଧ୍ୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଏକ ୪ ପୃଷ୍ଠାର ଚିଠି ଲେଖିଛନ୍ତି। ଏହି ଚିଠିରେ ଖଡ଼ଗେ ରେଳବାଇରେ ଫାଙ୍କା ପଡ଼ିଥିବା ପଦବି, ସିଗନାଲିଙ୍ଗ ସିଷ୍ଟମ ଏବଂ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ ଉଠାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଦୁର୍ଘଟଣା ପ୍ରସଙ୍ଗରେ ଉତ୍ତରଦା‌ୟିତ୍ବ ଦାବି କରିଛନ୍ତି। ରାହୁଲ କହିଛନ୍ତି, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଇସ୍ତଫା ଦେବା ଉଚିତ।

Advertisment

ଖଡ଼ଗେ କହିଛନ୍ତି, ଓଡ଼ିଶାରେ ହୋଇଥିବା ରେଳ ଦୁର୍ଘଟଣା ଆମ ସମସ୍ତଙ୍କ ଆଖି ଖୋଲିଦେବା ଭଳି ହୋଇଛି। ରେଳ ମନ୍ତ୍ରୀଙ୍କ ସମସ୍ତ ଫମ୍ପା ସୁରକ୍ଷା ସଂକ୍ରାନ୍ତ ଦାବି ଏବେ ପଦାରେ ପଡ଼ିଯାଇଛି। ଖଡ଼ଗେ ମଧ୍ୟ ରେଳ ବଜେଟ୍‌କୁ କେନ୍ଦ୍ର ବଜେଟରେ ମିଶାଇବା ପଦକ୍ଷେପକୁ ସମାଲୋଚନା କରିଛନ୍ତି। ଖଡ଼ଗେ କହିଛନ୍ତି, ରେଳବାଇରେ ୩ ଲକ୍ଷ ପୋଷ୍ଟ୍‌ ଖାଲି ପଡ଼ିଛି। ପୂର୍ବତଟ ରେଳବାଇ ତଥା ଦୁର୍ଘଟଣା ହୋଇଥିବା ଅଞ୍ଚଳରେ ୮ ହଜାରରୁ ଅଧିକ ପଦବି ଖାଲି ପଡ଼ିଛି। ସି‌ଏଜି ରିପୋର୍ଟ ଦର୍ଶାଇ ଖଡ଼ଗେ କହିଛନ୍ତି, ୨୦୧୭-୧୮ ଏବଂ ୨୦୨୦-୨୧ରେ ହୋଇଥିବା ୧୦ଟି ଦୁର୍ଘଟଣାରୁ ୭ଟି ଦୁର୍ଘଟଣା ଲାଇନ୍‌ଚ୍ୟୁତ ଯୋଗୁଁ ହୋଇଛି। ଖଡ଼ଗେ କହିଛନ୍ତି, ବର୍ତ୍ତମାନ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମକୁ ରେଳପଥର ସୁରକ୍ଷା ପଦକ୍ଷେପ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ।