ପାକ-ଅଧିକୃତ କଶ୍ମୀରରେ ପୁଣି ଭୂମିକମ୍ପ, ୫୩ ଆହତ

ଇସ୍ଲାମାବାଦ : ପାକ ଅଧିକୃତ କଶ୍ମୀରରେ ଆଜି ପୁଣି ଏକ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହାର ତୀବ୍ରତା ଗତ ୨୪ ତାରିଖରେ ଆସିଥିବା ଭୂମିକମ୍ପଠାରୁ କମ ରହିଥିଲା । ଆଜି ଆସିଥିବା ଭୂମିକମ୍ପର ତୀବ୍ରତା ରିଚର ସ୍କେଲରେ ୪.୭ ଥିଲା ବୋଲି ଆମେରିକାର ଭୂତାତ୍ତ୍ୱିକ ସଂସ୍ଥା କହିଛି । ଏହା ସତ୍ତ୍ୱେ ଏହି ଭୂମିକମ୍ପ ପ୍ରଭାବରେ ପ୍ରାୟ ୫୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି ବୋଲି ପାକିସ୍ତାନୀ ଖବରକାଗଜ ଡନ ରିପୋର୍ଟ ପ୍ରକାଶ କରିଛି । ପୂର୍ବଥର ଭଳି ଏହି ଭୂମିକମ୍ପଟି ମଧ୍ୟ ମୀରପୁର ଜିଲ୍ଲାରେ ଆସିଥିଲା । ଏହି ଭୂମିକମ୍ପର ପ୍ରଭାବ ଲାହୋର, ସିଆଲକୋଟ ଆଦି ସ୍ଥାନରେ ମଧ୍ୟ ଅନୁଭୂତ ହୋଇଥିବା ଜଣାଯାଇଛି ।

ଗତ ମଙ୍ଗଳବାରଦିନ ପାକିସ୍ତାନ ଅଧିକୃତ କଶ୍ମୀର ଓ ପାକିସ୍ତାନର ଅନ୍ୟକେତେକ ସ୍ଥାନରେ ଏକ ବଡ଼ଧରଣର ଭୂମିକମ୍ପ ଆସି ପ୍ରାୟ ୩୮ ଜଣ ଲୋକ ମୃତ୍ୟୁବରଣ କରିଥିଲେ । ଏହାର କେନ୍ଦ୍ରସ୍ଥଳ ମୀରପୁରଠାରୁ ୧ କିମି ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା । ଏହି ଭୂମିକମ୍ପ ଯୋଗୁଁ ପାକିସ୍ତାନ ଅଧିକୃତ କଶ୍ମୀର, ପାକିସ୍ତାନର ପଞ୍ଜାବ, ଖ୍ଵାଇବର ପଖତୁନଖ୍ଵାବା ରାଜ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ।

ସମ୍ବନ୍ଧିତ ଖବର