ନୂଆଦିଲ୍ଲୀ: ଫ୍ରାନ୍ସ ସହ ର‌ାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି ମାମଲାରେ ସୁପ୍ରିମ୍‌ କୋର୍ଟ ଡିସେମ୍ବର ୧୪ରେ ଦେଇଥିବା ରାୟର ପୁନର୍ବିଚାର ପାଇଁ ଆଜି ଦୁଇଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆବେଦନ କରିଛନ୍ତି। ଚୁକ୍ତିକୁ କେବଳ ଉପରଠାଉରିଆ ଭାବେ ଯାଞ୍ଚ କରାଯାଇ ରାୟ ଦିଆଯାଇଛି। ତେଣୁ ଚୁକ୍ତି ସଂକ୍ରାନ୍ତ ସମସ୍ତ ଦସ୍ତାବିଜର ପୁଙ୍ଖା‌ନୁପୁଙ୍ଖ ଯାଞ୍ଚ କରି ରାୟର ପୁନର୍ବିଚାର କରାଯିବା ଆବଶ୍ୟକ ବୋଲି ମନ୍ତ୍ରୀଦ୍ବୟ ଦର୍ଶାଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶୱନ୍ତ ସିହ୍ନା ଏବଂ ଅରୁଣ ସୌରୀ ବୁଧବାର ସୁପ୍ରିମ୍‌ କୋର୍ଟରେ ଏହି ଆବେଦନ କରି କହିଛନ୍ତି ଯେ ରାଫେଲ୍‌ ଚୁକ୍ତି ବାବଦରେ ଏ ପର୍ଯ୍ୟନ୍ତ ସିଏଜି କୌଣସି ରିପୋର୍ଟ ଦେଇନାହାନ୍ତି। ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ସହ ସୁପ୍ରିମ୍‌ କୋର୍ଟରେ କରିଥିବା ନିଜ ଆବେଦନରେ ମନ୍ତ୍ରୀ ଦ୍ବୟ ଦର୍ଶାଇଛନ୍ତି ଯେ ରାଫେଲ୍‌ ଚୁକ୍ତିରେ ହାଲ୍‌ (ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍) ବାବଦରେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏହି ତ୍ରୁଟି ସରକାରଙ୍କ ପକ୍ଷରୁ ହୋଇଥିଲା। ଏମିତି କି ତ୍ରୁଟିପୂର୍ଣ୍ଣ ରିପୋର୍ଟକୁ ଆଧାର କରି ସରକାର ବିନା ଦସ୍ତଖତରେ ଜଉମୁଦ ଲଫାପାରେ ଅଫ୍‌ସେଟ୍‌ ସହଯୋଗୀ ସଂକ୍ରାନ୍ତ ନିଷ୍ପତ୍ତି ନେଇଥିଲେ। ସ୍ବାଭାବିକ ନ୍ୟାୟକୁ ପ୍ରବଳ ମାତ୍ରାରେ ଏହା ପ୍ରଭାବିତ କରିଥିଲା। ଆବେଦନକାରୀମାନେ ଆହୁରି ଦର୍ଶାଇଛନ୍ତି ଯେ ସୁପ୍ରିମ୍‌ କୋର୍ଟ ନିଜ ରାୟ ସଂରକ୍ଷିତ ରଖିବା ପରେ ସରକାରଙ୍କ ପକ୍ଷରୁ ଆହୁରି ଅନେକ ତଥ୍ୟ ଉପସ୍ଥାପନ କରାଯାଇଥିଲା, ଯାହାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌ କୋର୍ଟ ନିଜ ରାୟ ଶୁଣାଇଥିଲେ। ତା’ଛଡ଼ା ଏ ପର୍ଯ୍ୟନ୍ତ ଚୁକ୍ତିର ବିଭିନ୍ନ ଦିଗକୁ ସିଏଜି ଯାଞ୍ଚ କରିନାହାନ୍ତି ବୋଲି ସେମାନେ କହିଛନ୍ତି।