ପୁଣି ରଙ୍ଗ ବଦଳାଇଲା ଚୀନ୍‌

ଭାରତ ସହ ସଂପର୍କ ମଜବୁତ ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଭାରତର ପ୍ରୟାସକୁ ଜାତିସଂଘରେ ଲଗାତାର ଚୀନ୍‌ ନିଜ ଭିଟୋ ଦ୍ୱାରା ଭଣ୍ଡୁର କରିଆସିଛି। ଦିନକ ତଳେ ପୁଣି ଭାରତର ପ୍ରସ୍ତାବ ବିରୋଧରେ ଭିଟୋ ପ୍ରୟୋଗ କରି ମାସୁଦକୁ ଚୀନ୍‌ ସୁରକ୍ଷା ଦେଇଥିବାରୁ ଏଥିରେ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆତଙ୍କବାଦ ନେଇ ଚୀନ୍‌ର ଦୋମୁହାଁ ନୀତି ଏବଂ ଏହାର ଅସଲ ଚରିତ୍ର ପଦାରେ ପଡ଼ିଯାଇଥିବା ଭାରତ କହିଥିବା ବେଳେ ଚୀନ୍‌ର ବିରୋଧ ସତ୍ତ୍ୱେ ଭାରତର ପ୍ରସ୍ତାବ କଦାପି ଦୁର୍ବଳ ହେବନାହିଁ ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର କହିଛନ୍ତି। ଆସନ୍ତା ଡିସେମ୍ବର ୧୧ରେ ଭାରତ-ଚୀନ୍‌ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ମାସୁଦ ଆଝାର ମାମଲାରେ ଭାରତ-ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଥିବା ଚୀନ୍‌କୁ ଭାରତ କଡ଼ା ବାର୍ତ୍ତା ଦେବାପରେ ଏବେ ଚୀନ୍‌ ହଠାତ ତା’ର ରଙ୍ଗ ବଦଳାଇଛି। କୋଲାକାତାରେ ଅବସ୍ଥାପିତ ଚୀନ୍‌ର କନ୍‌୍‌ସଲ ଜେନେରାଲ ମା’ ଝାନ୍‌ଓ୍ଵୁ କହିଛନ୍ତି ଯେ ଉଭୟ ରାଷ୍ଟ୍ର ମଧ୍ୟରେ ଯେଉଁ ବିଶ୍ୱାସର ସଙ୍କଟ ସୃଷ୍ଟି ହୋଇଛି ତାହା ଦ୍ୱିପାକ୍ଷିକ ସଂପର୍କକୁ ପ୍ରଭାବିତ କରୁଛି। ଉଭୟ ରାଷ୍ଟ୍ରର ସ୍ୱାର୍ଥରେ ଦ୍ୱିପାକ୍ଷିକ ସଂପର୍କକୁ ମଜବୁତ କରିବା ପାଇଁ ବିଶ୍ୱାସ ସୃଷ୍ଟିକାରୀ ପ୍ରୟାସ ବୃଦ୍ଧି ନିମନ୍ତେ ସେ ଗୁରୁତ୍ୱାରୋପ କରିଛନ୍ତି। ଚୀନ୍‌ ସରକାର କେବେ ବି ବିସ୍ତାରବାଦ ନୀତିରେ ବିଶ୍ୱାସ କରନ୍ତି ନାହିଁ ଏବଂ ଭାରତ ପାଇଁ ଆମେ କଦାପି ବିପଦର କାରଣ ହେବୁନାହିଁ ବୋଲି ସେ କହିଛନ୍ତି।

ଗୋଟିଏ ପଟେ ଜାତିସଂଘରେ ଭାରତର ପ୍ରସ୍ତାବ ବିରୋଧରେ ଭିଟୋ ପ୍ରୟୋଗ କରି ଚୀନ୍‌ ଏଥିରେ ବାଧା ସୃଷ୍ଟି କରୁଥିବା ବେଳେ ଅନ୍ୟପଟେ ଭାରତ ବିରୋଧରେ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଚାଲିଥିବା ପାକିସ୍ତାନର ପରମ ମିତ୍ର ପାଲଟିଛି। ପାକ୍‌ ଅଧିକୃତ କଶ୍ମୀରରେ ପାକ୍‌-ଚୀନ୍‌ ଆର୍ଥିକ କରିଡର ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଚାଲିଛି ଏବଂ ଏହାକୁ ଭାରତ ଜୋର୍‌୍‌ଦାର ବିରୋଧ କରି ଆସିଛି। ଡିସେମ୍ବରରେ ଉଭୟ ରାଷ୍ଟ୍ରର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାରେ ଏହି ପ୍ରସଙ୍ଗ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର