ପୁଣି ଭୟ ବଢ଼ାଉଛି କରୋନା: ଚୀନ୍‌ରେ ଫେରିଲା ଲକ୍‌ଡାଉନ୍‌, ରୁଷ୍‌ରେ ରେକର୍ଡ ସଂକ୍ରମଣ

ବ୍ରିଟେନ୍‌ରେ ଡେଲଟାର ନୂଆ ପ୍ରଜାତି ପାଇଁ ସଂକ୍ରମଣ ମାଡ଼ୁଛି

ବେଜିଂ: କରୋନା ସଂକ୍ରମଣ ପୁଣି ଭୟ ବଢ଼ାଇଛି। ଦେଶରେ ସଂକ୍ରମଣ କମିଛି। କିନ୍ତୁ ବିଶ୍ବର ଅନ୍ୟ ପ୍ରମୁଖ ରାଷ୍ଟ୍ରମାନଙ୍କରେ ଏବେ ସଂକ୍ରମଣ ମାଡ଼ିବାରେ ଲାଗିଛି। ଚୀନ୍‌ରେ ହଠାତ୍‌ ସଂକ୍ରମଣ ବଢ଼ିବାରୁ ସେଠାରେ ଲକ୍‌ଡାଉନ୍‌ ଫେରିଛି। ଚୀନ୍‌ରେ ଡେଲ୍‌ଟା ପ୍ରଜାତି ସଂକ୍ରମଣ ବଢ଼ାଇଛି। ଡେଲ୍‌ଟା ପାଇଁ ଏକ ସ୍ବୟଂଶାସିତ ଅଞ୍ଚଳ ଏଜିନ୍‌ରେ ଅଚାନକ ସଂକ୍ରମଣ ବଢ଼ିଯିବାରୁ ଏଠାରେ ଲକ୍‌ଡାଉନ୍‌ ହୋଇଛି। ଏଜିନରେ ୩୫,୭୦୦ ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ଷୁଦ୍ର ସ୍ବୟଂଶାସିତ ଅଞ୍ଚଳ ଏବେ ନୂଆ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି। ଚୀନରେ ଗତ ସପ୍ତାହରେ ଚିହ୍ନଟ ହୋଇଥିବା ସଂକ୍ରମଣ ମାମଲାର ପ୍ରାୟ ଏକ ତୃତୀୟାଂଶ ଏଜିନରେ ହିଁ ଚିହ୍ନଟ ହୋଇଛି। ଚୀନ୍‌ରେ କରୋନା ସଂକ୍ରମଣ ସପ୍ତାହକ ମଧ୍ୟ‌ରେ ୧୧ଟି ପ୍ରଦେଶରେ ପହଞ୍ଚିଥିବାରୁ ଏନ୍‌ଏଚ୍‌ସି (ଜାତୀୟ ସ୍ବାସ୍ଥ୍ୟ କମିସନ୍‌) ସଂକ୍ରମଣ ଅଧିକ ବଢ଼ିବା ନେଇ ଚିନ୍ତା ପ୍ରକାଶ କରିଛି। ତେଣୁ ସଂକ୍ରମଣ ରୋକିବାକୁ ଚୀନ୍‌ରେ ପୁଣି ଲକ୍‌ଡାଉନ୍‌ ଆରମ୍ଭ ହୋଇଛି।

ବ୍ରିଟେନ୍‌ରେ ବି ସଂକ୍ରମଣ ବଢ଼ିବା‌ରେ ଲାଗିଛି। ନୂଆ ଡେଲ୍‌ଟା ପ୍ରଜାତି ଏୱାଇ ୪.୨ ପାଇଁ ବ୍ରିଟେନ୍‌ରେ ସଂକ୍ରମଣ ଉପରମୁହାଁ ହୋଇଛି। ବ୍ରି‌ଟେନ୍‌ରେ ଏବେ ଦୈନିକ ସଂକ୍ରମଣ ୫୦ ହଜାର ପାଖାପାଖି ରହୁଛି। ବ୍ରି‌ଟେନ ସ୍ବାସ୍ଥ୍ୟ ସୁରକ୍ଷା ସଚିବଙ୍କ ଅନୁଯାୟୀ ଗତ ସପ୍ତାହ‌ରେ ବ୍ରିଟେନ‌ରେ ଚିହ୍ନଟ ହୋଇଥିବା ମୋଟ୍‌ ସଂକ୍ରମଣ ମାମଲାର ୬ ପ୍ରତିଶତ କେବଳ ଏୱାଇ ୪.୨ର ରୂପାନ୍ତରଣ ପାଇଁ ହୋଇଛି। ରୁଷ୍‌ରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିବାରେ ଲାଗିଛି। ରୁଷରେ ଆଜି ରେକର୍ଡ ସଂଖ୍ୟକ ସଂକ୍ରମଣ ଚିହ୍ନଟ ହୋଇଛି। ଗୋଟିଏ ପଟେ ରୁଷ୍‌ରେ ସଂକ୍ରମଣ ବଢ଼ି ଚାଲିଥିବାବେଳେ ଅନ୍ୟପ‌‌କ୍ଷେ ଟିକାକରଣ ମନ୍ଥର ହୋଇଛି। ତେଣୁ ରୁଷ୍‌ରେ କୋଭିଡ୍‌ କଟକଣା କଡ଼ାକଡ଼ି କରାଯାଇଛି। ରୁଷ୍‌ରେ ଆଜି ୩୭,୯୩୦ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୧,୦୬୯ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ବିଶ୍ବରେ ମୋଟ୍‌ ସଂକ୍ରମଣ ସଂଖ୍ୟା ୨୪୪,୫୬୦,୬୫୨। ୪,୯୬୬,୪୭୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଆମେରିକାରେ ସର୍ବାଧିକ ସଂକ୍ରମଣ ମାମଲା ଥିବାବେଳେ ଆମେରିକା ପଛକୁ ଭାରତ ଦ୍ବିତୀୟରେ, ବ୍ରାଜିଲ୍‌ ତୃତୀୟ, ବ୍ରିଟେନ୍‌ ଚତୁର୍ଥ ଏବଂ ରୁଷ୍‌ ସର୍ବାଧିକ ସଂକ୍ରମଣ କ୍ଷେତ୍ରରେ ପଞ୍ଚମ ସ୍ଥାନରେ ରହିଛି। ବ୍ରିଟେନ୍‌ରେ ମୋଟ୍‌ ସଂକ୍ରମଣ ମାମଲା ୮,୭୭୩,୭୬୩ ଏବଂ ରୁଷ୍‌ରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୮,୨୭୯,୫୭୩ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର