ପୁଣି ଭୟ ବଢ଼ାଇଲା କରୋନା: ଚୀନ୍, ଜର୍ମାନୀ, ବ୍ରିଟେନରେ ମାଡ଼ିଲାଣି

ବେଜିଂ: ଚୀନ୍, ଜର୍ମାନୀ ଓ ବ୍ରିଟେନରେ କରୋନାର ନୂଆ ଲହର ଦେଖିବାକୁ ମିଳିଛି। ସଂକ୍ରମଣ ବଢ଼ିବା ଯୋଗୁ ଚୀନ୍ ୯ ନିୟୁତ ଲୋକ ବସବାସ କରୁଥିବା ଚାଙ୍ଗଚୁନ ସହରରେ ଲକ୍‌ଡାଉନ୍ ଲାଗୁ କରିଛି। ନୂଆ ଲକ୍‌ଡାଉନ୍ ନିୟମ ଅନୁସାରେ, ପରିବାରର ସବୁ ସଦସ୍ୟଙ୍କୁ ଘରେ ରହିବାକୁ କୁହାଯାଇଛି। ପରିବାରର କେବଳ ଜଣେ ସଦସ୍ୟ ପ୍ରତି ଦୁଇଦିନରେ ଥରେ ବାହାରକୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଇପାରିବେ। ଜର୍ମାନୀରେ ବି ସଂକ୍ରମଣ ବୃଦ୍ଧି ପାଇଛି। ଏଠାରେ ପ୍ରଥମ ଥର ପାଇଁ ଦୈନିକ ଅଢ଼େଇ ଲକ୍ଷ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବ୍ରିଟେନରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି। ମାର୍ଚ୍ଚମାସରେ ଦୈନିକ ସଂକ୍ରମଣ ହଠାତ୍ ବୃଦ୍ଧି ପାଇଛି। ଫଳରେ ହସ୍ପିଟାଲ‌ଗୁଡ଼ିକରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି।

ଚୀନ୍‌ରେ ଶନିବାର ୩,୩୦୦ରୁ ଅଧିକ ନୂତନ କୋଭିଡ୍-୧୯ ସଂକ୍ରମଣ ରିପୋର୍ଟ ହୋଇଛି। ଗତ ଦୁଇବର୍ଷରେ ଏହା ସର୍ବାଧିକ। ମହାମାରୀ ଆରମ୍ଭରୁ ଦେଶରେ ଗୋଟିଏ ଦିନରେ ଏତେ ସଂକ୍ରମଣ ହୋଇ ନ ଥିଲା। ଅଧିକାରୀମାନେ ଏହାକୁ ରୋକିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଚୀନରେ ୧,୮୦୭ ସ୍ଥାନୀୟ ସଂକ୍ରମଣ ରିପୋର୍ଟ ହୋଇଥିବାବେଳେ ୧,୩୧୫ ଜଣ ସଂକ୍ରମିତ ବ୍ୟକ୍ତିଙ୍କଠାରେ କୌଣସି ଲକ୍ଷଣ ନାହିଁ ବୋଲି ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ରବିବାର ପ୍ରକାଶ କରିଛି। ଜିଲିନ୍‌ ପ୍ରଦେଶରେ ୨,୧୦୦ରୁ ଅଧିକ ସଂକ୍ରମଣ ରିପୋର୍ଟ କରାଯାଇଛି। ଦେଶରେ ୨୦୦ରୁ ଅଧିକ ବ୍ୟକ୍ତି ବାହାର ଦେଶରୁ ସଂକ୍ରମିତ ହୋଇ ଆସିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସଂକ୍ରମଣକୁ କମାଇବା ପାଇଁ କେତେକ ଅଞ୍ଚଳରେ ଲକ୍‌ଡାଉନ୍‌ଠାରୁ ଆରମ୍ଭ କରି ୱାର୍କ ଫ୍ରମ୍ ହୋମ୍ ପରି ପଦକ୍ଷେପମାନ ନିଆଯାଇଛି। ଅନ୍ୟପକ୍ଷରେ ଚୀନ୍‌ର ନ୍ୟାସନାଲ ମେଡିକାଲ ପ୍ରଡକ୍ଟସ ଆଡ୍‌ମିନିଷ୍ଟ୍ରେସନ (ଏନ୍‌ଏମ୍‌ପିଏ) ଶୁକ୍ରବାର ଏକ ବିଜ୍ଞପ୍ତି ପ୍ରକାଶ କରିଛି ଯେ ବେଜିଂ ହୁଆକେଟାଇ ବାୟୋଟେକ୍ନୋଲୋଜିକୁ ଏହାର କୋଭିଡ୍‌-୧୯ ଆଣ୍ଟିଜେନ୍ ଟେଷ୍ଟ କିଟ୍ ପ୍ରମାଣପତ୍ରରେ ପରିବର୍ତ୍ତନ ଆଣିବାକୁ ଅନୁମତି ଦିଆଯାଇଛି। ଏଥି ସହ ସ୍ବୟଂ ପରୀକ୍ଷଣ ପାଇଁ ସ୍ଥାନୀୟ କମ୍ପାନିଗୁଡିକ ଦ୍ବାରା ନିର୍ମିତ ଅନ୍ୟ ୪ଟି କୋଭିଡ୍‌-୧୯ ଆଣ୍ଟିଜେନ୍ କିଟ୍‌କୁ ଚୀନ୍ ଅନୁମୋଦନ ଦେଇଛି। ସେଗୁଡ଼ିକ ହେଉଛି ନାନଜିଂ ଭାଜାଇମ୍ ବାୟୋଟେକ୍, ଗୁଆଙ୍ଗଝୋ ଓଣ୍ଡଫୋ ବାୟୋଟେକ୍, ବେଜିଂ ଜିନଓଫୁ ବାୟୋଇଞ୍ଜିନିୟରିଂ ଟେକ୍ନୋଲୋଜି ଏବଂ ଏକ ବିଜିଆଇ ଜେନୋମିକ୍ସ ସହାୟକ କମ୍ପାନି ଶେନଜେନ୍ ହୁଆଡା ୟିନୟୁଆନ୍ ଫାର୍ମାସ୍ୟୁଟିକାଲ୍ ଟେକ୍ନୋଲୋଜି। କିଟ୍‌ଗୁଡ଼ିକ ବଜାରରୁ କିଣି ଲୋକମାନେ ନିଜେ ଭୂତାଣୁ ଦ୍ବାରା ସଂକ୍ରମିତ କି ନା ପରୀକ୍ଷା କରିପାରିବେ।

ସମ୍ବନ୍ଧିତ ଖବର