ପୁଣି ଗଣଆତ୍ମହତ୍ୟା:ଘରୁ ମିଳିଲା ୭ ଜଣଙ୍କ ଶବ

ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ

ରାଞ୍ଚି: ନିକଟରେ ଝାଡ଼ଖଣ୍ଡର ହଜାରୀବାଗ ଅଞ୍ଚଳରେ ଗୋଟିଏ ପରିବାରର ୬ ଜଣଙ୍କ ଆତ୍ମହତ୍ୟା ଖବର ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଆଜି ଆଉଏକ ଗଣଆତ୍ମହତ୍ୟା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ରାଜ୍ୟ ରାଜଧାନୀ ରାଞ୍ଚିରେ ଗୋଟିଏ ପରିବାରର ୭ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରେ ୫ ଜଣ ବୟସ୍କ ଥିବା ବେଳେ ଦୁଇଜଣ ଶିଶୁ ଅଛନ୍ତି। ରାଞ୍ଚିର କାଙ୍କେ ଅନ୍ତର୍ଗତ ଆର୍ସାଣ୍ଡେଠାରେ ଘଟଣା ଘଟିଛି।
ରାଞ୍ଚି ଏସ୍‌ପି ଅନିଶ ଗୁପ୍ତାଙ୍କ କହିବାନୁଯାୟୀ ସ୍ଥାନୀୟ ଲୋକଙ୍କଠାରୁ ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପୂର୍ବାହ୍ନ ୧୧ଟାରେ ପହଞ୍ଚିଥିଲା। ଘର ମଧ୍ୟରେ ୭ଟି ଶବ ପଡ଼ିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। କିନ୍ତୁ ସତ୍ୟାସତ୍ୟ ଜାଣିବା ସକାଶେ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍‌ ପଠାଯାଇଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଉକ୍ତ ପରିବାରର ପଡ଼ୋଶୀ ଲୋକଙ୍କୁ ପଚରାଉଚରା କରାଯାଉଛି। ତେବେ ମୃତକଙ୍କ ମଧ୍ୟରେ ଦୁଇଜଣ ବରିଷ୍ଠ ନାଗରିକ ରହିଥିବା ବେଳେ ସେମାନଙ୍କର ଦୁଇପୁଅ, ଜଣେ ବୋହୂ ଓ ଦୁଇଜଣ ପିଲା ରହିଛନ୍ତି। ସମସ୍ତଙ୍କୁ ଝୁଲନ୍ତାରେ ଅବସ୍ଥାରେ ଉଦ୍ଧାର କରାଯାଇଥିବାରୁ ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି। ଘଟଣାଟି ରାଞ୍ଚି ଜିଲ୍ଲା ମୁଖ୍ୟାଳୟଠାରୁ ୧୦ କିଲୋମିଟର ଦୂରରେ ଘଟିଛି।
ପଡ଼ୋଶୀଙ୍କ ସୂତ୍ରରୁ ଜଣାଯାଇଛି ଯେ ଏହି ପରିବାର ବିହାର ଭାଗଲପୁରର ମୂଳ ବାସିନ୍ଦା ଥିଲେ। କିନ୍ତୁ ଏଠାକୁ ଆସି ଘରର ବଡ଼ ପୁଅ ଦୀପକ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଭଡ଼ାଘର ନେବା ପରେ ସମସ୍ତଙ୍କୁ ନେଇ ଚାଲିଆସିଥିଲେ। କିନ୍ତୁ ଏଠାରେ ଚଳିବା ମୁସ୍କିଲ ହୋଇଯାଇଥିଲା। ପରିବାର ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହେଉଥିଲା। ଅନ୍ୟପକ୍ଷରେ ମୃତକଙ୍କ ଅନ୍ୟ ସମ୍ପର୍କୀୟଙ୍କ କହିବାନୁସାରେ ସେମାନେ ଆର୍ଥିକ ସମସ୍ୟାର ଶିକାର ଥିଲେ। ସେମାନଙ୍କ ବୟାନରୁ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଏହାକୁ ମିଶାଇ ସ୍ୱଳ୍ପ ବ୍ୟବଧାନରେ ଦେଶରେ ୩ଟି ଛାତିଥରା ଗଣଆତ୍ମହତ୍ୟା ଘଟଣା ଘଟିଲାଣି। ଜୁନ୍‌ ୩୦ରେ ଦିଲ୍ଲୀର ବୁରାଡ଼ିଠାରେ ଗୋଟିଏ ପରିବାରର ୧୧ ଜଣ ଲୋକ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଶବ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ଘରର ସବୁଠୁ ବୟସ୍କା ୭୭ ବର୍ଷୀୟା ନାରାୟଣଦେବୀଙ୍କ ଶବ ଚଟାଣରେ ପଡ଼ିଥିଲା। ତେବେ ପରିବାରର ସାନ ପୁଅ କୌଣସି ତନ୍ତ୍ରମନ୍ତ୍ରର ଶିକାର ହୋଇ ଶେଷରେ ଆତ୍ମହତ୍ୟାର ବାଟ ବାଛିଥିଲେ ଏବଂ ସମସ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ। ଏହାପରେ ଜୁଲାଇ ୧୫ରେ ଝାଡ଼ଖଣ୍ଡର ହଜାରୀବାଗରେ ଗୋଟିଏ ପରିବାରର ୬ ଜଣ ଲୋକ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର