ସୀମା ଅଶାନ୍ତ: ଦୁଇ ସେନା ପୁଣି ମୁହାଁମୁହିଁ, ୪୫ ବର୍ଷ ପରେ ସୀମାରେ ଫୁଟିଲା ଗୁଳି

ବର୍ଚ୍ଛା, ରଡ୍‌ ଧରି ମାଡ଼ିଆସିଲେ ଚୀନର ୫୦ ସୈନିକ

ନୂଆଦିଲ୍ଲୀ: ଚୀନ ସେନାର ବଦମାସୀ ସବୁ ସୀମା ସରହଦ ଟପିଗଲାଣି। ସୀମାରେ ବାରମ୍ବାର ଭାରତୀୟ ଯବାନଙ୍କୁ ଉସକାଇବା ସହିତ ଅନୁପ୍ରବେଶ ଉଦ୍ୟମ ଚଳାଇଛି। ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ ହ୍ରଦ ନିକଟରେ ଏଥିପାଇଁ ଗତ ଜୁନ୍ ୧୫ ତାରିଖରେ ଦୁଇ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। ସେହି ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଚୀନ ସେନା ଗତମାସରେ ଦୁଇ ଦୁଇ ଦୁଇ ଥର ଭାରତର ସୀମାରେ ଅନୁପ୍ରବେଶ କରିଥିଲା। ଏହାକୁ ମଧ୍ୟ ଭାରତୀୟ ସେନା ପଣ୍ଡ କରିଥିଲା। ଏହି ଘଟଣାକୁ ସପ୍ତାହେ ନପୂରୁଣୁ ଚୀନ ସେନା ପୁଣି ସୀମାରେ ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରିଛି। ପୂର୍ବ ଲଦାଖର ମୁଖପାରି ପର୍ବତ ଶିଖର ଓ ରେକିନ ଲା ନିକଟରେ ଭାରତୀୟ ଯବାନଙ୍କୁ ଡରାଇବା ପାଇଁ ଚୀନ ସେନା ୧୦ରୁ ୧୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଛି।

ସୂଚନା ମୁତାବକ ଚୀନ ସେନାର ୫୦ ଜଣ ସୈନିକ ସୋମବାର ସନ୍ଧ୍ୟା ପ୍ରାୟ ୬ଟାବେଳେ ପୂର୍ବ ଲଦାଖର ମୁଖପାରି ପର୍ବତ ଶିଖର ନିକଟରେ ଭାରତୀୟ ସେନା ଆଡ଼କୁ ମାଡ଼ି ଆସିଥିଲେ। ଭାରତୀୟ ଯବାନଙ୍କୁ ଗୁରୁତ୍ବପୂର୍ଣ୍ଣ ମୁଖପାରି ପର୍ବତ ଶିଖର ଓ ରେକିନ ଲାରୁ ହଟାଇବା ସେମାନଙ୍କ ଉଦ୍ଦେଶ୍ୟ ଥିଲା। ଚୀ‌ନ ସେନା ରଡ୍‌, ବର୍ଚ୍ଛା ଓ ଅନ୍ୟାନ୍ୟ ଧାରୁଆ ଅସ୍ତ୍ର ସହ ଭାରତୀୟ ଯବାନଙ୍କ ଆଡ଼କୁ ମାଡ଼ି ଆସିଥିଲେ। ଭାରତୀୟ ଯବାନମାନେ ସେମାନଙ୍କୁ ପ୍ରତିରୋଧ କରିଥିଲେ। ସେହି ସମୟରେ ଭାରତୀୟ ଯବାନଙ୍କୁ ଡରାଇବା ପାଇଁ ଚୀନ ସେନା ୧୦ରୁ ୧୫ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲା। ଏଲ୍‌ଏସିରେ ଦୀର୍ଘ ପ୍ରାୟ ୪୫ ବର୍ଷ ପରେ ଗୁଳି ଫୁଟିଛି। ପୂର୍ବରୁ ୧୯୭୫ ମସିହାରେ ଅରୁଣାଚଳ ପ୍ରଦେଶର ଏଲଏସି ନିକଟରେ ଚୀନ ସେନା ଗୁଳି ଫୁଟାଇଥିଲା। ଗୁଳି ଫୁଟାଇ ଡରାଇବା ସତ୍ତ୍ବେ ଭାରତୀୟ ଯବାନମାନେ ପୂର୍ବ ଲଦାଖର ମୁଖପାରି ପର୍ବତ ଶିଖର ଓ ରେକିନ ଲାରେ ସେମାନଙ୍କ ନିୟନ୍ତ୍ରଣରେ ରଖିଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି।

ତେବେ ପୂର୍ବ ଲଦାଖରେ ଭାରତୀୟ ଯବାନମାନେ ଚୀନ ସେନାକୁ ଉସୁକାଉଛି ଏବଂ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)କୁ ଅତିକ୍ରମ କରିଛି ବୋଲି ଚୀନ ଯେଉଁ ଅଭିଯୋଗ କରିଛି ତାହାକୁ ଭାରତ ଦୃଢ଼ଭାବେ ଖଣ୍ଡନ କରିଛି। ଆଜି ପୂର୍ବରୁ ଭାରତୀୟ ସେନା ପକ୍ଷରୁ ଚୀନର ଅଭିଯୋଗକୁ ମଧ୍ୟ ଖଣ୍ଡନ କରାଯାଇଥିଲା। ଭାରତୀୟ ସେନା କହିଥିଲା ଯେ ଆମେ ଏଲଏସିକୁ କୌଣସି ପରିସ୍ଥିତିରେ ଅତିକ୍ରମ କରିନାହୁଁ ଏବଂ କିମ୍ବା ଆକ୍ରମଣ ପାଇଁ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରିନାହୁଁ କିମ୍ବା ଗୁଳି ଫୁଟାଇନାହୁଁ। କିନ୍ତୁ ଦକ୍ଷିଣ ପୋଙ୍ଗଙ୍ଗ୍ ସୋ ହ୍ରଦ ଅଞ୍ଚଳର ପର୍ବତ ଶିଖରରେ ଭାରତୀୟ ସେନାର ପ୍ରାଧାନ୍ୟ ପୂର୍ବବତ୍ ଜାରି ରହିଛି। ଭାରତର ସଂହତି ଓ ସାର୍ବଭୌମତ୍ବକୁ ବଜାୟ ରଖିବା ପାଇଁ ଭାରତୀୟ ସେନା ପ୍ରତିଶ୍ରୁତିବଦ୍ଧ ରହିଛି ବୋଲି ସେନା ପକ୍ଷରୁ କୁହାଯାଇଛି। ସୀମାରେ ଉତ୍ତେଜନା ଦେଖାଦେଇଥିବା ବେଳେ ନିକଟରେ ମସ୍କୋଠାରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଚୀନ ପ୍ରତିପ୍ରକ୍ଷଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ। ଏହାବ୍ୟତୀତ ସୀମାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ପରଠାରୁ ପ୍ରାୟ ପ୍ରତିଦିନ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଆସୁଛି। ଏଥିସହିତ ଆସନ୍ତା ୧୦ ତାରିଖରେ ମସ୍କୋଠାରେ ସାଂଘାଇ ସହଯୋଗ ସଂଘର ବୈଠକରେ ଯୋଗଦେବା ଅବସରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ତାଙ୍କ ଚୀନ ପ୍ରତିପକ୍ଷ ଵାଙ୍ଗ୍‌ ଵିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏସବୁ ଆଲୋଚନା ସତ୍ତ୍ବେ ଚୀନ ସେନା ଉପରେ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ କୌଣସି ପ୍ରଭାବ ପଡ଼ୁ ନାହିଁ।

ସୀମାସଂକ୍ରାନ୍ତ ଯାବତୀୟ ଘଟଣାବଳୀକୁ ଅନୁଧ୍ୟାନ କରି ପରିସ୍ଥିତି ଅତ୍ୟନ୍ତ ଅଶାନ୍ତ ଓ ଗମ୍ଭୀର ରହିଛି ଏବଂ ଏହାର ସମାଧାନ ପାଇଁ ଗଭୀର ରାଜନୈତିକ ଆଲୋଚନାର ଆବଶ୍ୟକତା ରହିଛି ବୋଲି ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି। ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ସ୍ଥିତିରୁ ସାମ୍ପ୍ରତିକ ସୀମା ସ୍ଥିତିକୁ କେବେ ବାଦ୍‌ ଦିଆଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର