ଜଷ୍ଟିସ୍‌ ଯୋଶେଫ୍‌ଙ୍କ ନାମକୁ ପୁଣି ସୁପାରିସ୍‌ ପାଇଁ କହିଲେ

ପ୍ରଧାନ ବିଚାରପତିଙ୍କୁ ଜଷ୍ଟିସ୍‌ ଚେଲମେଶ୍ୱରଙ୍କ ଚିଠି

ନୂଆଦିଲ୍ଲୀ: ଜଷ୍ଟିସ୍‌ କେ.ଏମ୍‌ ଯୋଶେଫଙ୍କ ପଦୋନ୍ନତି ପ୍ରସଙ୍ଗରେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ଜେ.ଚେଲମେଶ୍ୱର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଚିଠି ଲେଖିଛନ୍ତି। ଜଷ୍ଟିସ୍‌ ଯୋଶେଫ ପଦୋନ୍ନତି ପାଇଁ ସଂପୂର୍ଣ୍ଣ ଯୋଗ୍ୟ ଥିବାରୁ ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ତାଙ୍କର ନିଯୁକ୍ତି ନେଇ ରହିଥିବା ପ୍ରତିବନ୍ଧକ ଦୂର କରିବାକୁ ଚେଲମେଶ୍ୱର ଗୁରୁତ୍ୱାରୋପ କରିଛନ୍ତି। ବରିଷ୍ଠତା ଆଧାରରେ ଜଷ୍ଟିସ୍‌ ଯୋଶେଫଙ୍କ ନିଯୁକ୍ତି ସୁପାରିସକୁ କେନ୍ଦ୍ର ଆଇନ ମନ୍ତ୍ରାଳୟ ଖାରଜ କରି ଯେଉଁ ପ୍ରଶ୍ନ ଉଠାଇଥିଲେ ତାହାର ସମସ୍ତ ଉତ୍ତର ମଧ୍ୟ ଜଷ୍ଟିସ୍‌ ଚେଲମେଶ୍ୱର ତାଙ୍କ ଚିଠିରେ ଉଲ୍ଳେଖ କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବରିଷ୍ଠତା ଓ ରାଜ୍ୟସ୍ତରୀୟ ପ୍ରତିନିଧିତ୍ୱ ପ୍ରସଙ୍ଗ ଉଠାଇ ଜଷ୍ଟିସ ଯୋଶେଫ୍‌ଙ୍କ ନାମକୁ ଖାରଜ କରିଥିଲେ। ଜଷ୍ଟିସ ଚେଲମେଶ୍ୱର କହିଛନ୍ତି ଯେ ଜଷ୍ଟିସ ଯୋଶେଫ୍‌ଙ୍କ ନାମକୁ ପୁଣିଥରେ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିବା ଜରୁରୀ। ଉଲ୍ଳେଖଯୋଗ୍ୟ, ଗତ ସପ୍ତାହରେ କେରଳ ଗସ୍ତ ସମୟରେ କଲେଜିୟମର ବିଚାରପତି ଜଷ୍ଟିସ୍‌ କୁରିଏନ ଯୋଶେଫ ମଧ୍ୟ ପୁଣିଥରେ ଏହି ନିଯୁକ୍ତି ସୁପାରିସକୁ ଶତ ପ୍ରତିଶତ ସମର୍ଥନ କରୁଥିବା କହିଥିଲେ।

କଲେଜିୟମ ବୈଠକ ଆଜି
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ କେ.ଏମ.ଯୋଶେଫଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ସୁପାରିସକୁ କେନ୍ଦ୍ର ସରକାର ଖାରଜ କରିବା ପରେ ଏହାକୁ ନେଇ ତୀବ୍ର ବିବାଦ ଦେଖା ଦେଇଛି। କେନ୍ଦ୍ର ସରକାର ଓ ନ୍ୟାୟପାଳିକା ମଧ୍ୟରେ ଏନେଇ ମୁହାଁମୁହିଁ ପରିସ୍ଥିତି ମଧ୍ୟ ଉପୁଜିଛି। ଜଷ୍ଟିସ ଯୋଶେଫ୍‌ଙ୍କ ନାମକୁ ପୁଣି ଥରେ ସୁପାରିସ କରାଯିବ କି ନାହିଁ ସେ ସଂପର୍କରେ ଆଲୋଚନା ପାଇଁ କଲେଜିୟମ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ। ଗତକାଲି ମଧ୍ୟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଏମ.ବି.ଲୋକୁର ଓ କୁରିଏନ ଯୋଶେଫ ଏ ବାବଦରେ ଆଲୋଚନା କରିଥିଲେ। ଆସନ୍ତା ୧୯ ତାରିଖରୁ ସୁପ୍ରିମକୋର୍ଟର ଗ୍ରୀଷ୍ମ ଅବକାଶ ହେଉଥିବା ବେଳେ ଆସନ୍ତାକାଲି ହିଁ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର