କାବୁଲ୍: ଆଫଗାନିସ୍ତାନରେ ଶାନ୍ତି ରକ୍ଷା ପାଇଁ ମୁତୟନ ଥିବା ୧୫,୦୦୦ ଆମେରିକୀୟ ସୈନିକଙ୍କୁ ପର୍ଯ୍ୟାୟକ୍ରମେ ଫେରାଇ ଆଣିବାପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଗାମୀ ୨ ମାସ ମଧ୍ୟରେ ୭,୦୦୦ ସୈନିକ ଫେରିବେ ବୋଲି କୁହାଯାଇଛି। ଆମେରିକା ସରକାରଙ୍କ ନିଷ୍ପତ୍ତି ଆଫଗାନ ଶାନ୍ତି ପ୍ରକ୍ରିୟା ପାଇଁ ଏକ ବଡ଼ ଝଟ୍କା ହୋଇଥିବାବେଳେ ଭାରତ ପାଇଁ ମଧ୍ୟ ଉଦ୍ବେଗର କାରଣ ହୋଇଛି। ଭାରତ ଏବେ ଆଫଗାନିସ୍ତାନରେ ବିଭିନ୍ନ ପ୍ରକଳ୍ପରେ ପୁଂଜି ଖଟାଇଛି। ୫୦ରୁ ଊର୍ଦ୍ଧ୍ବ ଭାରତୀୟ ସଂସ୍ଥା ଆଫଗାନ ସରକାରଙ୍କ ସହ ମିଳିତ ଭାବେ କାମ କରୁଛନ୍ତି। ଆମେରିକା ସେନା ପ୍ରତ୍ୟାହାର ହେଲେ ତାଲିବାନ୍ ଆତଙ୍କବାଦୀ ପୁଣି ବିଭିନ୍ନ ଅଞ୍ଚଳ ଦଖଲ ପାଇଁ ଅଭିଯାନ ଆରମ୍ଭ କରିପାରନ୍ତି ବୋଲି ଆଫଗାନ ସରକାର ଆଶଙ୍କା ବ୍ୟକ୍ତ କରିଛନ୍ତି। ଗତକାଲି ସିରିୟାରୁ ସେନା ପ୍ରତ୍ୟାହାର ପାଇଁ ଘୋଷଣା କରିଥିବା ଆମେରିକା ଆଜି ଆଫଗାନ୍ରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ନେଇ ବିଶ୍ବ ସମୁଦାୟକୁ ଚିନ୍ତାରେ ପକାଇ ଦେଇଛି। ଆମେରିକୀୟ ସେନା ପ୍ରତ୍ୟାହାର ହେଲେ ଆଫଗାନ-ପାକିସ୍ତାନ ସୀମାରେ ଆତଙ୍କବାଦୀଙ୍କ ଅବାଧ ଯାତାୟତ ଆରମ୍ଭ ହୋଇଯିବ ଏବଂ ଭାରତ ପାଇଁ ବଡ଼ ସମସ୍ୟା ମୁଣ୍ଡ ଟେକିବ।
ଆଫଗାନିସ୍ତାନରେ ରଣନୀତିକ ଦୃଷ୍ଟିରୁ ଆମେରିକୀୟ ସୈନ୍ୟଙ୍କ ଉପସ୍ଥିତି ଅପରିହାର୍ଯ୍ୟ ଥିଲା ଏବଂ ସେନା ହଟିଗଲେ ତାଲିବାନକୁ ନିୟନ୍ତ୍ରଣ କରିବା ସହଜ ହେବନାହିଁ ବୋଲି କୁଟନୀତିଜ୍ଞମାନେ କହିଛନ୍ତି। ଦୀର୍ଘ ୧୭ ବର୍ଷ ଧରି ଆଫଗାନିସ୍ତାନରେ ଆମେରିକାର ଜୋରଦାର ଉପସ୍ଥିତି ରହିଛି ଏବଂ ଅଲକାଏଦାକୁ ଏକ ପ୍ରକାର ମୂଳପୋଚ୍ଛ ଅବସ୍ଥାକୁ ଏହା ନେଇ ଆସିଛି। ଆମେରିକୀୟ ସେନା ପ୍ରତ୍ୟାହାର ହେଲେ ରୁଷ୍ର ଆଭିମୁଖ୍ୟ କ’ଣ ହେବ ତାହା ଉପରେ ମଧ୍ୟ ଭାରତ ସରକାର ନଜର ରଖିଛନ୍ତି।
ନିଷ୍ପତ୍ତିକୁ ବିରୋଧ
ଇସ୍ତଫା ଦେଲେ ଆମେରିକା ପ୍ରତିରକ୍ଷା ସଚିବ
ୱାସିଂଟନ୍ : ଗୃହଯୁଦ୍ଧ ଏବଂ ଆତଙ୍କବାଦ ସମସ୍ୟା ନେଇ ସିରିୟାରେ ଏବେ ବି ସ୍ଥିତି ଉଦ୍ବେଗଜନକ ରହିଥିଲେ ମଧ୍ୟ ସେଠାରୁ ସେନା ପ୍ରତ୍ୟାହାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଘୋଷଣା ବିବାଦୀୟ ସ୍ଥିତି ସୃଷ୍ଟି କରିଛି। ଟ୍ରମ୍ପ୍ଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଆମେରିକା ପ୍ରତିରକ୍ଷା ସଚିବ ଜେମ୍ସ ମାଟ୍ଟିସ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ବିଦେଶ ନୀତି କ୍ଷେତ୍ରରେ ଜଣେ ବରିଷ୍ଠ ବିଶେଷଜ୍ଞ ଭାବେ ପରିଚିତ ମାଟ୍ଟିସ କହିଛନ୍ତି ସିରିୟାରୁ ସେନା ପ୍ରତ୍ୟାହାର ଆମେରିକାର ସିରିୟା ନୀତିର ବିରୁଦ୍ଧାଚରଣ କରୁଛି ଏବଂ ଯେଉଁ ଉଦ୍ଦେଶ୍ୟରେ ଆମେରିକା ଲଢ଼ୁଥିଲା ତାହା ଭଣ୍ଡୁର ହେବା ଆଶଙ୍କା ରହିଛି। ସିରିୟାରୁ ସେନା ପ୍ରତ୍ୟାହାର ନେଇ ଟ୍ରମ୍ପ୍ଙ୍କ ନିଷ୍ପତ୍ତିକୁ ଫ୍ରାନ୍ସ ମଧ୍ୟ ବିରୋଧ କରିଛି।