ଆମେରିକାକୁ ଉତ୍ତର କୋରିଆର ପୁଣି ଧମକ

ଆଣବିକ ନିରସ୍ତ୍ରୀକରଣ ସ୍ୱପ୍ନ ଦେଖିବା ବନ୍ଦ କର

ସିଓଲ୍‌(ଦକ୍ଷିଣ କୋରିଆ): ଆମେରିକା ରାଷ୍ଟ୍ରପତି ଡୋଲାଲ୍ଜ ଟ୍ରମ୍ପ୍‌ଙ୍କ ୫ ରାଷ୍ଟ୍ରୀୟ ଏସିଆ ଗସ୍ତର ଅବ୍ୟବହିତ ପୂର୍ବରୁ ଉତ୍ତର କୋରିଆ ପୁଣି ଧମକ ଦେଇଛି। ବିଭିନ୍ନ ରାଷ୍ଟ୍ର ମାଧ୍ୟମରେ ଯେତେ ଚାପ ପକାଇଲେ ବି ଉତ୍ତର କୋରିଆ ତା’ର ପରମାଣୁ ଅସ୍ତ୍ରଶସ୍ତ୍ର ଆହରଣ ଯୋଜନା ଜାରି ରଖିବ। ଏପରିକି ଆମେରିକା ତା’ ମନୋଭାବରେ ପରିବର୍ତ୍ତନ ନଆଣିଲେ ଉତ୍ତର କୋରିଆ ଠୁଳ କରି ରଖିଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଆହୁରି ଶାଣିତ କରିବ ବୋଲି ଚେତାବନୀ ଦେଇଛି।

ଏଥି ସହିତ ଆଣବିକ ଅସ୍ତ୍ର କଟକଣା ଜନିତ କୌଣସି ରାଜିନାମାରେ ସ୍ୱାକ୍ଷର କରିବ ନାହିଁ ବୋଲି ଆଜି ଉତ୍ତର କୋରିଆର ସରକାରୀ ଖବର ସରବରାହ ସଂସ୍ଥା କେସିଏନ୍‌ଏରେ କୁହାଯାଇଛି। ଏପରିକି ଆନ୍ତର୍ଜାତିକ ଆର୍ଥିକ ବାସନ୍ଦରେ ଭୟଭୀତ ହୋଇ ଉତ୍ତର କୋରିଆ ମୁଣ୍ଡ ନୁଆଁଇବ ବୋଲି ଆମେରିକାର ରହିଥିବା ଧାରଣାକୁ ଟ୍ରମ୍ପ ପ୍ରଶାସନ ଭୁଲିଯିିବା ଲାଗି ଏଥିରେ ପରାମର୍ଶ ଦିଆଯାଇଛି। ଯାବତୀୟ ପ୍ରକାର ଆଣବିକ ଅସ୍ତ୍ର ସମ୍ପୂର୍ଣ୍ଣ ହାସଲ କରିବାର ଚୂଡ଼ାନ୍ତ ପର୍ଯ୍ୟାୟରେ ଉତ୍ତର କୋରିଆ ପହଞ୍ଚି ସାରିଛି। ତେଣୁ ଏଥିରୁ ଆଉ ଓହରିଯିବାର ପ୍ରଶ୍ନ ଉଠୁନାହିଁ ବୋଲି ପାୟୋଗ୍ୟାଂ କହିଛି। ସୁତରାଂ ଆମେରିକା ଆଉ ଆଣବିକ ନିରସ୍ତ୍ରୀକରଣର ବାସ୍ତବତା ଆଶା ନକରି କେବଳ ସେମିତି ଦିବାସ୍ୱପ୍ନ ଦେଖୁ ବୋଲି ଉତ୍ତର କୋରିଆ ପରୋକ୍ଷରେ ଧମକ ଦେଇଛି। ଉତ୍ତର କୋରିଆ ପ୍ରତି ଆମେରିକା ଶତ୍ରୁ ପରି ମନୋଭାବ ସବୁ ଦନ ପାଇଁ ପରିହାର ନକଲେ ଦେଶ ନିଜର ନିରାପତ୍ତା ଉଦ୍ଦେଶ୍ୟରେ ସାଇତି ରଖିଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଆହୁରି ଶାଣିତ କରିବା ଲାଗି ବାଧ୍ୟ ହେବ ବୋଲି କିମ୍‌ଜଙ୍ଗ୍‌ ଉନ୍‌ ପ୍ରଶାସନ ଚେତାଇଦେଇଛି।

ସମ୍ବନ୍ଧିତ ଖବର