ପୁଣି ଏଲ୍‌ପିଜି ବଢ଼ିଲା ୨୫ ଟଙ୍କା

ନୂଆଦିଲ୍ଲୀ : କେବଳ ପେଟ୍ରୋଲ୍‌ ଓ ଡିଜେଲ୍ ନୁହେଁ, ଏଲ୍‌ପିଜି ଦାମ୍‌ ମଧ୍ୟ ହୁ ହୁ ହୋଇ ବଢ଼ି ଚାଲିଛି। ଗୁରୁବାର ଦିନ ୧୪.୨ କେଜି ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ଆଉ ୨୫ ଟଙ୍କା ବଢ଼ିଛି। ଚଳିତ ମାସ ତିନି ଥରରେ ସିଲିଣ୍ଡର ମୂଲ୍ୟ ୧୦୦ ଟଙ୍କା ମହଙ୍ଗା ହୋଇସାରିଲାଣି। ଇଣ୍ଡିଆନ ଅଏଲ୍‌ ୱେବସାଇଟ୍‌ ସୂଚନା ଅନୁଯାୟୀ ଆଜିର ଦରବୃଦ୍ଧି ପରେ ଖୋର୍ଦ୍ଧାରେ ଏଲ୍‌ପିଜି ସିଲିଣ୍ଡର ଦାମ୍ ୮୨୦ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି। ଚଳିତ ମାସ ୪ରେ ଏଲ୍‌ପିଜି ଦାମ୍ ୨୫ ଟଙ୍କା ବଢ଼ିବା ପରେ ୧୫ ତାରିଖରେ ଆଉ ୫୦ ଟଙ୍କା ବଢ଼ିଥିଲା। ଆଜି ସେଥିରେ ଆଉ ୨୫ ଟଙ୍କାର ବୃଦ୍ଧି ଘଟିଛି।

ସୂଚନାଯୋଗ୍ୟ ଯେ ସରକାର ପ୍ରତି ପରିବାରକୁ ବର୍ଷକୁ ୧୨ଟି ସିଲିଣ୍ଡର ସବ୍‌ସିଡି ଦରରେ ପ୍ରଦାନ କରୁଛନ୍ତି। ସାଧାରଣ ଗ୍ରାହକଙ୍କ ଠାରୁ ଆରମ୍ଭ କରି ଉଜ୍ଜ୍ବଳା ହିତାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବଜାର ଦର (୮୨୦ ଟଙ୍କା ୨୫ ପଇସା)ରେ ସିଲିଣ୍ଡର କିଣିବାକୁ ପଡ଼ୁଛି। ଏହା ପରେ ଲିଙ୍କ୍‌ ହୋଇଥିବା ବ୍ୟାଙ୍କ ଖାତାରେ ସବ୍‌ସିଡି ବାବଦ ଟଙ୍କା ପହଞ୍ଚୁଛି। ସବ୍‌ସିଡି ରାଶି ୧୦-୧୫ ଟଙ୍କା ସ୍ତରରେ ରହିଥିବାରୁ ତାହା ଏତେଟା ଗୁରୁତ୍ବ ରଖୁନାହିଁ। ତେବେ ସରକାର ସବ୍‌ସିଡି ଦେବା ବନ୍ଦ କରିନାହାନ୍ତି ବୋଲି କିଛି ଦିନ ତଳେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର