ପୁଣି ଏକ ଅମାନବୀୟ କାଣ୍ଡ: ମାସ ମାସ ଧରି ନାବାଳିକାକୁ ଗଣଦୁଷ୍କର୍ମ

ଅଭିଯୁକ୍ତମାନଙ୍କୁ ଛେଚିଲେ ୫୦ ଓକିଲ

ଚେନ୍ନାଇ: ଚଳିତମାସ ବିହାରରେ ଜଣେ ୧୩ ବର୍ଷୀୟା ନାବାଳିକାକୁ ୭ ମାସ ଧରି ୧୫ ଜଣ ଦୁଷ୍କର୍ମ କରିବା ଘଟଣା ଦେଶବାସୀଙ୍କ ମନରୁ ଯାଇ ନ ଥିବା ବେଳେ ଚେନ୍ନାଇରେ ଏବେ ଏଭଳି ଏକ ଛାତିଥରା ଘଟଣା ଘଟିଛି। ଜଣେ ୧୨ ବର୍ଷୀୟା ନାବାଳିକାକୁ ମାସ ମାସ ଧରି ଗଣଦୁଷ୍କର୍ମ କରାଯାଇଛି। ଘଟଣାରେ ମୋଟ ୨୨ ଜଣ ଅଭିଯୁକ୍ତ ଥିବା ବେଳେ ଚେନ୍ନାଇ ପୁଲିସ ଏ ପର୍ଯ୍ୟନ୍ତ ମୋଟ ୧୭ ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବିଲ୍ଡିଂର ସିକ୍ୟୁରିଟି ଗାର୍ଡ, ଲିଫ୍ଟମ୍ୟାନ୍‌ ଓ ଓ୍ଵାଟରମ୍ୟାନ୍‌ ରହିଥିବା ଜଣାଯାଇଛି।
ପୁଲିସ ସୂଚନା ମୁତାବକ, ପ୍ରଥମେ ଆପାର୍ଟମେଣ୍ଟର କିଛି ବ୍ୟକ୍ତି ଶ୍ରବଣ ଶକ୍ତି ହରାଇଥିବା ଏହି ନାବାଳିକା ଜଣକୁ ଉଠାଇ ନେଇ ତାଙ୍କୁ ମୃଦୁ ପାନୀୟରେ ନିଶା ଦେଇଥିଲେ। ସେ ଅଚେତ ହୋଇଯିବା ପରେ ସେମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ବେଳର ଦୃଶ୍ୟକୁ ରେକର୍ଡିଂ କରି ପରେ ତାଙ୍କୁ ବ୍ଲାକ୍‌ମେଲ୍‌ ଆରମ୍ଭ କରିଥିଲେ। ଏହାପରେ ଅନେକ ବ୍ୟକ୍ତି ତାଙ୍କୁ ପ୍ରାୟ ୭ ମାସ ଧରି ଦୁଷ୍କର୍ମ କରିଥିଲେ। ଭୟ ଓ ଲଜ୍ଜାରେ ନାବାଳିକ ଜଣକ କାହାକୁ କିଛି ନ କହି ଏଭଳି ଅକଥନୀୟ ନିର୍ଯାତନା ସହିଥିଲେ। କିନ୍ତୁ କିଛିଦିନ ତଳେ ସେ ଘଟଣା ସମ୍ପର୍କରେ ପିତାମାତାଙ୍କୁ ଜଣାଇବା ପରେ ସେମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଝିଅଟିକୁ ବାରମ୍ବାର ଅନେକ ବ୍ୟକ୍ତି ଦୁଷ୍କର୍ମ କରିଥିବା ଡାକ୍ତରମାନେ ରିପୋର୍ଟ ଦେଇଥିଲେ।

ଚେନ୍ନାଇ: ଚେନ୍ନାଇର ଜଣେ ୧୨ ବର୍ଷୀୟା ନାବାଳିକାକୁ ୭ ମାସ ଧରି ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ୧୭ ଜଣ ଅଭିଯୁକ୍ତଙ୍କୁ ଆଜି ପ୍ରାୟ ୫୦ ଜଣ ଓକିଲ ମନଇଚ୍ଛା ଛେଚିଛନ୍ତି। ସେମାନଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିଲା। କିନ୍ତୁ ଖବର ପାଇଁ ୫୦ରୁ ଊର୍ଧ୍ୱ ଓକିଲ  କୋର୍ଟ ପରିସରରେ ଅଭିଯୁକ୍ତଙ୍କ ଉପରେ ହଠାତ୍‌ ଆକ୍ରମଣ କରିଥିଲେ। ବିଧା, ଚାପୁଡ଼ା ଆଦି ମାରି ସେମାନଙ୍କ ଉପରେ ସମସ୍ତ ରାଗ ଶୁଝାଇଥିଲେ। ସେମାନଙ୍କ ଆକ୍ରମଣରୁ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପାଇଁ ୮ ଜଣଙ୍କୁ ଫ୍ୟାମିଲି କୋର୍ଟର ଅତିରିକ୍ତ ଗୃହରେ ରଖାଯାଇଥିଲା ବେଳେ ବଳକା ୯ ଜଣଙ୍କୁ ମହିଳା କୋର୍ଟ ପଠାଇ ଦିଆଯାଇଥିଲା। ଓକିଲଙ୍କ କବଳରୁ ବହୁ କଷ୍ଟରେ ଅଭିଯୁକ୍ତଙ୍କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର