୪୦ ବିଧାୟକ ବିଜେପି ସହିତ ଯୋଗାଯୋଗ କରିଛନ୍ତି
ଟିଏମ୍‌ସିର ଅଭିଯୋଗ: ଘୋଡ଼ା ବେପାର କରୁଛନ୍ତି ମୋଦୀ

Advertisment

ନୂଆଦିଲ୍ଲୀ: ପଶ୍ଚିମବଂଗରେ ନିର୍ବାଚନୀ ହିଂସା ପାଇଁ ଟିଏମ୍‌ସିକୁ ଦାୟୀ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ମମତାଙ୍କୁ ଧମକାଇ କହିଛନ୍ତି ଯେ ତାଙ୍କ ସହିତ ୪୦ ଜଣ ଟିଏମ୍‌ସି ବିଧାୟକ ସଂପର୍କରେ ଅଛନ୍ତି। ମେ ୨୩ ପରେ ସେମାନେ ବିଦ୍ରୋହ ଆରମ୍ଭ କରିବେ ଏବଂ ଟିଏମ୍‌ସି ଛାଡ଼ିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀରାମପୁରରେ ଏକ ନିର୍ବାଚନୀ ସଭାରେ କହିବା ପରେ ଏହାକୁ ନେଇ ପଶ୍ଚିମବଂଗ ରାଜନୀତିରେ କମ୍ପନ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଦାବି ପରେ ମମତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଆଚରଣ ଫାସିବାଦୀ ଭଳି ଏବଂ ସେ ଘୋଡ଼ା ବେପାର କରୁଛନ୍ତି । ଟିଏମ୍‌ସି ଏ ନେଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ଦାଖଲ କରିବ ବୋଲି ସେ କହିଛନ୍ତି।
ପଶ୍ଚିମବଂଗରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ଏବଂ ମମତା ରାଜ୍ୟ ପୁଲିସ ବାହିନୀକୁ ନିଜର ବ୍ୟକ୍ତିଗତ ସୁରକ୍ଷା କର୍ମୀ ଭାବେ ବ୍ୟବହାର କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିଏମ୍‌ସିର ଗୁଣ୍ଡାମାନେ ବୁଥ୍‌ ଦଖଲ କରିବା ପାଇଁ ପ୍ରୟାସ କରିବା ସହ ଭୋଟର୍‌ଙ୍କୁ ଭୋଟ୍ କେନ୍ଦ୍ରରେ ମଧ୍ୟ ଭୟଭୀତ କରାଉଛନ୍ତି। ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ କରୁଥିବା ଟିଏମ୍‌ସି ଗୁଣ୍ଡାମାନେ ବିଜେପି ନେତାମାନଙ୍କୁ ପ୍ରଚାର ମଧ୍ୟ କରାଇ ଦେଉନାହାନ୍ତି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି ସ୍ଥିତି ପାଇଁ ଦାୟୀ ନେତାମାନଙ୍କୁ ପଶ୍ଚିମବଂଗର ଜନତା ଉଚିତ ଶାସ୍ତି ଦେବେ। ମମତାଙ୍କୁ ସିଧାସଳଖ ଟାର୍ଗେଟ୍‌ କରି ମୋଦୀ କହିଥିଲେ ଯେ ଦିଦି କେବଳ କିଛି ହାତଗଣତି ଆସନ ହାସଲ କରି ଦିଲ୍ଲୀରେ ପହଞ୍ଚିବା ସ୍ବପ୍ନ ଦେଖୁଛନ୍ତି ଏବଂ ସେ ଦିଲ୍ଲୀରେ ପହଞ୍ଚିପାରିବେ ନାହିଁ। ଦିଲ୍ଲୀ ବହୁତ ଦୂର ବୋଲି ମମତା ଜାଣିଛନ୍ତି ଏବଂ ନିଜ ପୁତୁରାକୁ କେବଳ ରାଜନୀତିରେ ଥଇଥାନ କରିବା ପାଇଁ ଚାଲ୍‌ ଖେଳୁଛନ୍ତି ବୋଲି ମୋଦୀ କହିଛନ୍ତି। ମମତା ସର୍ବଦା କ୍ରୋଧ ପରିପ୍ରକାଶ କରୁଥିବା ଦର୍ଶାଇ ମୋଦୀ କହିଥିଲେ ଯେ ପରାଜୟ ଭୟଜନିତ ଅସ୍ଥିରତା ଯୋଗୁଁ ସେ ଏଭଳି କରୁଛନ୍ତି।

ମମତାଙ୍କ ରସଗୋଲା ମନ୍ତବ୍ୟର ଜବାବ ଦେଲେ
ମୋଦୀଙ୍କୁ ପଶ୍ଚିମବଂଗରୁ ମାଟି ଗୋଡ଼ିରେ ତିଆରି ରସଗୋଲା ଖାଇବାକୁ ଦିଆଯିବ ଏବଂ ଏହି ରସଗୋଲା ଖାଇ ମୋଦୀଙ୍କ ଦାନ୍ତ ଭାଙ୍ଗିଯିବ ବୋଲି ଦୁଇ ଦିନ ତଳେ ମମତା ବାନାର୍ଜୀ ଦେଇଥିବା ବୟାନର ଆଜି ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ମମତାଙ୍କ ବୟାନକୁ ଉଲ୍ଲେଖ କରି ମୋଦୀ କହିଥିଲେ ଯେ ବଙ୍ଗଳା ମାଟିରୁ ରସଗୋଲା ଯଦି ମିଳେ, ତା’ହେଲେ ଏହା ମୋର ପରମ ସୌଭାଗ୍ୟ ହେବ। ବଂଗଳା ମାଟିର ରସଗୋଲା ଅର୍ଥ ରାମକୃଷ୍ଣ ପରମହଂସ, ସ୍ବାମୀ ବିବେକାନନ୍ଦ, ଚୈତନ୍ୟ ମହାପ୍ରଭୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ମହାପୁରୁଷଙ୍କ ଚରଣ ଧୂଳି। ଯେଉଁ ମାଟି ଉପରେ ଏହି ମହାପୁରୁଷମାନଙ୍କ ପାଦ ପଡ଼ିଛି ସେହି ମାଟିର ପ୍ରସାଦ ମିଳିଲେ ଜୀବନ ଧନ୍ୟ ହୋଇଯିବ ବୋଲି ମୋଦୀ କହିଛନ୍ତି।