ମନ୍ଦ୍‌ସୁରରେ ନିର୍ଭୟା କାଣ୍ଡ

ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ, ଦୋଷୀକୁ ଫାଶୀ ଦାବିରେ ରାସ୍ତାକୁ ଓହ୍ଲାଇଲେ ଜନତା

ଭୋପାଳ: ମଧ୍ୟପ୍ରଦେଶରେ ଆଉ ଏକ ନିର୍ଭୟା କାଣ୍ଡ ଆଜି ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି । ନିମଚ୍‌ ଜିଲ୍ଲା ଅନ୍ତର୍ଗତ ମନ୍ଦ୍‌ସୁରରେ ଜଣେ ୮ ବର୍ଷର ବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ ପରେ ବର୍ବର ଅତ୍ୟାଚାର କରାଯାଇଛି। ନାବାଳିକାଙ୍କ ତଣ୍ଟି କାଟି ଓ ଗୁପ୍ତାଙ୍ଗରେ କାଠ ପୂରାଇ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ୨୦୧୨ରେ ଦିଲ୍ଲୀରେ ଘଟିଥିବା ନିର୍ଭୟା କାଣ୍ଡର ପୁନରାବୃତ୍ତି ଏଠାରେ ହୋଇଥିବା ବେଳେ ଏହି ଘଟଣାର ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ପୁଲିସ୍‌ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଇର୍‌ଫାନ ଖାନ୍‌ (୨୦)କୁ ସିସିଟିଭି ଫୁଟେଜ୍‌ ଆଧାରରେ ଗିରଫ କରିଥିବା ବେଳେ ତଦନ୍ତ ପାଇଁ ୫ ଦିନିଆ ରିମାଣ୍ଡରେ ନେଇଛି। ସମସ୍ତ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି କରି ୧୦ ହଜାରରୁ ଅଧିକ ଲୋକ ମନ୍ଦସୁର ପୁଲିସ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏବେ ପୀଡ଼ିତା ଶିଶୁ ଇନ୍ଦୋର ଏମ୍‌ଓ୍ଵାଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି ଏବଂ ଅବସ୍ଥା ଅତି ଉଦ୍‌୍‌ବେଗଜନକ ରହିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

ଗତ ୨୬ ତାରିଖ ଦିନ ମନ୍ଦସୁରରେ ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ଏହି ୮ ବର୍ଷର ବାଳିକାକୁ କିଛି ସ୍ଥାନୀୟ ଯୁବକ ଚକୋଲେଟ ଲୋଭ ଦେଖାଇ ଅପହରଣ କରିନେଇଥିଲେ। ନିକଟରେ ବନ୍ଦ ପଡ଼ିଥିବା ଏକ ପ୍ଲାଣ୍ଟ୍‌ ମଧ୍ୟରେ ସେମାନେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ।ଏହା ପରେ ଏହି ନର ପିଶାଚମାନେ ନାବାଳିକାଙ୍କ ଶରୀରର ଅନେକାଂଶକୁ କାମୁଡି କ୍ଷତାକ୍ତ କରିଦେଇଥିଲେ। ଗୁପ୍ତାଙ୍ଗରେ ପ୍ରବଳ ଆଘାତ କରିବା ସହ ସେଥିରେ କାଠ ପୂରାଇଦେଇଥିଲେ। ଏହାସହିତ ସେମାନେ ଛୁରିରେ ତଣ୍ଟି କାଟି ଝିଅଟିକୁ ହତ୍ୟା ଉଦ୍ୟମ କରିଥିଲେ। ଏଭଳି ପୈଶାଚିକ କାଣ୍ଡ ଘଟାଇ ସେମାନେ ନିକଟସ୍ଥ ଏକ ବୁଦା ଭିତରେ ଝିଅଟିକୁ ଫୋପାଡ଼ି ଦେଇ ଚାଲି ଯାଇଥିଲେ। ସ୍ଥାନୀୟ ଲୋକେ ପୀଡ଼ିତାଙ୍କୁ ଅତି ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପରିବାରବର୍ଗ ଏ ନେଇ ପୁଲିସକୁ ଅବଗତ କରିଥିଲେ। ପୀଡ଼ିତାଙ୍କ ଅବସ୍ଥା ଦେଖି ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗତକାଲି ତାଙ୍କ ଶରୀରରେ ଏକାଧିକ ସର୍ଜରୀ କରାଯିବା ସହ ନଷ୍ଟ ହୋଇଯାଇଥିବା ଅନ୍ତ ବୁଜୁଳା କଢ଼ାଯାଇଛି। ଏହିି ଘଟଣାରେ ପୁଲିସ୍‌ ଦୃଢ କାର୍ଯ୍ୟନୁଷ୍ଠାନ ନେବା ସହ ଫାଷ୍ଟଟ୍ରାକ୍‌ କୋର୍ଟରେ ମାମଲାର ବିଚାର କରି ସମସ୍ତ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଜୋର୍‌ଦାର ଦାବି ହୋଇଛି। ଅଭିଯୁକ୍ତଙ୍କର ମାମଲା କୌଣସି ଓକିଲ ନ ଲଢିବାକୁ ରାଜ୍ୟ ଓକିଲ ସଂଘ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘଟଣାରେ ଗଭୀର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଏଭଳି ଅପରାଧ କରିଥିବା ବ୍ୟକ୍ତି ସମାଜ ପାଇଁ ବୋଝ, ସେମାନଙ୍କର ବଞ୍ଚିବାର ଅଧିକାର ନାହିଁ। ଅପରାଧୀଙ୍କୁ ଫାଶୀ ଦଣ୍ଡ ଦେବାକୁ ସରକାର ସୁପ୍ରିମ୍‌ କୋର୍ଟ ଏବଂ ହାଇକୋର୍ଟରେ ନିବେଦନ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର