ସୀମା ଅଶାନ୍ତ: ପୁଣି ଥରେ ଭାରତ-ପାକ୍‌ ବୈଠକ

ଶ୍ରୀନଗର: ଆଜି ପୁଣିଥରେ ଭାରତ-ପାକିସ୍ତାନ ସେକ୍ଟର କମାଣ୍ଡରଙ୍କ ମଧ୍ୟରେ ଅସ୍ତ୍ରବିରତି ପାଇଁ ଫ୍ଲାଗ ବୈଠକ ଅନୁଷ୍ଟିତ ହୋଇଛି। ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ୍‌ ଦେଇ ଭାରତ ମଧ୍ୟ ଗୁଳିମାଡ଼ କରିବା ପରେ ବୈଠକ ପାଇଁ ପାକ୍‌ ରେଞ୍ଜର୍ସ ଅନୁରୋଧ କରିଥିଲା। ଏହି ବୈଠକରେ ଜମ୍ମୁ-କଶ୍ମୀର ଫ୍ରଣ୍ଟାୟରର ୩ଟି ସେକ୍ଟର କମାଣ୍ଡର ଓ ପାକିସ୍ତାନର ଓ୍ଵିଙ୍ଗ କମାଣ୍ଡର ଯୋଗ ଦେଇଥିବା ବିଏସ୍‌ଏଫ୍‌ ଜେନେରାଲ ରାମ ଅବତାର କହିଛନ୍ତି। ସୀମରେ ଉଭୟ ପାର୍ଶ୍ୱକୁ ଗୁଳମାଡ଼ ମୁକ୍ତ ଅଞ୍ଚଳ ରୂପେ ପରିଣତ କରିବା ନେଇ ବୈଠକରେ ଆଲୋଚନା ହୋିଥିବା ଜଣାପଡ଼ିଛି। ଆରଏସ୍‌ପୁରା ସେକ୍ଟରର ସୁଚେତଗଡ଼ ଅଞ୍ଚଳରେ ଅକ୍ଟ୍ରୋଇ ପୋଷ୍ଟରେ ଏହି ଆଲୋଚନା ହୋଇଛି। ଶନିବାର ପାକିସ୍ତାନର ଗୁଳିମାଡ଼ରେ ୨ ଯବାନ ସହିଦ ହୋଇଥିଲେ ଓ ୧୪ ସାଧାରଣ ନାଗରିକ ଆହତ ହୋଇଥିଲେ।

ଗ୍ରେନେଡ୍‌ ଆକ୍ରମଣରେ ୧୬ ଆହତ
ଶ୍ରୀନଗର : କଶ୍ମୀର ସ୍ଥିତି ସୁଧୁରୁନି। ଗତକାଲି ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଳଂଘନ ହେତୁ ଦୁଇ ଜଣ ବିଏସଏଫ୍‌ ଯବାନ ସହିଦ ହୋଇଥିବାବେଳେ ଆଜି ସୋପିଆନ୍‌ ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣରେ ୪ ପୁଲିସଙ୍କ ସମେତ ୧୬ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ସୋପିଆନ୍‌ ଜିଲ୍ଲାର ବାଟାପୋରା ଅଞ୍ଚଳରେ ପୁଲିସ ଉପରକୁ ଆଜି ଅପରାହ୍ନରେ ଅଚାନକ ଜଣେ ଦୁର୍ବୃତ୍ତ ଗ୍ରେନେଡ୍‌ ନିକ୍ଷେପ କରିଥିଲେ। ତେବେ ଗ୍ରେନେଡ୍‌ଟି ଲକ୍ଷ୍ୟଚ୍ୟୁତ ହୋଇ ନିକଟସ୍ଥ ରାସ୍ତାକଡ଼ରେ ପଡ଼ି ବିସ୍ଫୋରଣ ହେବା ଫଳରେ ୪ ପୁଲିସ ଏବଂ ୧୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଛି। ଆକ୍ରମଣ ପରେ ପୁଲିସ ଉକ୍ତ ଅଞ୍ଚଳକୁ ଘେରା ବନ୍ଦି କରି ତଲାସି ଜାରି ରଖିଛି। ରମଜାନ୍‌ ମାସ ପାଇଁ ଜମ୍ମୁ କଶ୍ମୀରରେ ରମଜାନ୍‌ ଅସ୍ତ୍ରବିରତି ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର