ପୁଣି ବାହାହେବେ!

ମୁମ୍ବାଇ: ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋସନ୍‌ ଓ ପୂର୍ବ ପତ୍ନୀ ସୁଜାନ୍‌ ଖାନ୍‌ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି କିଛିଦିନ ହେଲା ବି-ଟାଉନ୍‌ରେ ଚର୍ଚ୍ଚା ହେଉଛି। ଉଭୟଙ୍କୁ ବିଭିନ୍ନ ପାର୍ଟି ଓ ଟୁର୍‌ରେ ଏକାଠି ଦେଖିବାକୁ ମିଳୁଛି। ପୁଅ ରେହାନ୍‌ (୧୨) ଓ ରିଧାନ୍‌ (୧୦)ଙ୍କୁ ନେଇ ହ୍ରିତିକ୍‌ ଓ ସୁଜାନ୍‌ ଛୁଟି କଟେଇବାକୁ ଯିବା ସହିତ ସେମାନଙ୍କ ସହିତ କାଫି ସମୟ ବିତାଉଛନ୍ତି। ଉଭୟ ବହୁତ ଖୁସି ଥିବା ସେମାନଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟରୁ ସ୍ପଷ୍ଟ ବାରି ହୋଇପଡୁଛି। ତେଣୁ ଉଭୟ ପୁଣି ପରସ୍ପରର ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପକ୍ଷରେ ଏହାକୁ କେବଳ ଏକ ଗୁଜବ ବୋଲି ଦର୍ଶାଇଛନ୍ତି ସୁଜାନ୍‌। ଟ୍ଵିଟ୍‌ କରି ସେ କହିଛନ୍ତି, ହ୍ରିତିକ୍‌ଙ୍କ ସହିତ ତାଙ୍କର କୌଣସି ବୁଝାମଣା ହେବାର ନାହିଁ। ସେମାନେ କେବଳ ଭଲ ପିତାମାତା ହେବାକୁ ଉଦ୍ୟମ କରୁଛନ୍ତି। ଏହାକୁ ନେଇ ଅଯଥା କଳ୍ପନାଜଳ୍ପନା ନ କରିବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟ ଏକ ସୂତ୍ର ଦର୍ଶାଇଛି ଯେ ଉଭୟ ଯଦି ଭବିଷ୍ୟତରେ ଏକାଠି ହେବାକୁ ଚାହାନ୍ତି, ତେବେ ସେମାନେ ନିଷ୍ପତ୍ତି ନେଇପାରିବେ।

ସମ୍ବନ୍ଧିତ ଖବର