ପୁଣି କେନ୍ଦ୍ରକୁ ଟାର୍ଗେଟ୍‌ କ‌ଲେ ସତ୍ୟପାଲ୍‌ ମଲିକ : ରାଜ୍ୟପାଳ ପଦ ଛାଡ଼ିଦେବି, କିନ୍ତୁ ଚାଷୀଙ୍କୁ ସମର୍ଥନରୁ ଓହରିବି ନାହିଁ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନକୁ ମେଘାଳୟ ରାଜ୍ୟପାଳ ସତ୍ୟପାଲ୍‌ ମଲିକ ପୁଣି ଥରେ ଦୃଢ଼ ସମର୍ଥନ କରିଛନ୍ତି। ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ମଲିକ ଆଜି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମଲିକ କହିଛନ୍ତି, ଯଦି କୁକୁର ମରୁଛି ତେବେ ଶୋକ କରାଯାଉଛି କିନ୍ତୁ ଆନ୍ଦୋଳନ ଆରମ୍ଭରୁ ଏଯାଏଁ ୨୫୦ ଚାଷୀ ମଲେଣି କିନ୍ତୁ କେହି ଦୁଃଖ ପ୍ରକାଶ କରୁନାହାନ୍ତି। ଯଦି ଏଭଳି ପରିସ୍ଥିତି ଦୀର୍ଘଦିନ ଧରି ଲାଗି ରହେ ତେବେ ବିଜେପି ପଶ୍ଚିମ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାରେ ବ୍ୟାପକ ସମର୍ଥନ ହରାଇବ । ମଲିକ କହିଛନ୍ତି, ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଥିଲେ। ଚାଷୀମାନଙ୍କୁ ଖାଲି ହାତରେ ଫେରାଇ ହେବନି। ସରକାର ସେମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବା ଉଚିତ୍‌ ବୋଲି ସେ କହିଥିଲେ।

ତେବେ ଜଣେ ରାଜ୍ୟପାଳ ଭାବେ ଏଭଳି ବିବାଦୀୟ ଟିପ୍ପଣୀ ଦେଇ ସେ ଚିନ୍ତିତ ଅଛନ୍ତି କି ବୋଲି ପଚରାଯିବାରୁ ମଲିକ କହିଛନ୍ତି, ଯଦି ମୁଁ ରାଜ୍ୟପାଳ ନଥାନ୍ତି ତେବେ ବି ମୁଁ ଏକଥା କହିଥାନ୍ତି। ଏବେ ଆବଶ୍ୟକ ହେଲେ ମୁଁ ପଦ ଛାଡ଼ିଦେବି, କିନ୍ତୁ କୃଷକଙ୍କ ପ୍ରସଙ୍ଗରେ ମତ ବଦଳାଇବି ନାହିଁ। କୃଷକମାନଙ୍କ ଦୟନୀୟ ଅବସ୍ଥା ଦେଖି ହେଉନି ବୋଲି ସେ କହିଛନ୍ତି। ଯେଉଁମା‌ନେ ସରକାରର କ୍ଷତି ଚାହୁଛନ୍ତି, ସେମାନେ ସମାଧାନର ବାଟ ବାହାର କରିବାକୁ ଦେଉନାହାନ୍ତି ବୋଲି ସେ କହିଛନ୍ତି। ମଲିକ କହିଛନ୍ତି ଯେ ତାଙ୍କର ଟିପ୍ପଣୀ ଦଳର କିଛି କ୍ଷତି କରିବ ନାହିଁ ଏବଂ ସମସ୍ତେ ଏହି ପ୍ରସଙ୍ଗରେ ସମ୍ବେଦନଶୀଳ ହୋଇ ବିଚାର କରିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର